ଭାବ ଠାକୁର
ଭାବ ଠାକୁର ହେ ମୋ ଭାବ ଠାକୁର
ଭାବେ ପରା ତୁମେ ଥାଅ ଅଭାବେ ଦୂର
ଭକ୍ତଠି ଅଛିଣ୍ଡା ତୁମ ଏ ଭାବ ଡୋର ।
ସିଏ ହଜଇ ଭାବରେ ତାହାର ସୁଖଦୁଃଖରେ
ତୁମେ ତା’ର ବନ୍ଧୁ ସଖା ଭାବେ ଏକାନ୍ତ ଭାବରେ
ସମ୍ପର୍କ ତା’ଠାରେ ପରା ଅତି ମଧୁର ।
ଭାବ ଠାକୁର——–
ଭାବେ ଧ୍ରୁବ ଧ୍ରୁବ ପଦ ଭାବେ ଭକ୍ତ ପ୍ରହଲ୍ଲାଦ
ବାଳକ ହୋଇ ବି ଜିତି ପାରିଥିଲେ ତୁମ ହୃଦ
ଭାବ ପାଇଁ ଲୋଡ଼ା ନାହିଁ ଏ ବୟସର ।
ଭାବ ଠାକୁର——–
ଭକ୍ତ ଦାସିଆ ଶ୍ରୀଫଳ ବ୍ରାହ୍ମଣ ହସ୍ତରୁ ନେଲ
ବନ୍ଧୁ ମହାନ୍ତିକୁ ଅନ୍ନ ସୁନାଥାଳିଟିରେ ଦେଲ
ଆତୁରେ କ୍ଷୁଧା ପୂରଣେ ତା’ ପରିବାର ।
ଭାବ ଠାକୁର———
ଯବନ ସାଲବେଗର ଭାବେ ରଥ ଛିଡ଼ାକଲ
ବଳରାମ ଦାସ ବାଲି ରଥେ ଯାଇ ଛିଡ଼ା ହେଲ
ତୁମ ନାମେ ଯେତେ ଧ୍ବଜା ସବୁ ଭାବର ।
ଭାବ ଠାକୁର———-
ତୁମଠାରେ ମୋର ଭାବ କିଆଁ ନାହିଁ ହେ ମାଧବ
ଜାଣି ବି ଅଜଣା ହୁଏ ତୁମେ ମୋର ଶ୍ରେଷ୍ଠ ଧବ
ତେଜି ପାରୁନାହିଁ ମୋହମାୟାକୁ ମୋର ।
ଭାବ ଠାକୁର———–
କେଉଁ ଦିନ କୃପା ବାରି ଟିକେ ଝରିବ ଶ୍ରୀହରି
ତୁମ ଭାବେ ହୋଇ ଲୀନ ଭବ ପାରାବାର ପାରି
ଏ ଜନ୍ମେ ହେବ କି ସେ ପଥ ପରିଷ୍କାର ?
ଭାବ ଠାକୁର———–
କୁରୁଆଁ, ମୁଗପାଳ, ଯାଜପୁର