**ପ୍ରଭୁ ହେ ଚକାନୟନ**
(କୋଠ ଭୋଗଖିଆ… ସ୍ୱରରେ)
।।ଜାନକୀ ମହାନ୍ତ।।
ଆହେ ଚକାଡୋଳା ମୋ’ ଚିକ୍କଣ କଳା
ପ୍ରଭୁ ହେ ଚକାନୟନ…
ଦେବକୀର ବଳା ଯଶୋଦାର କଳା
ଖୋଲ ତବ ଶ୍ରୀନୟନ ।।
ପ୍ରଭୁ ହେ….
ଲୀଳାମୟ ତୁମେ ଲୀଳା ରୁ ସମ୍ଭୁତ
ମାୟାବୀ ତୁମେ ମୋହନ…
ଦାସିଆ ବାଉରୀ ନଡ଼ିଆ ସ୍ୱହସ୍ତେ
ନେଲ ହେ ଜଗମୋହନ।।
ପ୍ରଭୁ ହେ…
ବନ୍ଧୁ ମହାନ୍ତିକୁ ବନ୍ଧୁ ବୋଲି କହି
ଭୋଗ ଥାଳେ ଯାଚି ଅନ୍ନ,
ଭକ୍ତ ସାଲବେଗ ଡ଼ାକ ଶୁଣି ତୁମେ
ନନ୍ଦିଘୋଷେ ଅଟକିଣ ।।
ପ୍ରଭୁ ହେ…
ଭକତ ବିଦୁର ଶାଗ ଭଜା ଭାତେ
ତୋଷାଇ ପାରିଲା ମନ,
ଭକ୍ତ ପ୍ରହଲ୍ଲାଦେ ରକ୍ଷା କଲ ନାଶି
ହିରଣ୍ୟକଶିପୁ ପୁଣ ।।
ପ୍ରଭୁ ହେ…
ବଳରାମ ଦାସ ବାଲିରଥ ଗଢ଼ି
ପୂଜିଲା ବାଙ୍କି ମୁହାଣେ,
ପୁରୀ ବଡ଼ଦାଣ୍ଡେ ନନ୍ଦିଘୋଷ ରଥ
ଅଟକ ରଖିଲ ଶୁଣେ ।।
ପ୍ରଭୁ ହେ….
ଦ୍ରୌପଦୀଙ୍କୁ ଦେଇ କୋଟି ବସ୍ତ୍ର ତୁମେ
କଲ ଲଜ୍ଜା ନିବାରଣ,
ବିଭୀଷଣଙ୍କୁ ଯେ ଲଙ୍କେ କଲ ରାଜା
ସମ୍ଭାଳି ଥିଲ ଶରଣ ।।
ପ୍ରଭୁ ହେ…
ମହାମାରୀ ଆଜି ଗ୍ରାସି ଅଛି ମହୀ
ଦେଖୁ ନାହଁ କି’ରେ ଧନ?
ମହାପ୍ରଳୟ ରୁ ରକ୍ଷା କର ହୋଇ
କଳ୍କି ରୂପେ ଅବତୀର୍ଣ୍ଣ ।।
ପ୍ରଭୁ ହେ…
ରାମ ନାମ ସତ୍ୟ ମୋ’ର ଶେଷ ଗୀତ
ଅଟେ ମାନବ ଜୀବନ,
ମୋର ଆଦ୍ୟ ଆଉ ଶେଷ ବନ୍ଧୁ ତୁମେ
ପ୍ରଭୁ କାଳୀୟଦଳନ।।
ପ୍ରଭୁ ହେ…
ଜାନକୀ ମହାନ୍ତ
313 total views, 1 views today