ଜଣେ ବେକାର ସମ୍ପର୍କରେ
(ସୌଜନ୍ୟ – ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର)
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ଶେଷ ଶ୍ରାବଣର ଆକାଶକୁ ଚାହିଁ କିଛି ଲାଭନାହିଁ। ଭରା ବଦଳରେ ଭର୍ତ୍ତି ଆକାଶ। ଝିପି ଝିପି ଝୁଳନ୍ତ ବର୍ଷା ଦୋଳି ଖେଳୁଛି ଏପଟରୁ ସେପଟକୁ। ଚାରିଆଡେ ଖାଲି ବର୍ଷା ଆଉ ବର୍ଷାର ପ୍ରାବଲ୍ୟ। ସବୁଠି ଯେମିତି ଅନିଚ୍ଛାକୃତ ନିସ୍ତବ୍ଧତାର ଗାଢ଼ ଆସ୍ତରଣଟିଏ ବୋଳି ହୋଇଯାଇଛି।
ରହି ରହି ଶୁଭୁଛି ମେଘର ଗୁରୁଗମ୍ଭୀର ଗର୍ଜନ; ଟୁପୁର ଟାପର ଜଳର ଅପୂର୍ବ ନର୍ତ୍ତନ। ତା’ ଭିତରେ କଳମୁଖର ବସଷ୍ଟାଣ୍ଡଟି ବାକରୁଦ୍ଧ ହୋଇଯାଉଛି ଯେମିତି। ରେଷ୍ଟସେଡ୍ ଭିତରେ ବୁଲା କୁକୁର ଦି’ଟା ଜାକିଜୁକି ହୋଇ କାଠାବେଞ୍ଚ ତଳେ ସ୍ଵସ୍ତିରେ ନିଃଶ୍ବାସ ଛାଡୁଛନ୍ତି କିନ୍ତୁ ତା’ ଭିତରେ ଅଣ ନିଃଶ୍ୱାସୀ ହୋଇପଡିଛି ବାଦଲ ମିଶ୍ର। ତାର ଏକମାତ୍ର ପରିଧ୍ୟେୟ ଛିଣ୍ଡା ପ୍ୟାଣ୍ଟ୍ ଓ ପେଚକରା ଫିକା ବାଦାମୀ ରଙ୍ଗର ସାର୍ଟଟିକୁ ବର୍ଷା ଜଳରୁ ଯଥା ସମ୍ଭବ ମୁକ୍ତ ରଖିବାକୁ ଚେଷ୍ଟାକରି ଅସଫଳ ହେଉଛି ସେ।
ମେଘାଚ୍ଛନ୍ନ ଆକାଶକୁ ଚାହିଁଲା ବାଦଲ। ମେଘଭରା ଗର୍ଭିଣୀ ଆକାଶଟା ଝୁଲିପଡ଼ିଛି ସମଗ୍ର ସହର ଉପରେ। ନିକଟ ଭବିଷ୍ୟତରେ ବର୍ଷା ଛାଡିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଜଣେ ଯାତ୍ରୀଙ୍କ ଠାରୁ ସମୟ ବୁଝିନେଲା। ଠିକ୍ ଏଇ ସମୟରେ ତା’ ଗାଁ ଗାଡି ଛାଡିବାର କଥା। ହୁଏତ ଏଭଳି ଭାରି ବର୍ଷା ଓ କୋହଲା ପାଗରୁ ଫୁରୁସତ୍ ପାଇ ବସ ଡ୍ରାଇଭର ତା’ ଭଡା ଘରେ ଶୋଇ ଶୋଇ ରେଜେଇ ଭିତରୁ ନିଜ ସ୍ତ୍ରୀ ଶରୀରରୁ ଉଷୁମ ଟାଣୁଥିବ ଏବେ। ଗ୍ୟାରେଜ ଭିତରେ ତା’ ଗାଁ ଗାଡ଼ିଟା ଅସହାୟଭାବେ କେବଳ ବର୍ଷାରେ ଭିଯୁଛି। ଦଲକାଏ ହେମାଳ ପବନ ପଶିଆସିଲା ରେଷ୍ଟ୍ ସେଡ ଭିତରକୁ। ଫଟା ସାର୍ଟ ଦେଇ ପଶି ଆସୁଥିବା ଶୀତଳ ପବନ ବାଦଲର ହୃତପିଣ୍ଡକୁ ଯେମିତି ବରଫ କରିଦେଲା କ୍ଷଣିକ ପାଇଁ।
ଲୋମମୂଳ ଗୁଡ଼ିକ ତାର ଟାଙ୍କୁରୀ ଉଠିଲା ଶୀତରେ। ପୁଣି ଯଥା ସମ୍ଭବ ଭଙ୍ଗା କାଠ ଚେୟାରଟା ଉପରେ ଜାକିଜୁକି ହୋଇ ବସି ବାହାରର ବାଦଲ ଭରା ଆକାଶକୁ ଚାହିଁଲା ସିଏ। ପୁଣି ଚାହିଁଲା ସେ ଦୂର ଦିଗବଳୟ ଆଡେ ଯେଉଁଠି ତାର ଭିଟାମାଟି, ଅନେକ ସ୍ମୃତି – ବିସ୍ମୃତିର ଗନ୍ତାଘର – ସୁଜନପୁର। ବର୍ଷାଝରା ଆକାଶ ପରି ଯେଉଁଠି ତା’ ବିଧବା ବୋଉର ଲୁହ ଡବ ଡବ ଆଖି ଦୁଇଟି ସଜଳ ହୋଇ ଉଠୁଥିବ ତାର ଫେରନ୍ତା ପଥକୁ ଚାହିଁ ଚାହିଁ: କରୁଣାକ୍ତ ହୋଇ ଉଠୁଥିବ ତାର ବିକଳ ପ୍ରତୀକ୍ଷାରେ।
ଆଜି ରାକ୍ଷୀ ପୂର୍ଣ୍ଣିମା। ବୋଉର ଅନିଚ୍ଛା ସତ୍ତ୍ଵେ ଘରୁ ଚାଲିଆସିଛି ସେ ଦୂର ସହରକୁ। ଘରକଥା ମନେ ପଡ଼ିଲା ବାଦଲ ମିଶ୍ରର , ମନେ ପଡ଼ିଲା ଅଲିଅଳି ଭଉଣୀ ବୈଶାଳୀର ଲୁହ ଭିଜା ଆଖି, ଆଶୁ ଦୁଃଖରେ ମୂହ୍ୟାମାଣ ଦୁଇଟି ଥରିଲା ଓଠର ନୀରବିତ ଭାଷା। କାନ୍ଥକୁ ଆଉଜି ସେ କେବଳ ଚାହିଁ ରହିଥିଲା ଭାଇର ମୁହଁକୁ।
ତା’ ମୁହଁରେ କିଛି ଭାଷା ନଥିଲା। କେବଳ ନିଷ୍ପାପ ନିରୁପାୟ ପକ୍ଷୀଟି ପରି ଯନ୍ତ୍ରଣାରେ ଫଡ ଫାଡ କରୁଥିଲା ତା’ ମନର ଡେଣାକୁ। ତା’ ବିଷର୍ଣ୍ଣ ମୁଖ ମଣ୍ଡଳରୁ କାରୁଣ୍ୟର ଛାପ ବେଶ୍ ବାରି ହୋଇ ପଡୁଥିଲା। ତା’ ଚାରିପଟର ନିଃସ୍ୱ ପୃଥିବୀକୁ ଥରେ ପରିକ୍ରମା କରି ମାନସିକ ଭାରାକ୍ରାନ୍ତ ଶରୀରଟାକୁ ନେଇ ଗୋଡ଼ ବଢ଼ାଇଲା ବାହାରକୁ।
ଭୈରବୀ ବର୍ଷାର ଅନ୍ତଃସ୍ରୋତ ଠେଲି ଭାସି ଆସୁଛି ଏକ ଜୀବନ୍ତ ସ୍ମୃତି। ନା… ନା… ସେ ସ୍ମୃତି ନୁହେଁ; ନିଚ୍ଛକ ବର୍ତ୍ତମାନଠାରୁ ଆହୁରି ସ୍ପଷ୍ଟ, ସ୍ନିଗ୍ଧ, ନିବିଡ ଓ ପରିଷ୍କାର।
ସକାଳୁ ଘର ଛାଡି ଆସିବା ବେଳେ ବୈଶାଳୀ ଅଭିମାନ କରି କହିଲା – ” ଏ ଭାଇ ମୋ’ ମୁହଁକୁ ଥରେ ଚାହଁ। ମୁଁ ପରା ତୁମର ଅଲିଅଳି ଭଉଣୀ। ଆଜି ରାକ୍ଷୀ ପୂର୍ଣ୍ଣିମା। ଏ ଭଳି ପବିତ୍ର ଦିନରେ ତୁମେ ଅବୁଝା ହୁଅନି। ଏମିତି ସକାଳୁ ସହର ଚାଲିଗଲେ ମୁଁ ଆଉ କା’ ହାତରେ ରାକ୍ଷୀ ସୂତା ବାନ୍ଧିବି”!
କ୍ଷଣିକ ପରେ କମ୍ପିତ କଣ୍ଠରେ ବାଦଲ କହିଲା – ମୋର ଏ ଅସହାୟତାକୁ ତୁ ବିଦ୍ରୁପ କରୁଛି ବୈଶାଳୀ। ଅନ୍ତତଃ ତୁ ଅଝଟ କରନା। ଅବୁଝା ବୋଉକୁ ବି ତୁ ବୁଝାଇ ଦେ। ସହରକୁ ଯିବାଟା ଆଜି ମୋର ନିହାତି ଦରକାର। ଯେମିତି ହେଉ ଦଶଟା ସୁଦ୍ଧା ସହରରେ ନ ପହଞ୍ଚିଲେ ମିଳିବାକୁ ଥିବା ଶେଷ ଚାକିରୀଟା ହାତଛଡ଼ା ହୋଇଯିବ। ଆମେ କି ପାପ କରିଥିଲେ କେଜାଣି, ଦୁନିଆର ସମସ୍ତ ଅଭାବ ଅସୁବିଧା, ଦୁଃଖ ଓ ଦୈନତାର ଖଞ୍ଜା ଆମ ଉପରେ ହିଁ ବହି ଯାଉଛି ଅବିଚଳିତ ଭାବେ। ସଂଜ ବସରେ ମୁଁ ନିଶ୍ଚୟ ଫେରି ଆସିବି। ସେତେବେଳେ ତୁ ମୋ’ ହାତରେ ରାକ୍ଷୀ ବାନ୍ଧି ଦେବୁ। ବାଦଲ ମିଶ୍ର ଆଉ କିଛି କହି ପାରିଲା ନାହିଁ। ଏକମୁହାଁ ହୋଇ ଦୌଡିଲା ବାସ ଷ୍ଟପ୍ ଆଡ଼କୁ। ବସ ଭିତରେ ଏକ ଶୂନ୍ୟ ସିଟରେ ନଥ କରି ବସି ପଡ଼ିଲା। କାଚ ଝରକା ଦେଇ ବାହାରକୁ ଚାହିଁ ଚାହିଁ ସ୍ଵଗତୋକ୍ତି କରି କହିଲା – ଏକ ନିଃସ୍ଵ ବର୍ତ୍ତମାନର ଅସହାୟତାକୁ ନେଇ ତୁମ ମାନଙ୍କ ଆଗରେ ମୁଣ୍ଡ ଟେକି ଛିଡ଼ା ହୋଇ ପାରୁନି ଜମା। ଯେମିତି ହେଲେ ମୋତେ ଆଜି ଚାକିରୀ ଖଣ୍ଡେ ଯୋଗାଡ଼ କରିବାକୁ ପଡ଼ିବ।
ଘଟଣାବହୁଳ ଅତୀତର ସ୍ମୃତି – ବିଜଡ଼ିତ ଦିନ ଗୁଡ଼ିକ ବାଦଲର ମାନସପଟ୍ଟରେ ଚଳଚ୍ଚିତ୍ର ଭଳି ନାଚି ଉଠୁଥିଲା ଅହରହ। ତା’ ବାପା ଥିଲେ ଜଣେ ପ୍ରାଥମିକ ବିଦ୍ୟାଳୟର ସ୍ୱଳ୍ପ ବେତନଭୋଗୀ ଶିକ୍ଷକ। ତଥାପି ଛୋଟ ପରିବାରକୁ ଯଥାସମ୍ଭବ ସୁରୁଖୁରୁରେ ଚଳାଇବାରେ କୌଣସି ପ୍ରକାରେ ଅସୁବିଧା ହେଉନଥିଲା। କିନ୍ତୁ ଯେଉଁ ଦିନୁ ତା’ ବାପା ବିଡ଼ି ଟାଣୁ ଟାଣୁ ଚିଲମ୍ ଭିତରେ ଗଞ୍ଜେଇ ପୁରାଇ ଟାଣିବାରେ ଅଭ୍ୟସ୍ତ ହୋଇପଡିଲେ ସେଇ ଦିନଠାରୁ ଦୁନିଆ ଯାକର ଦୁଃଖ ତାଙ୍କ ଉପରେ ଅଜାଡି ହୋଇ ପଡ଼ିଲା। ଧୀରେ ଧୀରେ ଘରର ଅଭାବ ଅସୁବିଧା ବଢ଼ିଗଲା। କ୍ରମଶଃ ତା’ ବାପା ସେଇ ଉତ୍କଟ ଧୂମପାନ ସହ ଏମିତି ଅଭ୍ୟସ୍ତ ହୋଇ ପଡିଲେ ଯେ ଅଳ୍ପ ଦିନ ଭିତରେ ତାଙ୍କର କୋମଳ ଫୁସଫୁସକୁ କୋରି କୋରି ରାଜଯକ୍ଷ୍ମାର ଜୀବାଣୁସବୁ ଖୁସିରେ ଖାଇବାକୁ ଲାଗିଲି। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ବାପାଙ୍କ ପାଟିରୁ ଯେଉଁ ଦିନ ଦଲକାଏ ତାଜା ରକ୍ତ ବାହାରି ଆସିଲା ସେ ଦିନ ଡାକ୍ତରଙ୍କ ପରାମର୍ଶ ନିଆଗଲା। ଡାକ୍ତରଙ୍କ ମୁହଁରୁ ବାପାଙ୍କ ସାଙ୍ଘାତିକ ରୋଗଟା ଶେଷ ପଯ୍ୟାୟରେ ପହଞ୍ଚି ଥିବା କଥା ଶୁଣି ମଧ୍ୟ ତା’ ପତିପ୍ରାଣଗତା ବୋଉ ଘରର ସମସ୍ତ ଆସବାବପତ୍ର ବିନିମୟରେ ବାପାଙ୍କ ସ୍ୱାସ୍ଥ୍ୟର ଆଶୁ ଉପଶମ ପାଇଁ ନିଷ୍ଫଳ ପ୍ରୟାସ କରି ସବୁ ବିକ୍ରି କରିଦେଲେ। କିନ୍ତୁ ହସ୍ପିଟାଲ ବେଡ଼ରେ ତା’ ବାପା ବଞ୍ଚିବା ପାଇଁ ସଂଗ୍ରାମ କରି ମଧ୍ୟ ଶେଷରେ ହାରିଗଲେ। ବୋଉ ତାର ଅକାଳରେ ବିଧବା ହୋଇଗଲା। ସେମାନେ ହୋଇଗଲେ ବାପଛେଉଣ୍ଡ, ଅନାଥ ଓ ନିଃସ୍ୱ। ଏ ଦେଶରେ ଅନେକ ବୁଭୁକ୍ଷୁ ଜନତା ଭିତରେ ନିଜକୁ ଜଣେ କରି ସାମିଲ ହୋଇଗଲେ। ଅସହାୟ ବିଧବା ସ୍ତ୍ରୀ ଆଉ ଚପଳାମତି ସନ୍ତାନ ଦୁଇଟିକୁ ଛାଡି ତା’ ବାପା ଚାଲିଗଲେ ଆର ପାରିକୁ।
ଶୈଶବରୁ ବାଦଲ ଥିଲା ମେଧାବୀ। ଛାତ୍ରବୃତ୍ତି ପାଇ କଷ୍ଟ ମଷ୍ଟେ ଗ୍ରାଡୁଏସନ ଯାଏ ପାଠ ପଢା ଶେଷ କରିଛି। ପ୍ରତି ଶ୍ରେଣୀରେ ପ୍ରଥମ ସ୍ଥାନ ରଖି ବେଶ ସୁନାମ ଅର୍ଜନ କରି ପାରିଥିଲା ସେ। ତଥାପି ଏ ଭିତରେ ପାଞ୍ଚ ବର୍ଷ ପୁରା ବେକାର ହୋଇ ବୁଲୁଛି କିନ୍ତୁ ନିଜ ପାଇଁ ଚାକିରୀ ଖଣ୍ଡେ ଯୋଗାଡ଼ କରି ପାରିନି ନିଜ ପାଇଁ।
ବାଦଲର ଚକ୍ଷୁ ଦୁଇଟା କେମିତି ବର୍ଷାଭିଜା ମାଟିପରି ଆଦ୍ର ହୋଇ ଆସିଲା। ଆଜି ତା’ ସାର୍ଟିଫିକେଟରେ ବୟସର ଶେଷ ସୀମା ସ୍ପର୍ଶ କରୁଛି। କାଲିଠୁ ହୁଏତ ଏ ଦେଶର ଚଳନ୍ତି, ଅଥର୍ବ, ଅପାଙ୍କ୍ତେୟ ନାଗରିକ ଟିଏ ପାଲଟିଯିବ ସିଏ।
ସାର୍ଟ ପ୍ୟାକେଟ ଭିତରେ ହାତ ପୁରାଇଲା ବାଦଲ। ରେଜା ପଇସା ସବୁକୁ ଭଲକରି ଥରେ ଗଣିନେଲା। ମାତ୍ର ଦୁଇ ଟଙ୍କା ପଚାଶ ପଇସା। ବଡ଼ ଅସହାୟ ଭାବେ ସଯତ୍ନରେ ସବୁ ପଇସା ପୁଣି ଭର୍ତ୍ତି କରିଦେଲା ତା’ ସାର୍ଟ ପ୍ୟାକେଟରେ। ଗାଡି ଟିକେଟ କରି ଘରେ ପହଞ୍ଚିବାକୁ ଏତିକି ପଇସା ଯଥେଷ୍ଟ। ଚା’ କପେ ପିଇ ଦେହକୁ ଉଷୁମ କରିବାକୁ ଆଉ ଅଧିକ ପଚାଶ ପଇସା ମଧ୍ୟ ତା’ ପାଖରେ ନାହିଁ।
ଏମିତି ଏକ ବର୍ଷଣ – ମୁଖର ଶୀତଳ ସନ୍ଧ୍ୟାରେ କପେ ଚା’ ପିଇବାକୁ ତାର ପ୍ରବଳ ଇଚ୍ଛା ହେଲା। ଟିକେଟ ପଇସାରୁ ପଚାଶ ପଇସା ଦେଇ ଚା’ କପ୍ ପିଇବକି? ତା ହେଲେ ସେ ଘରକୁ ଫେରିବା କେମିତି?? ହଁ, କଣ୍ଡକ୍ଟରକୁ ଅଧା ପଇସା ଦେଇ ଷ୍ଟୁଡେଣ୍ଟ୍ କନ୍ସେକ୍ସନ୍ ପାଇଁ ଦାବି କରିବ। କଣ୍ଡକ୍ଟର ମାନାକଲେ ତା’ ସହିତ ଝଗଡା କରିବା ଯେମିତି କଲେଜ୍ ପଢୁଆ ପିଲାମାନେ କଣ୍ଡକ୍ଟରକୁ ଧସ୍ତାଧସ୍ତି କରନ୍ତି ସେମିତି କରିବ ସିଏ। କିନ୍ତୁ ପରକ୍ଷଣରେ ତା’ ବିବେକ ତାକୁ ବାଧାଦେଲା। ଗାଆଁ ଗାଡ଼ିରେ ବସିଥିବା ଚିହ୍ନା ପରିଚିତ ଲୋକ ମାନେ ହସିବେ, ଭାବିବେ ବେକାର ହୋଇ ବାଦଲ ମିଶ୍ରଟା ପାଗଳ ହୋଇଗଲାଣି।
ଝରଝର ହୋଇ ବାଦଲ ଆଖିରୁ ଝାରିଗଲା କେଇ ବିନ୍ଦୁ ଅଶ୍ରୁ। ନା… ନା… ବାଦଲ ମିଶ୍ର କେବେ ପାଗଳ ହୋଇ ନପାରେ!
ତଥାପି ସେ ଟି – ଷ୍ଟଲ ଆଡ଼କୁ ଗଲା। ଯଦି କୌଣସି ପରିଚିତ ବନ୍ଧୁଙ୍କ ସହ ଦେଖା ହୋଇ ଯାଏ ହୁଏତ କିଏ କଥାବାର୍ତ୍ତା ଭିତରେ ଚା’ କପ୍ ଆପ୍ୟାୟିତ କରି ପାରନ୍ତି। କିଛି ପାଦ ଆଗେଇଛି କି ନାହିଁ ଭୂତ ଦେଖିବା ଭଳି ଚମକି ଉଠିଲା ବାଦଲ। ସ୍ତବ୍ଧ ହୋଇ କିଛି ସମୟ ଛିଡ଼ା ହୋଇ ରହିଲା କିଛି କ୍ଷଣ ପାଇଁ। ଏଇ ଯେ ଅବିନାଶ ଚୌଧୁରୀ ସ୍ତ୍ରୀ ମାଳବିକା ସହିତ ଚା’ ପିଉଛି ଟି – ଷ୍ଟଲରେ। ଦୁହେଁ ଥିଲେ ତା’ କଲେଜ ଜୀବନର ସହପାଠୀ। ଅବିନାଶ ଜଣେ କୃତୀ ଛାତ୍ର ନଥିଲା। କପି କରି ନଚେତ ଉତ୍ତର ଖାତା ଧରା ଧରି କରି ଯେମିତି ହେଲେ ପାସ୍ ହୋଇ ଯାଉଥିଲା। ପାଠପଢା ପରିବର୍ତ୍ତେ କଲେଜ୍ ନିର୍ବାଚନରେ ମାତିବା, ସୁନ୍ଦରୀ ଝିଅ ମାନଙ୍କୁ କମେଣ୍ଟ ମାରିବା ଥିଲା ତାର ପ୍ରଧାନ ହବି। ଏଇ ମାଳବିକା ଦିନେ ତା’ ପାଦ ଯୋତାରେ ଅବିନାଶକୁ ଆଘାତ କରିଥିଲା। ଅଥଚ ସେଇ ମାଳବିକା ଆଜି ଆବିନାଶକୁ ଭଲ ପାଇ ବାହା ହୋଇଛି, ଅବିନାଶର ସ୍ତ୍ରୀ ଭୂମିକାରେ ବେଶ୍ ଅଭିନୟ କରି ହସ ଖୁସିରେ ତା’ ସହିତ ଚା ପିଉଛି।
ଅବିନାଶ ଧନୀ ଘରର ସନ୍ତାନ। ବାପା ତାର ଏ ସହରର ଏମ. ଏଲ.ଏ। ଜୀବନକୁ ଉପଭୋଗ କରିବାରେ ତାର ପ୍ରାଚୁର୍ଯ୍ୟର ଅଭାବ ନାହିଁ। ଏ ଯୁଗରେ ଦରିଦ୍ର ଘରେ ଜନ୍ମ ହେବା ଗୋଟେ ବଡ଼ ଅଭିଶ୍ୟାପ। ପଶୁକୂଳରେ ଜନ୍ମ ହୋଇ ଅଇଁଠା ପତ୍ର ଚାଟିଚାଟି ଜୀବନ ବିତେଇବାରେ କୌଣସି ନିର୍ବୋଧତା ନାହିଁ କିନ୍ତୁ ଜଣେ ଦରିଦ୍ର, ଦୁଃଖି, ବୁଭୁକ୍ଷୁ ଘରେ ଜନ୍ମ ହୋଇ ଅହରହ ଯନ୍ତ୍ରଣାଦଗ୍ଧ ଜୀବନ ବିତାଇବା ଶତ ପଶୁ ଜନ୍ମ ଠାରୁ ବଳି ଆହୁରି ଭୟଙ୍କର, ଅସହଣୀୟ। ଦିନେ ଏଇ ଅବିନାଶ ତାକୁ ଚ୍ୟାଲେଞ୍ଜ କରିକହିଥିଲା – ” ଏ ବାଦଲ, ତୁ ଏତେ ଭଲ ପାଠ ପଢ଼ି କଣ କରିବୁ? ଏ ଯୁଗରେ ଘରର ଆଭିଜାତ୍ୟର ଓ ପ୍ରତି ପତ୍ତି ହିଁ ଜୀବନର ମାନଦଣ୍ଡ। ବ୍ୟାକିଙ୍ଗ ନଥିଲେ ଜୀବନରେ ଉନ୍ନତି ଅସମ୍ଭବ। ଦେଖିବୁ ରହ, ତୁ ଯେମିତି ସେମିତି ବେକାର ହୋଇ ରହି ଥିବୁ ମୁଁ କିନ୍ତୁ ଭାରତ କିମ୍ବା ଓଡ଼ିଶା ପ୍ରଶାସନିକ ସେବା ସଂସ୍ଥାରେ ପଦସ୍ଥ ଅଫିସର ଟିଏ ହୋଇ ଏ ସହରକୁ ଆସିବି ଦିନେ।
ଏବେତ ସରଂକ୍ଷଣ ଯୁଗ, କୋଟା ସମସ୍ୟା। ଆଦିବାସୀ, ହରିଜନ, ଶାରିରୀକ ବିକଳାଙ୍ଗ ଓ ମହିଳା କୋଟା ସବୁବେଳେ ବଢିବା ଏକ ସାଧାରଣ କଥା। ତା ସହିତ ମନ୍ତ୍ରୀ କୋଟା, ଏମ. ଏଲ.ଏ କୋଟା, ଅଫିସର କୋଟା ଭଳି ଗୁପ୍ତ କୋଟା ବ୍ୟବସ୍ଥା ମଧ୍ୟ ଏ ଦେଶରେ ପ୍ରଚଳିତ। ତୋ ପାଇଁ କେଉଁ କୋଟା ଅଛି? ଗୋଟିଏ ସର୍ବସାଧାରଣ ସବର୍ଣ୍ଣ କୋଟାଧାରୀ ବ୍ୟକ୍ତି ତୁ। ତୁମ ମାନଂକ ପାଇଁ ବେକାରୀ କୋଟା ବେଶ୍ ଆଦୃତ।
ସେଦିନ ଆଉ ଅବିନାଶକୁ କିଛି କହି ପାରିନଥିଲା ବାଦଲ। ଗୋଟାଏ ଗଭୀର କ୍ଷୋଭ ଆଉ ଅସହ୍ୟ ଯନ୍ତ୍ରଣା କ୍ରମଶଃ ତାର ସମଗ୍ର ଶରୀରକୁ ସଂଚାରି ଯାଉଥିଲା। ସତକୁ ସତ ଅବିନାଶ ଚୌଧୁରୀ ଏ ସହରର ଉପଜିଲ୍ଲାପାଳ। ଜିଦକରି ସେ ମାଳବିକା ରାୟକୁ ବାହା ହୋଇଛି। ବାଦଲ ମିଶ୍ର ପାଦ ଆଉ ଆଗକୁ ବଢାଇ ପାରିଲା ନାହିଁ। ତା’ ପାଦ ତଳେ ଭୂସ୍ଖଳନ ହେବାର ଅନୁଭବ କଲା ସେ। ସେ ଅନୁଭବ କଲା ତା’ ପାଦ ଦୁଇଟିକୁ କିଏ ଖୁବ୍ ଯୋରରେ ପଛରୁ ଜାବୁଡ଼ି ଧରିଛି। ଅବିନାଶ ତାକୁ ଦେଖିଲେ ହୁଏତ ବିଦ୍ରୁପ କରିବ। ତାଚ୍ଛଲ୍ୟ କରି କହିବ – ” ମୋ’ ଅଫିସରେ ଚପରାଶି ପୋଷ୍ଟ ଖାଲି ଅଛି ରହିବୁ ବାଦଲ? ” ଯେଉଁ ଅବିନାଶ ଦିନେ ବାଦଳର ପ୍ରଚଣ୍ଡ ପ୍ରତିଭା ତଳେ ମୁଣ୍ଡ ନୁଆଉଥିଲା ସେଇ ବାଦଲ କେବେବି ଅବିନାଶ ଚୌଧୁରୀର ପାଦତଳର ଭୃତ୍ୟ ହୋଇ ନପାରେ।
ପୁଣି ବାଦଲ ଫେରି ଆସିଲା ବସ ଷ୍ଟପକୁ। ଥକ୍କାମାରି ବସିଲା ସେଇ ଭଙ୍ଗା କାଠ ଚେୟାର ଉପରେ।
ତା’ ସାର୍ଟିଫିକଟରେ ବୟସ ଶେଷ ସୀମା ଅତିକ୍ରମ କରିବା ଆଜି। ତାପରେ ବାଦକ ମିଶ୍ର ପାଲଟିଯିବ ସମ୍ପୂର୍ଣ୍ଣ ବେକାର। ସେ ଆଜି ସହରକୁ ଆସିଥିଲା ଜଣେ ବେସରକାରୀ ସ୍କୁଲ ସେକ୍ରେଟାରୀଙ୍କ ସହ ସାକ୍ଷାତକାର ପାଇଁ। ତାଙ୍କ ନବନିର୍ମିତ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ପଦ ପାଇଁ ଆବେଦନ କରିଥିଲା ସେ। କିନ୍ତୁ ସେକ୍ରେଟାରୀ ମହୋଦୟ କଥା ପ୍ରସଙ୍ଗରେ କହିଲେ – ଏଇଟା ତ ନବ ନିର୍ମିତ ବିଦ୍ୟାଳୟ ତୁମର ଉଜ୍ବଳ ଭବିଷ୍ୟତ ଆଉ ବିଦ୍ୟାଳୟର ଆଶୁ ଉନ୍ନତି ପାଇଁ ପଚାଶ ହଜାର ଟଙ୍କା ଦୁଇ ଦିନ ଭିତରେ ସ୍କୁଲକୁ ଦାନ ସ୍ୱରୂପ ଦେବାକୁ ପଡ଼ିବ ନଚେତ ପୋଷ୍ଟ ଟା ଅନ୍ୟ ଜଣକୁ ଦେବାକୁ ବାଧ୍ୟ ହେବୁ।
ଏବେ ଓଡ଼ିଶାରେ ଛତୁ ଫୁଟିଲା ଭଳି ଶିକ୍ଷାନୁଷ୍ଠାନ ସବୁ ଗଢି ଉଠୁଛି। ଯେଉଁଠି ଆବେଦନକାରୀ ଶିକ୍ଷକର କୃତିତ୍ତ୍ଵ ଓ ସାର୍ଟିଫିକେଟର ମୂଲ୍ୟକୁ ତୁଚ୍ଛ ମନେକରି ତାର ସର୍ବାଧିକ ଦାନର ପରିମାଣକୁ ଅଗ୍ରାଧିକାର ଦିଆଯାଇଛି। ଯିଏ ଯେତେ ଅର୍ଥ ଦାନ ସ୍ୱରୂପ ଦେଲା, ସେଇ ପଦବୀଟା ତା’ ପାଇଁ ସେତିକି ସୁରକ୍ଷିତ ହୋଇ ପାରୁଛି। ଜଣେ ଚପରାଶି ପଦ ପାଇଁ କୋଡ଼ିଏ ହଜାର ଟଙ୍କା ହାତଗୁଞ୍ଜା ଦେଲେ ବିସ୍ମୟ ହେବାର କିଛି ନାହିଁ।
ବାଦଲ ମିଶ୍ର ପାଦ ତଳର ମାଟି ଯେମିତି ତଳକୁ ତଳକୁ ଦବିଗଲା। ତଳେ ପଡୁ ପଡୁ ଯଥାସମ୍ଭବ ନିଜକୁ ସମ୍ଭାଲିନେଲା ସେ ଏବଂ ବିନା ବକ୍ତବ୍ୟରେ ସେଠାରୁ ଫେରି ଆସିଲା ବସ୍ ଷ୍ଟାଣ୍ଡକୁ ଯେଉଁଠି ସେତେବେଳୁ ସେ ଏମିତି ବିଶର୍ଣ୍ଣ ଭାବେ ବସିଛି।
ଏଇ ହିପୋକ୍ରାଟ ଦୁନିଆରେ ସବୁଠି ପ୍ରତାରଣା ଆଉ ପ୍ରବଞ୍ଚନା। ଜଣେ ନିରାଶ୍ରୟ ବ୍ୟକ୍ତିକୁ ସାହାଯ୍ୟ କରିବାରେ ସମସ୍ତେ କଞ୍ଜୁଷ। ଆସାହାୟା ଦ୍ରୌପଦୀର ଉଲଗ୍ନ ଶରୀର ଦୃଶାବଲୋକନ ପାଇଁ ସମସ୍ତେ ଉଦଗ୍ରୀବ। ଅନ୍ଧକୁ ରାସ୍ତା ଦେଖାଇବା ପରିବର୍ତ୍ତେ ଚଳନ୍ତା ରେଳ ଆଗକୁ ଠେଲି ଦେବାପାଇଁ ସମସ୍ତେ ତତ୍ପର। ଏଭଳି ଏକ ପ୍ରତାରିତ ସମାଜରେ ବାଦଲ ମିଶ୍ରର ସ୍ଥାନ କେଉଁଠି?
ବାଦଲ ମିଶ୍ର ଆଖିରୁ ଲୁହ ପୋଛିଲା। ଅଭିମାନର ଅଶ୍ରୁ। ଗଭୀର ଏକ ନିଃଶ୍ୱାସ ଛାଡ଼ି ଚାହିଁଲା ସେଇ ଦୂର ଡିଗବଳୟ ଆଡେ ଯେଉଁଠି ତା’ ଗାଆଁ ମିଶି ଯାଇଛି ଏକାକାର ହୋଇ। ସେଇଠି ତା’ ବୋଉ ଉପବାସରେ ଚାହିଁ ବସିଥିବ ତାର ଫେରନ୍ତା ପଥକୁ। ବୈଶାଳୀ ରାକ୍ଷୀ ସୂତା ଧରି ଦାଣ୍ଡ ଦୁଆରେ ଚାହିଁ ବସିଥିବା ନିରବରେ। କେମିତି ଶୂନ୍ୟ ହାତରେ ଘରକୁ ଫେରିବ ବାଦଲ! ବୈଶାଳୀର ଛିଣ୍ଡା ଶାଢ଼ୀକୁ ଦେଖିଲେ ତା’ ଦେହଟାକୁ ଚାହିଁ ହେବନି। ବାଦଲ ମିଶ୍ର ଆଉ କିଛି ଭାବି ପାରିଲା ନାହିଁ। ରେଷ୍ଟ ସେଡରୁ ଗୋଡ଼ କାଢି ରାସ୍ତା ଉପରେ ପାଦଦେଲା ଅସହାୟ ଭାବେ।
ଗୋଟିଏ ତେଜରାତି ଦୋକାନରେ ତାର ସମସ୍ତ ସାର୍ଟିଫିକେଟ ଆଉ କେତେ ଖଣ୍ଡ ସାଧାରଣ ଜ୍ଞାନ ପୁସ୍ତକକୁ ବିକ୍ରୀ କରିଦେଲା ମାତ୍ର ପଚାଶ ପଇସାରେ। ଟି – ଷ୍ଟଲରୁ ଗୋଟିଏ କପ୍ ଗରମ ଚା’ ଗଳାଧଃକରଣ କଲାପରେ ଏକ ମୁହାଁ ହୋଇ ଦୌଡିଲା ପ୍ଲାଟଫାର୍ମ ଆଡ଼କୁ।
ବାଦଲ ମିଶ୍ର ବେଶ୍ ଖୁସୀ ଜାଣା ପଡୁଥିଲା; ବେଶ୍ ଫୁର୍ତ୍ତି ଜଣା ପଡୁଥିଲା। ଆଜିଠୁ ସେ ସମ୍ପୂର୍ଣ୍ଣ ବେକାର ହୋଇଗଲା। ହୁଏତ ଆଜିଠୁ ଆଉ ଚାକିରୀ ଖୋଜିବାରେ କଷ୍ଟ ସ୍ଵୀକାର କରିବାକୁ ପାରିବନି ତାକୁ।
ବାଦଲ ମିଶ୍ର ଦୋଉଦୁଥିଲା ରାଜା ରାସ୍ତା ଉପରେ ….
ଚିହ୍ନା ପରିଚିତ ଲୋକେ ଭାବିଲେ – ବାଦଲ ମିଶ୍ର ପାଗଳ ହୋଇଗଲା। ବିଚରା ଆଉ କେତେ ଦିନ ଏମିତି ବେକାର ହୋଇ ବୁଲାନ୍ତା!
ବାଦଲ ମିଶ୍ର କିନ୍ତୁ ବୁଝି ପାରୁନଥିଲା ବେକାରର ସଂଜ୍ଞା କଣ? ସବୁ ବେକାର କଣ ଜଣେ ଜଣେ ବଦ୍ଧ ପାଗଳ! ସେ କଣ୍ଠ ଫଟାଇ ଚିତ୍କାର କରି କହିବାକୁ ଚାହୁଁଥିଲା – ମୁଁ ଏବେ ଆଉ ବେକାର ନୁହେଁ ଯେହେତୁ ଶିକ୍ଷିତ ଥିବାର କୌଣସି ପ୍ରମାଣ ମୋ’ ପାଖରେ ନାହିଁ।
ବର୍ଷା ସେତେବେଳକୁ ପୁଣି ଗର୍ଜ୍ଜୁଥିଲା କ୍ଷୁଧିତ ଶାର୍ଦୂଳ ଭଳି। ମାଲବାହୀ ରେଳର ଯାନ୍ତ୍ରିକ ଶବ୍ଦ ବାଦଲ ମିଶ୍ର କାନରେ ବାଜୁ ଥିଲା କି ନାହିଁ କେଜାଣି ତଥାପି ସେ ରେଳ ଧାରଣା ଉପରେ ଦୌଡ଼ି ଦୌଡ଼ି ଉଚ୍ଚ ସ୍ବରରେ କହୁଥିଲା – ନା.. ବୈଶାଳୀ, ଏ ବେକାର ଭାଇ ହାତରେ ତୁ ଆଉ ରାକ୍ଷୀ ବାନ୍ଧି ପାରିବୁ ନାହିଁ। ସେ ଆଜିଠୁ ସମ୍ପୂର୍ଣ୍ଣ ବେକାର ….।
ବର୍ଷାରାତ୍ରିର ଅନ୍ଧକାରକୁ ଭେଦକରି ଚଳନ୍ତା ମାଲ ବାହୀ ଟ୍ରେନ ଯେତେ ନିକଟତର ହୋଇ ଆସୁଥିଲା ବାଦଲ ମିଶ୍ରର କଣ୍ଠସ୍ୱର ସେତିକି ଅସ୍ପଷ୍ଟ ହୋଇ ଆସୁଥିଲା ……।
1,458 total views, 1 views today
An impressive share! I’ve just forwarded this onto a co-worker who has been undertaking a little bit research on this. And he in actual fact requested me evening meal for the reason that I identified it for him… lol. So enable me to reword this…. Thanks to the food!! But yeah, thanx for spending time for you to mention this subject here on your World wide web web page.
Really very good internet site, many thanks a lot for that write-up
It’s exceptional designed for me to have a web site, which is effective created for my experience. many thanks admin