କବିଟିଏ ମୁଁ କବିଟିଏ
ଜିତେନ୍ଦ୍ର ଗିରି
କବିଟିଏ ମୁଁ କବିଟିଏ
ଭାବନା କୁ ମୁଁ କରି ଆପଣାର
ସାହିତ୍ୟ ରାଇଜେ କରିଛି ଘର
କଲମ ମୁନକୁ କରିଛି ମୂନିଆ
କୁଖ୍ୟାତ ଦେଖି ହୁଅନ୍ତି ଛାନିଆ
ତାଙ୍କୁ କିବା ଜଣା କବିଙ୍କର ମୂଲ
ତତଲା ମରୁରେ ମୁଁ ଫୁଟାଏ ଫୁଲ।
କବିଟିଏ ମୁଁ କବିଟିଏ
ଅକୁହା କଥାକୁ ବଖାଣି ଦିଏ
ଅନ୍ତରେ ଅଛି ମୋ ଶବ୍ଦର ନଗରୀ
ଯେବେ ଇଚ୍ଛା ହୁଏ ଭେଟିବାକୁ ତାଙ୍କୁ
ଲାଇନି ରେ ଆସି ସେ ପକାନ୍ତି ହାଜିରି
କୁହନ୍ତି ହଜୁର ଆମେ ହାଜର ହେଲୁ
ସଜେଇ ବସାଅ ଆମେ ଅପେକ୍ଷା କଲୁ
ଦେଶ ହିତ ଲାଗି ଆମେ ସାହାଯ୍ୟ କରିବୁ
ବୀରବର ଠେଙ୍ଗାଧର କୁ ଶୀର୍ଷକ କରିବୁ
ଧାଡ଼ିକି ଧାଡ଼ି ଆମେ ସଜେଇ ହେଇ
ଚେତାବନୀ ଶବ୍ଦକୁ ଆଗକୁ ନେଇ
ସୁଧାର ଶ୍ରେଣୀର ଶବ୍ଦମାନେ ସବୁ
ଦେଶ ଲୁଟେରାଙ୍କୁ କରିବେ କାବୁ
ମଝିରେ କଟାକ୍ଷ ଶବ୍ଦକୁ ଲଗାଇ
ଚାଟୁକାରଙ୍କର ଦେବୁ ହୋସ ଉଡ଼େଇ
ପଛରେ ରଖିବୁ ଶବ୍ଦ ରାଜନୀତି କୁ
ସର୍ବଗ୍ରେ ରଖିବୁ ଶବ୍ଦ କୂଟନୀତି କୁ
ଶେଷ ଦୁଇ ଧାଡ଼ି ଡାକି ଅନୁରୋଧକୁ
ତା ସାଥେ ଯୋଡ଼ିବୁ ନିଷ୍ଠା କର୍ତ୍ତବ୍ୟକୁ।
କବିଟିଏ ମୁଁ କବିଟିଏ
ଶବ୍ଦ ମାନେ ମୋତେ ଏମିତି କୁହନ୍ତି
ଭାରି ଖୁସି ହେଇ ମୋ ପାଖେ ବସନ୍ତି
କେତେ ଶାଳୀନତା କେତେ ନମ୍ର ସେମାନେ
ମୋ ଆଖେ ପାଖେ ସଦା ରହିଥାନ୍ତି
ନୂଆ ସୃଷ୍ଟି ପାଇଁ ମୋତେ ବାଧ୍ୟ କରନ୍ତି
କୁହନ୍ତି ସେମାନେ ତୁମେ ଲେଖିଚାଲ
ଦେଶ ପ୍ରଗତିରେ ତୁମେ ତ ମଶାଲ ।
ଜିତେନ୍ଦ୍ର ଗିରି