– ଚାଲ ନେଇଯିବା ଏକ ବିରତି
ଦୁର୍ଲ୍ଲଭ ଜୀବନ ଲଭିଛି ମାନବ
ପ୍ରଭୁ ପରସାଦୁ ପ୍ରାପ୍ତି
ଦଡବଡ଼ିମୟ ସଂସାରେ ହଜିଛି
କେବେବା ମିଳିବ ମୁକ୍ତି! ।।
ଅମାପ ଶକତି ଲଗାଇ ମହୀରେ
ଚିନ୍ତିଅଛି ଶ୍ରେଷ୍ଠ ସିଏ
ମାନବ ଧର୍ମଟି ହରାଇ ସକଳେ
ବଡ଼ିମା ଦେଖାଏ ହାଏ ।।
ତୁଳିତଳ୍ପଭରା ସୁକୋମଳ ଶଯ୍ୟା
ଭାବନାରେ ବୁଡ଼ି ସେତ
ମରୁମରିଚୀକା ଆଶେ ଧାବମାନ
ଏଡ଼ିଛି ସଂଯମ, ସତ୍ୟ ।।
ସ୍ବଦେଶ ପୀରତି ସାଂସ୍କୃତିକ ଚେତ୍ତା
ଜୀବନବୋଧ ଚିନ୍ତନ
ଧନ ଐଶ୍ୱର୍ଯ୍ୟକୁ ମଣି ଦିବ୍ୟସୁଖ
କରେ ସଦା ହେୟଜ୍ଞାନ ।।
ଜୀବିକାର ପଛେ ନିତ୍ୟ ଧାଇଁଧାଇଁ
ସାରିଛି ଆୟୁଷ ବହୁ
ଜୀବନ ସତ୍ୟତା ଏ କ୍ଷଣଭଙ୍ଗୁର
ଜାଣି ବି ଅଜଣା ସେହୁ ।।
ମାତାଜଠୁ ସୃଷ୍ଟି ହୋଇ ଭୂମିସ୍ପର୍ଶ
କରିଅଛି ଯେଉଁଦିନୁ
ବଡହେବା ଆଶା ପୋଷିଛି ହୃଦୟେ
ଭଲ ଉଭା ତା’ପରାଣୁ ।।
କେବେ ପୂର୍ଣ୍ଣଛେଦ ପଡ଼ିବ ତୁମରେ
ଅବା ଅସୁମାରୀ ଆଶା
ବାସ୍ତବ ଜ୍ଞାନଟି ହୋଇ ବିକଶିତ
ପ୍ରାପ୍ତିବ ନୂତନ ଦିଶା ।।
କାଳସର୍ପ ଦିନେ ଗ୍ରାସିବ ସର୍ବସ୍ୱ
ତେବେ କାହିଁ ଏତେ ଲୋଭ
ଦୟା,ସଦଗୁଣ, ବିନୟ, ସରଳ
ଆଭୂଷଣ କର ଜୀବ ।।
ଅଳିକ ସଂସାରୁ ଚାଲ ନେଇଯିବା
ସରବେ ଏକ ବିରତି
ପ୍ରଭୁ ପାଦପଦ୍ମେ ନସ୍ୱର ଶରୀର
ମିଳି ଆନନ୍ଦେ ମୁକତି ।।
******************************
ପୁରୀ
୮୮୪୭୮୨୪୭୨୯
279 total views, 1 views today