ବରଗଛ
*******
ପୁନେଇଁର ଫୁଲେଇ ଜହ୍ନଟା ବରଗଛ ଉହାଡ଼ରୁ ହସୁଛି l ତା ସଫେଦ, ସରଳ, ନିଷ୍କପଟ ହସଟା ସତେ ଯେପରି ଚାରିଆଡେ ଶେଫାଳି ଫୁଲର ଚାଦର ବିଛେଇଦେଇଛି l ଖୁବ ମନଜିଣା, ମନୋରମ ପରିବେଶ, ଯେ କେହି ଘଡ଼ିଏ ବସିପଡିବାକୁ ମନ କରିବ l ରୋନିତ ମଧ୍ୟ ବନ୍ଧାପଡ଼ିଗଲା ସେଇଠି, ଟିକିଏ ବସିବାକୁ ମନ କହିଲା ସେଇ ପ୍ରିୟ ପରିଚିତ ବରଗଛ ପାଖରେ l ପଖାଳିହୋଇଗଲା ଯେତେକ ସ୍ମୃତି..
ତାର ସଂସାରକୁ ଆସିବା, ହାତକୁ ଦି ହାତ ହେବା, ତା କୁନି ଅତିଥି ଘରକୁ ଆସିବା ଇତ୍ୟାଦି ପଛରେ ଏଇ ବରଗଛର ଆଶୀର୍ବାଦ ରହିଛି , ଘରର ଏକ ବୟସ୍କ ବ୍ୟକ୍ତିଙ୍କ ପରି l ଆଶୀର୍ବାଦରେ ନା କାର୍ପଣ୍ୟ ନା କୁଣ୍ଠା.., ସବୁ ସମସ୍ୟାକୁ ସହଜ ଓ ସରଳ କରିବାରେ ଏଇ ବରଗଛର ଅବଦାନ ଯେ ଅନସ୍ୱୀକାର୍ଯ୍ୟ ଏହା ଯେ କେହି ଶୁଣିଲେ ଆଶ୍ଚର୍ଯ୍ୟ ହେବ ହିଁ ହେବ l
ତା ଜନ୍ମ ଇତିହାସ ଏବେ ବି ଜୀବନ୍ତ ହୋଇଉଠେ ଏଇ ବରଗଛକୁ ଦେଖିଲେ…., ମା’ ତାର ଅସହାୟା ହୋଇଯାଉଥିଲେ ଦିନୁଦିନ ସନ୍ତାନ ସୁଖରୁ ବଂଚିତ ହୋଇ lସାହି ପଡିଶାଙ୍କ ଟାପରା, ବନ୍ଧୁବାନ୍ଧବଙ୍କ ତୀକ୍ଷ୍ଣ କଟାକ୍ଷ, ଶାଶୁ ଶ୍ୱଶୁରଙ୍କ ତାତ୍ସଲ୍ୟ ବା କେଉଁ ସନ୍ତାନହୀନା ମହିଳାଙ୍କୁ ବଂଚିବାର ରାହା ଦେଖାଇବ ! ଜୀବନ ହାରିବାର ସଂକଳ୍ପକୁ ବଦଳାଇଦେଇଥିଲା ଏଇ ଗଛର ଓହଳ, ଓହଳର ଅଗ୍ରଭାଗ କୁ ହାତରେ ବାନ୍ଧି, ସେଥିରୁ ପ୍ରସ୍ତୁତ ଔଷଧ ସେବନ ଓ ଗଛମୂଳେ ଜଳଦାନ ହିଁ ରୋନିତକୁ ଦୁନିଆର ଆଲୋକ ଦେଖାଇଥିଲା l ଖାଲି ସେତିକି ନୁହେଁ ସବୁ ବାଧାବିଘ୍ନକୁ ଏଡାଇ ଦୁନିଆର ରାସ୍ତାକୁ ସହଜରେ ଅତିକ୍ରମ କରିବାପାଇଁ ଆଜି ବି ମାଆ ତା’ ନାଁ ରେ ଜଳଢାଳେ ଏଇ ବରଗଛ ମୂଳେ l ଏଇ ଗଛ ମୂଳରେ ବିବାହ ସଂକଳ୍ପ ମଧ୍ୟ, କାଳେ ତା ପରି ମୋର କାଳେ ସନ୍ତାନ ସମସ୍ୟା ହେବ ସେଥିପାଇଁ ଆଗୁଆ ପ୍ରତିକାର ମଧ୍ୟ କରାଇଥିଲେ ମା l ସତ ହେଉ କି ଅନ୍ଧ ବିଶ୍ଵାସ ହେଉ କି ବରଗଛର ଆଶୀର୍ବାଦ ହେଉ କି ସଂଯୋଗ ହେଉ ବରଗଛ ସହ ବନ୍ଧନ ଯେ ପାରିବାରିକ, ଐଶ୍ୱରୀୟ.. ଏ ବିଶ୍ୱାସ ଦୃଢ଼ରୁ ଦୃଢ଼ତର ହେଉଥିଲା ରୋନିତ ର…
ଚିନ୍ମୟୀ ମହାପାତ୍ର
ଅନଗୁଳ
Chinmayee Mohapatra.
Angul
ଉଚ୍ଚ କୋଟିର ଲେଖା ବାସ୍ତବ ଜୀବନ ସହିତ ଓତଃପ୍ରତ ଭାବେ ଜଡିତ