•——————- // ଚିଠି //——————-•
ମୋ ବୋଉ ଘରେ ମୁଁ କିନ୍ତୁ ହଷ୍ଟେଲରେ,ତା’ର ହାତର ବାସନା ପାଉଥିଲି ତା ଆଚାର ଡବାରେ,ମୁଡି ମୁହାଁରେ, ମନକୁ ବାନ୍ଧିଥିଲି ତା’ର କେଇପଦ ସ୍ନେହବୋଳା କଥାରେ ।
ମନେପଡୁଥିଲା ବୋଉ କଥା ।ଡାକବେଲା ଖବରଦେଲା, ଦେଖିଲି ଯାଇଁ ତା’ ହାତଲେଖା ଚିଠି ଖଣ୍ଡେ ଆସିଥିଲା ….
ଝିଅ ,ବେଳେବେଳେ ଖୁବ୍ ମନେପଡୁଛୁ,ତୋ ହାତ ଅଙ୍କା ଛବିକୁ ଘଡିଏ ଦେଖେ ,ଯେଉଁଠି ମୁଁ ପନିକି ପକାଇ ପରିବା କାଟେ,ବେସର ବାଟେ,ଶାଗ ଖରଡେ ସେଠି ମୁଁ ସବୁ କରୁଛି ହେଲେ ତୁ ମୋ ପଛପଟେ ମୋ କାନ୍ଧରେ ଝୁଲିକି ନାହୁଁ କେବଳ ତୋ ହାତ ଅଙ୍କା ଛବିଟି ଝୁଲିଛି କାନ୍ଥରେ— ଆଉ ତଳକୁ ଛୋଟିଆ ନାଲି ଅକ୍ଷରରେ ତୋ ନାଁ ଗୁଡୁଲି ଲେଖାଅଛି।
କେବେ ପୁଣି ଆସିବୁ ଛୁଟିହେଲେ ? ବାପା ରାଗୁଛନ୍ତି ମୋ ଉପରେ ,ମୁଁ କୁଆଡେ ତୋତେ ଡିଷ୍ଟ୍ରବ କରୁଛି ।ସେ କୋଉଠି ବୁଝିବେ ମା’ ମନ କଥା ! ହଉ ବେଶୀ ଲେଖୁନି ଝିଅ,ବାପା ଜାଣିଦେବେ।ମନ ଦେଇ ପଢୁଥିବୁ,ଠିକ୍ ସମୟରେ ଖାଉଥିବୁ ,ଦେହକୁ ଜଗିଥିବୁ ଓ ଦେଖି ଚାହିଁ ଚଳୁଥିବୁ ।
ମୋ ବୋଉର କେଇପଦ କଥାରେ ସେ ଗଢିଥିବା ମୋ ଜୀବନ ଚାଲିଛି ।ମୁଁ ବି ଏତେ କିଛି ଲେଖୁନି ବୋଉ ,କାରଣ ବାପାଙ୍କ ହାତରେ ଚିଠିଟା ପଡିଗଲେ ତୋ ଉପରେ ରାଗିବେ,କହିବେ ମା’ ଓ ଝିଅ ଏହି ନାଟ କରୁଛ,ହଷ୍ଟେଲ ଯାଇଛି ପାଠ ପଢିବାକୁ ନା ମା’ ସୁଆଙ୍ଗ ଦେଖେଇବାକୁ ? ଅଯଥାରେ ତୁ ଗାଳି ଖାଇବୁ ।ତୋ କଥା ସବୁବେଳେ ମନେପଡେ,ବେଶୀ ଖାଇଲା ବେଳେ କିନ୍ତୁ ତୋ ହାତ ତିଆରି ଆଚାର,ମୁହାଁ,ବାଦାମ ଲଡୁ ଓ ଚୁଡାଭଜା ଭିତରୁ ତୋ ବାସନା ପାଏ ।ତୁ ବ୍ୟସ୍ତ ହେବୁନି ମୁଁ ତୋ କୋଳରେ ସବୁଦିନେ ଶୋଇଲା ଭଳି ମନେ ପକାଇ ପକାଇ ଶୋଇଯାଏ ମୋ ମୁହଁରେ ତୋ ଚାଦରଟି ଡାଙ୍କିଦିଏ। ଏବେ ରହୁଛି ବୋଉ,ବାପାଙ୍କର ଓ ତୋର ଭଲରେ ଥିବ ।ତୁ ଚିଠିଟିକୁ ଲୁଚାଇକି ରଖିବାକୁ କେବେ ବି ଭୁଲିବୁନି ।ତୋ ଗେହ୍ଲି ।
______💗______
( ଏକ ବାସ୍ତବ କାହାଣୀ )
–ଜାହ୍ନବୀ