ନିଷିଦ୍ଧାଜ୍ଞା

 

କ’ଣ ଭୁଲ ଶୁଣିଥିଲି ଯେ,
ଧନଧାନ୍ୟରେ ଭରା
ଏଠି କିଛି ବି ଦୁଷ୍ପ୍ରାପ୍ୟ ନୁହେଁ
କିଛି ଦୁର୍ଗମ ନୁହେଁ
ଅପହଞ୍ଚ ନୁହେଁ କେଉଁ ପ୍ରେମ!

ଯୁଆଡେ ଗଲେ ,କେହି ନା କେହି
ସାଉଁଳେଇ ଦିଏ ପିଠି
ଯୁଆଡେ ଚାହିଁଲେ ,
ହସୁଥିବା ଓଠ ମାନେ
ଚାହୁଁ ଥାନ୍ତି ସରାଗରେ,
କୋଳେଇ ନିଅନ୍ତି,କୁଣ୍ଢେଇ ପକାନ୍ତି,
ଦୁଃଖ ସୁଖକୁ,ଲୁହ ଲହୁକୁ
ତୋଳି ପକାନ୍ତି ଆଞ୍ଜୁଳା ଆଞ୍ଜୁଳା।

ଏକଲା ପଣକୁ ଆଙ୍କିଦେଇ
ଅୟୁତ ଚୁମ୍ବନ ଜଣେଇ ଦିଅନ୍ତି ଯେ
ତୁ ଜମା ଏକା ନୁହଁ,
ଏକା ନୁହଁ।

କେହି କୃପାଣ ହସ୍ତେ
ଆଖେଇ ନଥାଏ କାଟିବାକୁ
କେଉଁ କୋମଳମତୀର ଗ୍ରୀବା
ଏଠି ସବୁ ଖୋଲା ମେଲା
ପାଣି ପରି ପବନ ପରି!

ଏଗାର ବାଜିଛି ବୋଲି
ଶୋଇ ଯିବାକୁ କହିଥିଲା ନୃସିଂହ ଯେ
ଚାହୁଁ ଚାହୁଁ ବାଆର
ନିଦ ନିଖୋଜ, ନୃସିଂହ ବି।

ପାଣି କିଣା ବିକା,ପବନ
କିଣିବାକୁ ବି ମିଳେନା ଜୀଇଁ ଯିବାକୁ ଦଣ୍ଡେ,ପ୍ରେମ କଥା ପଚାରୁଛୁ!

ମିଛ ତ ଶୁଣି ନ ଥିବି ଜମା
ସତ ସତିକା ସୁଖ ଯାହାକୁ ଯେତେ,
ନିଷେଧାଜ୍ଞାକୁ ନିଘା ରଖିବୁ ତ
ଭୋକ ଶୋଷରେ ଥା
ମରୁଥା ପାଣି ବିନା, ପବନ ବିନା।

ପ୍ରେମ ପାଇଁ ତ ପାରି ହେବାକୁ ପଡ଼େ
ସାତ ସମୁଦ୍ର ତେର ନଈ
ହାଡ଼ ମାଳ, ଶବ ସରୀସୃପଙ୍କୁ
ପଚାରେ କିଏ ବିଲ୍ବମଙ୍ଗଳ
କିଏ ଖାତିର କରେ
ଅନ୍ଧାରକୁ, ଅନ୍ଧତ୍ବକୁ!

ଏତେ ଆଲୁଅ ନାହିଁ ସୁର୍ ଦାସ୍
ଯାହା ଚର୍ମ ଚକ୍ଷୁର ଅନ୍ଧପଣକୁ
ଝଲସେଇ ଦେଖେଇ ଦେବ
ଦିବ୍ୟ ସୁଖକୁ।

ଅନ୍ଧାରର ବାଡ଼ ଡେଇଁବାକୁତ ହବ
ଫାଙ୍କିବାକୁ ତ ହେବ ନିଷେଦ୍ଧାଜ୍ଞାକୁ,
କିଛି ବି ଦୁର୍ଗମ ନୁହେଁ
କିଛି ବି ଦୁଷ୍ପ୍ରାପ୍ୟ ନୁହେଁ।
ଧନ ଧାନ୍ୟରେ ଭରା
ମାତାଲ୍ ସୁଖ
ପ୍ରେମ ତ ଖୋଲା ମେଲା
ଯାହାକୁ ଯେତେ।
————————
ଅନ୍ଦୁଳି
କେନ୍ଦ୍ରାପଡ଼ା
ମୋ-୯୪୩୮୧୪୦୯୯୯
——————-——-

 248 total views,  1 views today

Leave a Reply

Your email address will not be published. Required fields are marked *