ଲକ୍ଷ୍ୟ ପଥ
ବନଲତା ଜାଲି
ଲକ୍ଷ୍ୟ ପଥ ଦିଏ ଧ୍ରୁବ ତାରା ଭଳି
ସଠିକ୍ ଦିଗ ଠିକଣା
ଉତ୍ସାହ,ଉଦ୍ଯମ,ଉଦ୍ଦୀପନା ନେଇ
କାର୍ଯ୍ୟ କରେ ସମ୍ପାଦନା ।।
ନିର୍ଦ୍ଧାରିତ କର୍ମ ସଫଳତା ପାଇଁ
ଏକାଗ୍ରତା ଭରି ମନେ
ନିଷ୍ଠା,ପରିଶ୍ରମ,ଉଦ୍ ଯୋଗ ବଳରେ
ପହଞ୍ଚଇ ସେହି ସ୍ଥାନେ ।।
ବାଞ୍ଛିତ କାମନା ମହତ ହୋଇଲେ
ସେ ପଥ ହୁଏ ସୁଗମ
ସବୁ ବାଧାବିଘ୍ନ ଲାଗେ ଫୁଲ ସମ
ମନକୁ ମିଳେ ଆରାମ ।।
ସତ୍ କର୍ମ ବଳେ ପହଞ୍ଚିଲେ ସେଠି
ମିଳଇ ପରମ ତୃପ୍ତି
ଅସତ୍ ମାର୍ଗରେ ମିଳେନି ଆନନ୍ଦ
ମନେ ରହିଯାଏ ଭ୍ରାନ୍ତି ।।
ବାଟୋଇର ସୀମା ଲକ୍ଷ୍ୟ ସନ୍ଧାନରେ
ଟାଣେ ସେ ଚୁମ୍ବକ ପରି
ଦୁର୍ଗମ ପାହାଡ,ସାତ ଦରିଆକୁ
ଲଙ୍ଘେ କିଛି ନ ବିଚାରି ।।
ଇପ୍ସିତ ଲକ୍ଷ୍ୟକୁ ପ୍ରାପ୍ତ କଲାପରେ
ମିଳଇ ନୂଆ ଦୃଷ୍ଟାନ୍ତ
ଜୀବନର ଲକ୍ଷ୍ୟ ବିନ୍ ଭିନ୍ନ ରୂପେ
ଧିରେ ହୁଏ ଅତିକ୍ରାନ୍ତ ।।
ଲକ୍ଷ୍ୟ ପଥ ହେଲେ ଆଦର୍ଶେ ମଣ୍ଡିତ
ମିଳଇ ଗୌରବ,ଯଶ
ଲକ୍ଷ୍ୟ ପାଇଁ କଲେ ଅଧର୍ମକୁ ସାଥୀ
ବିଶ୍ବାସରେ ଭରେ ବିଷ ।।
ସମାଜ ମଙ୍ଗଳେ ସତ୍ ଉପାୟରେ
ଲକ୍ଷ୍ୟକୁ କଲେ ପୂରଣ
ଯୁଇ ଯୁଗ ଧରି ସବୁରି ମନରେ
ହୋଇବ ଉଦାହରଣ ।।
ଲକ୍ଷ୍ୟ ପଥ ହେଲେ ଶ୍ରେଷ୍ଠତ୍ୱର ଅଂଶ
ଧର୍ମ,ସତ୍ୟ,ନ୍ଯାୟ ଭାବ
ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଣ
ପ୍ରେରଣାକୁ ଯୋଗାଇବ ।।
ଲକ୍ଷ୍ୟ ହୀନ ପଥ ହୁଅଇ ଅଗମ୍ଯ
ପଥହୁଡା ହୁଏ ଧ୍ଯାନ
ଲକ୍ଷ୍ୟ କେନ୍ଦ୍ରୀଭୂତେ ମୀନ ନୟନକୁ
ବିଦ୍ଧ କରିଲେ ଅର୍ଜୁନ ।।
ବନଲତା ଜାଲି