**କେଉଁଠି ଖୋଜିବି**
।।ଜାନକୀ ମହାନ୍ତ।।
କେଉଁଠି ଖୋଜିବି ତୁମକୁ ହେ ସାଥି
ତୁମେ ହେଲ ଅନ୍ତର୍ଦ୍ଧାନ?
ଦୁହିଁଙ୍କର ପ୍ରେମ ସ୍ୱଚ୍ଛ ନିରିମଳ
ଦିବାନିଶି ଝୁରେ ମନ ।।
ଅରଣ୍ୟ ମଧ୍ୟରେ ମୁଁ ଖୋଜେ ତୁମକୁ
ଆହେ ପ୍ରାଣନାଥ ମୋର,
“ସାଥି” ଦେଲି ଡ଼ାକ ସ୍ୱର୍ଣ୍ଣ ମୃଗ ପ୍ରାୟ
ଅରଣ୍ୟରେ ଯାଅ ଦୂର ।।
ନୀଳ କଇଁ ହୋଇ ଜହ୍ନକୁ ଡ଼ାକଇ
ଲୁଚ ଯେ ବଉଦ ତଳେ,
ଜହ୍ନକୁ ନପାଇ ନିରାଶେ ଫେରଇ
କୁମୁଦିନୀ ଲୁହ ଢାଳେ ।।
ମୁହିଁ କମଳିନୀ ଖୋଜେ ଅଂଶୁମାନେ
ଲୁଚିଯାଅ ମେଘମାଳେ,
ସ୍ପର୍ଶ ଅନୁଭବେ କୋହଭରା ହୃଦେ
ରହେ ପୁଷ୍କରିଣୀ ଜଳେ।।
ପରିତ୍ୟକ୍ତା ହୋଇ ମୁକ୍ତାଗର୍ଭା ମୁହିଁ
ଶାମୁକା ରହେ କୂଳରେ,
ସାଗର ଢେଉରେ ଲୀନ ତୁମ ବକ୍ଷେ
ହେବାକୁ ପ୍ରତୀକ୍ଷା କରେ ।।
ମରୁଭୂମି କୋଳେ ମୁଁ ତୁମକୁ ଖୋଜେ
ଲହୁ ଓ ଲୁହାଣ ହୋଇ,
ମରୁ ମରୀଚିକା ସମ ଦୂରେ ଯାଅ
ଫେରେ ତୁମ ପଛେ ଧାଇଁ ।।
ମୁଁ ନାଲି ଗୋଲାପ ଉଦ୍ୟାନରେ ଫୁଟେ
ପ୍ରଜାପତି ପ୍ରାୟ ତୁମେ,
ମୋ ବୃନ୍ତରେ ବସି ମଧୁ ନେବ ଶୋଷି
କିନ୍ତୁ ରହେ ମୁହିଁ ଭ୍ରମେ ।।
କୁଆଡେ଼ ଖୋଜିବି ତୁମକୁ ହେ ସାଥି
ପାରୁନାହିଁ ଜମା ଜାଣି,
କଥା ଦେଇଥିଲ ତୁମେ ତ ଫେରିବ
ପ୍ରତୀକ୍ଷାରେ ପ୍ରଣୟିନୀ ।।
ଆଉ କେତେ କଷ୍ଟ ଦେବ ସାଥି କୁହ
ସହି ପାରିବିନି ଆଉ,
ନୟନରେ ଲୁହ ହୃଦୟରେ କୋହ
ପ୍ରାଣବାୟୁ ଚାଲି ଯାଉ ।।
।।ଜାନକୀ ମହାନ୍ତ।।