ଦି’ ଦିନ ଜୀବନ
**************
ପ୍ରସନ୍ନ କୁମାର ମେହେର
ମଣିଷ ଜୀବନ
ଦି’ ଦିନ ଜୀବନ
ଏଇ ଧରା ପୃଷ୍ଠ ତଳେ
ଆସିଛି ସେ ଦିନେ
ଯିବ ଏକ ଦିନେ
ଜନମ ମରଣ ବଳେ ।।
ଜନମ ମରଣ
ସତ୍ୟ ସନାତନ
ଲିପିବଦ୍ଧ ଚିତ୍ରଗୁପ୍ତେ
ଭାଗ୍ୟର ଲିଖନ
କେ କରିବ ଆନ
ଜୀବନର ଗତିପଥେ ।।
ଜୀବନ ଆମର
ପାଣିର ଫୋଟକା
କ୍ଷଣେ ଜୀବ ଯିବ ଚାଲି
ଜୀବନ ଟା ସତେ
କ୍ଷଣ ଭଙ୍ଗୁର ତ
ଭାବି ପାରିବ ନି କଳି।।
ଏନ୍ତୁଡିଶାଳରୁ
କଇଁ କଇଁ ରାବ
ଜନମିଲେ ଶୁଣୁଥାଇ
ଜୀବନ ଗଲାବେଳେ
କ୍ରନ୍ଦନର ରୋଳ
ମରଣକାଳେ ସୂଚାଇ ।।
ଏଇତ ଜୀବନ
ଏଇତ ପରାଣ
ଆଜି ଅଛି କାଲି ନାହିଁ
ପ୍ରାଣ ଅଛି ବୋଲି
କେତେ ବକବକ
ଆତ୍ମଗରବ କରଇ ।।
କେହି ରହି ନାହିଁ
ଏଇ ଭବ ତଳେ
ବେଳ ହେଲେ ବାହୁଡିବେ
ନିଜ ନିଜ କର୍ମ
କରି ସମ୍ପାଦନ
ସସାଗରା ମହୀ ତଳେ ।।
ରାଗ ରୁଷା ଦ୍ୱେଷ
ଛାଡି ଅଭିମାନ
ପ୍ରଭୁ ପାଦେ ରହୁ ମନ
ଦୁର୍ଲ୍ଲଭ ଜନମ
ହେଉ ଧନ୍ଯଧନ୍ୟ
ପରୋପକାରେ ପରାଣ ।।
###############
ପ୍ରସନ୍ନ କୁମାର ମେହେର
685 total views, 1 views today