🌹ଚେନାଏ ସ୍ମୃତି🌹

ସ୍ମୃତି !
ତୁମେ ଆଜି ମନ ଗହୀର ର
ପ୍ରଶ୍ନବାଚୀ ର ପାହାଡ଼ ଟିଏ,
ତୁମେ ଥିଲ ଦିନେ
ଅଭାବ ସଂସାର ରେ ପ୍ରାଣ ପଣେ
ଲଢ଼ୁଥିବା ଅବୟବ ମାନଙ୍କର
ନିତି ଦିନର ଖୋରାକ,
ଭଙ୍ଗା ଚାଳ ଛପର ଘରେ ଜାକି ଜୁକି
ଅଦିନ ଶ୍ରାବଣ କୁ ମୁକାବିଲା କରିବା
ତୁମ ପାଖରୁ ଶିଖିଥିଲି,
ପୁଷ ସକାଳ ର କଅଁଳ ଖରାରେ
ମୁଢ଼ି ଚୂଡ଼ା ଦିଟା ଧରେଇ ଦେଇ
ତୁମେ ମାପୁଥିଲ ମୋ ନିଥର ଧୈର୍ଯ୍ୟ କୁ,
ବୋଉ ହାତର ପୋଡପିଠା ଭିତରେ
ତୁମେ ପରଖୁ ଥିଲମୋ ଦେହର ଔଜଲ୍ୟ
ଭୁଲ କରି ବାପା ଙ୍କ ପାଖରୁ
ତେନ୍ତୁଳି ଛାଟ ର ପାହାର ଖାଇବାରେ
ତୁମେ ଶିଖାଇଥିଲ ଜୀବନର ବର୍ଣ୍ଣବୋଧ,
ଅଦିନ ଶ୍ରାବଣ ରେ ଭିଜୁଥିବା
ମୋ ଚାଳ ଘର ର ଭୂଗୋଳ ରେ
ତୁମେ ଭରିଥିଲ ସମଭାବ ରଐକତାନ ,
ଝାଞ୍ଜି ବୈଶାଖୀ ର ମାଡରେ
ଫୁଙ୍ଗୁଳା ଦେହ ଟାକୁ ବଞ୍ଚେଇବା ପାଇଁ
ତାଳ ପତ୍ର ବିଞ୍ଚଣା ଧରେଇ ଦେଇ
ତୁମେ ଶିଖାଇଥିଲ ଲଢ଼ିବାର ଦକ୍ଷତା,
କାଠି କଲମ ରେ ଜୀବନ ର ଭାଷା
ଲେଖିବାର ତୁମେ ହିଁ ଥିଲ ପ୍ରେରଣା,
ପାଣି ସୁଅ ରେ କାଗଜ ଡ଼ଙ୍ଗା ଭସାଇ
ଅନୁଭବ କରୁଥିଲି ସାଗର ଲଙ୍ଘିବା ର
ବିଚିତ୍ର ଖିଆଲ ମନସ୍କତା ,
ବଣ ବୁଦା ରୁ କୋଳି ତୋଳି
ଲହୁ ଲୁହାଣ ହୋଇ ଶିଖୁ ଥିଲି
ସାମାଜିକତା ର କଳା ନୈପୁଣ୍ୟତା,
ବାପା ଙ୍କ କାନ୍ଧରେ ବସି ଦେଖୁଥିଲି
ଅଦୁର ଭବିଷ୍ୟତ ର ଝାପ୍ସା ଝାପ୍ସା ସ୍ବପ୍ନ,

ସ୍ମୃତି !
ଆଜି କିନ୍ତୁ ସବୁ ନିଆରା ,
ସ୍ୱାର୍ଥପରତା ର ଅନ୍ଧଗଳି ରେ
ହିଂସା ଦ୍ଵେଷ ପ୍ରାଚୁର୍ଯ୍ୟ ର ଝଲସା ରେ
ଗଢ଼ିଛି ମୁ ଅଭିଶପ୍ତ ରଙ୍ଗଶାଳା ,
ଶିଖିଛି ମୁ ଅନ୍ୟ ଗଳା ରେ ପାଦଦେଇ
ଚାଲିବା ର ଅଭିନବ କଳା,
ମୁଁ ଆଜି ମୋ ଚୌଦିଗ ର ଅଧୀଶ୍ଵର,
ତୁମକୁ ହରେଇ ଦେଇ
ମର୍ମେ ମର୍ମେ ଅନୁଭବେ ନିର୍ବାସନ ଦୁଃଖ,
ତଥାପି କେଉଁ ଏକ ନିବୃତ କୋଣରେ
ଲୁଚି ଲୁଚି ସନ୍ତର୍ପଣତା ରେ
ତୁମ ପାଇଁ ଢାଳେ ଦୁଇ ଟୋପା ଲୁହ ।
◆■◆●◆■◆

©® ପ୍ରତାପ କିଶୋର ରାଉତ
ଧକୋଠା, କେନ୍ଦୁଝର

 91 total views,  1 views today

Leave a Reply

Your email address will not be published. Required fields are marked *