ଭୋକ
ବନଲତା ଜାଲି
*******************
ପେଟର ଜ୍ୱାଳାକୁ କୁହାଯାଏ ଭୋକ
ଭକ୍ଷଣ ହୁଏ ତାହାର ବିନାଶ
ପେଟ ଭୋକ ଲାଗି ପଥଭ୍ରଷ୍ଟ ଲୋକ
ବଦଳି ସେ ହୁଏ ଖରାପ ମଣିଷ
ଭୋକ ଅନ୍ୟ ନାମ କ୍ଷୁଧା
କରିବା ପାଇଁକି ତା’ର ପ୍ରଶମିତ
ମଣିଷ କରେ ନାନା ଧନ୍ଦା ll
ଶରୀରର ଭୋକ ଅଟଇ କାମନା
ସେଥିପାଇଁ ନାରୀ ପାଏ ନିର୍ଯାତନା
କାମନାର ଜ୍ୱାଳା କରେ ବାଟବଣା
ମଣିଷ କିଛି ନ ପଡଇ ଜଣା
ହରାଇ ନିଜ ଇଜ୍ଜତ
ହୀନପଶୁ ତୁଲ୍ୟ ହୁଅଇ ନିନ୍ଦିତ
ନିଜେ ନ ହୋଇ ସଂଯତ ll
ଐଶ୍ଚର୍ଯ୍ୟ ଭୋକ ଅଟଇ ଲାଳସା
ଲୋଭ କରିଚାଲେ ପ୍ରତ୍ୟେହ ସହସା
କାହାକୁ ତାହାର ନ ଥାଏ ଭରସା
କରିଚାଲେ ସିଏ କଳାର ବେଉସା
ସଂଚୟ କରିଣ ଧନ
ନିଜ ସ୍ୱାର୍ଥ ପାଇଁ ଗଲେବି ସମ୍ମାନ
ବୁଝେନି ତାହାର ମନ ll
ଆଧ୍ୟାତ୍ମୀୟକ ଭୋକ ଅଟଇ ଚେତନା
ସୃଷ୍ଟିକରେ ମନେ ସ୍ବର୍ଗୀୟ ଭାବନା
ଲୋଭ ମୋହମାୟା କରି ଆନମନା
ଶୁଦ୍ଧପୂତ ହୋଇ ତେଜଇ କାମନା
ଆତ୍ମାକୁ ନିର୍ମଳ କରି
ନୈସର୍ଗୀୟ ପଥେ ଥାଏ ସଦା ମନ
ଚାଲୁଥାଏ ବିଭୁ ସ୍ମରି ll
ଜ୍ଞାନର ଭୋକଟି ଅଟଇ ପିପାସା
ଯେତେ ପାନ କଲେ ମେଣ୍ଟେ ନାହିଁ ତୃଷା
ମୃତ୍ୟୁ ଯାଏ ତା’ର ପୁରେ ନାହିଁ ଆଶା
ଜୀବନରେ କେବେ ହୁଏନି ମିମାଂସl
ଜ୍ଞାନ ଉଠୁଥାଏ ଝଳି
ସମାଜରେ ଭରେ ନୂତନଚେତନା
ଅଜ୍ଞାନର ପଡେ ବଳି ll
ବନଲତା ଜାଲି
93 total views, 2 views today