ଭାବନାର ଭଗ୍ନ କାନ୍ଥ
ସ୍ମୃତି ଅନୁରୂପ ଭାବନାର ଭଗ୍ନ କାନ୍ଥ
ଅନୁଭୂତି କେବେ ଅନୁଭବ ଭରା ପ୍ରାନ୍ତ ,,
ପ୍ରଶସ୍ଥ ନୁହଁଇ ପ୍ରେମର ପ୍ରାରବ୍ଧ ପଥ
ପଥ ପ୍ରାନ୍ତହୀନ ନଥାଏ ତାହାର ଅନ୍ତ !!
ଅଭିଳାଷୀ ନୁହେଁ ଅଭିନବ ପ୍ରେମ ମୋର
ପ୍ରେମ ନିନାଦରେ ଅଭିହିତ ପ୍ରେମ ସ୍ୱର ,,
ପୂରୁବ ଘଟଣା ବର୍ତ୍ତମାନ ସ୍ମୃତି ରୂପ
ସ୍ମୃତି ନଦୀ ତୀରେ ନବ ଗଢ଼ା ସ୍ମୃତି ସ୍ତୁପ !!
ଅଭିନବ ପ୍ରେମେ ସ୍ମୃତିର ପାପୁଲି ଧରି
ସ୍ମୃତିକୁ ସମ୍ୱଳ ପ୍ରେମର ଆଧାର କରି ,,
ପୂର୍ବ ପ୍ରେମକୁ ମୋ ଅଭିନବ ରୂପ ଦେଲି
ପ୍ରେମ ଅନୁରୂପ ତୁମ ରୂପ ସ୍ମୃତି କଲି !!
ସ୍ମୃତି ସାର ସ୍ମୃତି ସ୍ମୃତିରେ ରହିଲା ବୋଲି
ଅନୁବଭକୁ ମୋ ସ୍ମୃତିର ପୀରତି କଲି ,,
ଆଶାଭିଳାଷୀ ହୃଦୟ ଆସର ତୋଳି
ହୃଦୟ ପୂରୁବ ପ୍ରେମର ମୁକୁତା ମାଳି !!
ସୌମ୍ୟ ଭାବ ମୋର ପ୍ରିୟର ବିଚ୍ଛେଦ ରୂପ
ବିରହ ବ୍ୟଥାର ବିଭାବରି ସାକ୍ଷୀ ସ୍ତୁପ ,,
ନିର୍ଜନ ସ୍ଥାନରେ ନିରୀହ ନୀରବ ହୋଇ
ମଉନ ମୂରତି ମୁଖେ ଶୁଷ୍କ ସ୍ମିତ ବହି !!
ଭାଳେ ମୁଖରିତ ସୁହାସ୍ୟ ସୁରତି ମୁହିଁ
ଦରପୋଡ଼ା ହୃଦ ଦଦରା ଅଗ୍ନିକୁ ନେଇ ,,
ଭସ୍ମେ ଭସ୍ମ ଭାଳେ ଭାବର ଭବ୍ୟ ସ୍ଵରୂପ
ମ୍ରିୟମାଣ ମୋର ମନର ସେ ଭଗ୍ନ ସ୍ତୁପ !!
ଭଗ୍ନ କାନ୍ଥେ ଲେପା ଭାବ ଶୁଭ୍ର ଯବନିକା
ସୁସଜ୍ଜିତ ସ୍ମୃତି ମନେ ଦେଲ ଗୋ ଛନ୍ଦିକା ,,
ଆବେଗ ଆତୁର ହୋଇ ଆହାଃ ବୋଲି କହେ
ସ୍ମୃତିର ଭଣ୍ଡାର ଅସରନ୍ତି ମନେ ଥାଏ !!
ମନ ପ୍ରାନ୍ତ ଶୁଷ୍କ ମରୁଭୂମି ମରୀଚିକା
ଧାଇଁ ଯାଏଁ ପଛେ ତାର ତୃଷ୍ଣାର୍ତ୍ତ ପରିକା ,,
ତିକ୍ତ ସତ୍ୟ ଆସ୍ଥାହୀନ ତୁମ ପ୍ରେମ ପ୍ରାପ୍ତି
ଭଗ୍ନ କାନ୍ଥେ ଥାଏ ଯେସନେ କର୍ଦ୍ଦମ ଲିପି !!
ଚିହ୍ନ ଭଗ୍ନ ଭଗ୍ନ ହୃଦ ପ୍ରାନ୍ତ ଭଗ୍ନ ପୂର୍ଣ୍ଣ
ଭଗ୍ନ ଅବସ୍ଥାରେ ଯାହା ସ୍ଥିତ ସ୍ମୃତି ଚିହ୍ନ ,,
ସ୍ମୃତି ସଙ୍ଗେ ମୁହିଁ ଅଶ୍ରୁଶିକ୍ତେ ପରିପୂର୍ଣ୍ଣ
ଅଲୋଡ଼ା ଅତିତ ବିତା ସେ କେଇଟା ଦିନ !!
ଦରଦକୁ ପ୍ରିୟ ପ୍ରାୟ ଭାଳି ନେଲି ବୋଲି
ତୁମ ସ୍ମୃତି ଚିହ୍ନକୁ ପ୍ରଣୟ ରୂପ ଦେଲି ,,
ଅଦିନେ ମଳୟ ମହକି ଗଲା କି କ୍ଷଣେ
ନିର୍ଜନତା ଘେରା ଦିଗବଳୟର କୋଣେ !!
ଜୟ ଜଗନ୍ନାଥ
ସୁମିତ୍ରା ନାୟକ