*ଏଠି ଏମିତିକା ଲୋକ*
ଭବେଶ ଚନ୍ଦ୍ର ବେହେରା
“”””””””””””””””””””””””””””””””””””””””””””””
ପାହୀ ସଳଖିକି
କାହିଁକି ମଣିଷ
କାଟୁଛି ବାଳୁଙ୍ଗା ଘାସ
ବେଳ ସରିଯାଏ
ବୋଝ ପୂରେନାହିଁ
କରି ବାରବାଟି ଚାଷ ।
ଲାଞ୍ଚ ଦେଇ ଯେତେ
ଆଞ୍ଚ ଧରେଇଲେ
ଜଳୁନି ନଡା କି ପାଳ
ଶୋଇବା ପୁଅର
ପାଳକ ପଡୁଛି
ଚେଇଁବା ପୁଅର କାଳ ।
ଦଦରା ଟିପେଇ
ଟଳି ପଡୁଅଛି
ତଳକୁ ଲାଗୁଛି ଦଣ୍ଡା
ଦେଶୀଗାଈ ପାଇଁ
ବେଶି ଲୋଭକଲେ
ମିଳୁଛି ମଇଁଷି ପଣ୍ଡା ।
ଫଗୁଣରେ ଏଠି
ଉଲ୍ଲୁକ ବୋବାଏ
କୋଇଲି ଖୋଲୁନି ପାଟି
ସୁନା ରୂପା ମୋତି
ପୁଡିଆ ବାନ୍ଧିଲେ
ଖୋଲିଲେ ପଥର ମାଟି ।
ଶିଳକି ପେଷେଣା
ଆକାଶେରେ ଉଡେ
ତୁଳା ପଡି ଫାଟେ ମୁଣ୍ଡ
ପଡୁ ପଡୁ ତଳେ
ପଳେ ମାଉଁସରେ
ଭ୍ରୁଣ ବି ଖୋଲଇ ତୁଣ୍ଡ ।
ପଇସା ଦେଲେ ବି
ପବନ ମିଳେନି
ମଳା ଶୋଷିଦିଏ ଡାଲି
ଆଜି ଯିଏ କଳା
ତାଳି ମାରିଦେଲେ
ଧଳା ଦେଖାଯାଏ କାଲି ।
ଧାନ ମୁଗ ଏଠି
ଓଳିଆ ବାନ୍ଧିଲେ
ଓଳିକରେ ଲାଗେ ପୋକ
ପାଳିକରି ନିତି
ପାତକ କିଣନ୍ତି
*ଏଠି* *ଏମିତିକା* *ଲୋକ* ।
………………………………………….
*ଭବେଶ ଚନ୍ଦ୍ର ବେହେରା*