ଭୋଦୁଅ ଆକାଶେ ଜହ୍ନ
ବନଲତା ଜାଲି
**********************
ଭାଦ୍ରବ ଆକାଶ ଭାରି ନିରିମଳ
ହସୁଥାଏ ସଫା ଜହ୍ନ
ତୁଷାର ଧବଳ ବାଦଲ ଭାସଇ
ଜହ୍ନକୁ କରି ଆଚ୍ଛନ୍ନ ।।
ଥମଇ ବରଷା ନଥାଇ କାଳିମା
ନଥାଇ ଗ୍ରୀଷମ,ଶୀତ
ସୁଶୀତଳ ବାଆ ପରଶ ପାଇଣ
ତନୁ ମନ ପୁଲକିତ ।।
ପରିବେଶ ଥାଏ ସ୍ବଚ୍ଛ,ନିରିମଳ
ପୁରିଥାଏ ସରୋବର
ପଦ୍ମ ଓ କଇଁର ଶୋଭା ସମ୍ଭାରରେ
ପ୍ରକୃତି ଦେଶ ସୁନ୍ଦର ।।
ନବ ପଲ୍ଲବର ସବୁଜିମା ନେଇ
ଧରଣୀ ହୁଏ ନବୀନା
ଫୁଲ,ଫଲ ଭରା ଉଦ୍ଭିଦ ହସଇ
ହୋଇଣ ସ୍ବୟଂସମ୍ପୂର୍ଣ୍ଣା ।।
ଅଳସୀ ଝରଣା ରୁଣୁଝୁଣୁ ତାନେ
ନାଚିନାଚି ଯାଏ ଝରି
କଦମ୍ବ ବନରେ କୁମ୍ଭାଟୁଆ ସ୍ତବେ
ଝିଙ୍କାରୀ ବଜାଏ ତୂରୀ ।।
କାଶତଣ୍ଡି ଫୁଲେ ବିଭୂଷିତା ହୋଇ
ଶୁଭ୍ର ଓଢଣୀ ହଲାଇ
ଶରତ ଋତୁର ଆଗମନୀ ବାର୍ତ୍ତା
ଧରା କାନେ ଦିଏ କହି ।।
ବନଲତା ଜାଲି
137 total views, 1 views today