ପୁନରାବୃତ୍ତି

***********

ପଚାରନି ପଚାରନି ସେଇ ଅତୀତ,

ଯେଉଁଠି କୁହୁଳିଥିଲା ମୋ ଆଦ୍ୟ ଯୌବନ,

ଯେଉଁଠି ଫୁଟିଥିଲା କଦମ୍ବ, ଶ୍ରାବଣ ରେ,

ମୟୂରୀ ଗାଉଥିଲା ଆନନ୍ଦରେ,

ତନ ମନ ଉଚ୍ଛୁଳି ପଡୁଥିଲା ଅନୁଭବର ସ୍ପର୍ଶ ରେ…

 

ପଚାରନି ସେଇ ସ୍ମୃତି ସବୁ,

କେବେ ସେ ଲେଖା ଥିଲା ମୋ ଡାଏରୀ ରେ,

ଚିତ୍ରିତ ହେଉଥିଲା ମନର କାନଭାସରେ,

ସମ୍ପର୍କ ଗଢ଼ିଥିଲା କିଛି ଖଟା ମିଠା ଆଳାପରେ,

ଫେଣ୍ଟା ଫେଣ୍ଟି ସୁଖ ଦୁଃଖରେ,

 

ପଚାରନି ସେଇ ପ୍ରୀତିର ପରଶ,

ଯାହା ଆଲିଙ୍ଗନ ରେ ସୃଷ୍ଟି ହେଉଥିଲା ଢେଉ,

ସାତ ସମୁଦ୍ରର ଦଲକାଏ ଲହରୀ ଭଳି,

କୂଳଲଂଘି ସୀମାହୀନ ସୁନାମି ରୂପ ପାଇଁ ଚେଷ୍ଟିତ ଥିଲା,

 

ପଚାରନି ସେ ଶ୍ରାବଣ ଆଉ ବସନ୍ତ ର ଦୂରତା,

ଫଗୁଣ ଆଉ ଅଭୀରର ଘନିଷ୍ଠତା,

ପଚାରନି ଦିବସ ରଜନୀର ପ୍ରହର,

ସେ ଯେ ଅପେକ୍ଷା କରୁଥିଲା,

ଭିଜିବାକୁ ସାତ ରଙ୍ଗରେ ରଙ୍ଗେଇହୋଇ,

 

ପଚାରନି ସେ ନୀରବତା ଆଉ ଚପଳାମୀ ସବୁ,

ସାତସୁର ମୂର୍ଚ୍ଛନା ରେ ରାଗିଣୀର ସୁର ଥିଲା,

ବୟସର ଉତ୍ତରଣ ରେ,

ଓଠ ଆଉ ଆଖିର ଭୋକ ଥିଲା,

 

ହେଲେ ଆଜି କାଇଁ ସେ ଅତୀତ ଫେରେ,

କଣ ବୁଝିବା ପାଇଁ ନା ବୁଝେଇବାକୁ,

କେବଳ ଯାହା ହଜିଯାଇଛି ସେ କଣ,

ପରିଚୟ ଖୋଜେ ନା ଦ୍ଵନ୍ଦ,

 

କଣ ପାଇଁ ସେ ଫେରିଆସେ,

ଜୀବନ ର ବ୍ୟାସରେ ପରିଧି ହେବାକୁ,

ନା ଦୋଛକି ରେ ଅଙ୍କ କଷିବାକୁ…

 

କାହିଁକି ଅଣଲେଉଟା ଦିଏ,

ଅପରିଚିତ ପୃଥିବୀରେ,

ଶୂନ୍ୟତା କୁ ପୂର୍ଣ୍ଣତା ରେ ଭରିବାକୁ,

ନା ପାପ ପୁଣ୍ୟ ର ହିସାବ କରିବାକୁ…

 

ଥରେ ନୁହଁ ବାରମ୍ବାର ଉତ୍ତର ଖୋଜେ,

ଖୋଜେ ସେଇ ଅନ୍ଧାରି ଭିତରେ ଆଲୁଅ,

ନିରାଶାରେ ଆଶାର ଉତ୍ଥାନ,

ହରେଇବାରେ ପାଇବାର ପ୍ରୟାସ,

 

ତଥାପି ଦ୍ଵନ୍ଦ, ଅସହାୟ କାରୁଣ୍ୟ

କଣ ମିଳିବ ଜାଣିଲେ ଆଉ ଜଣେଇଲେ,

ବଦଳିଯିବ କି ସେ ଦାଗ,

ଲିଭିଯିବ କି ସେ ଅୟୁତ ଅୟୁତ ପ୍ରଶ୍ନ ସମୂହ,

ଶେଷ ହୋଇଯିବ କି ଯନ୍ତ୍ରଣା ଆଉ ଆନନ୍ଦର ସ୍ୱାଦ,

ଭରିଦେବ କି ଜୀବନ ରେ ସଂଜୀବନୀ,

ଯାହା ମୃତ ପ୍ରାୟ ବାସ୍ତବତା ଚେତନା ରେ l

 

@ଲେଲିନା ମଲ୍ଲିକ ✍️

 29 total views,  1 views today

Leave a Reply

Your email address will not be published. Required fields are marked *