ଭାବର ଠାକୁର
ସୀମାଞ୍ଚଳ ପଣ୍ଡା
ଭାବର ଠାକୁର ଭାବେ ତୋ ଆଦର
ଭାବ ବଳେ ଚାଳ ସାରା ସଂସାର,
ଭାବରେ ବିନୋଦ କର ସଦାନନ୍ଦ
ଅଭାବେ କି କରି ପାର ଅନ୍ତର!
ତୁମେ କୃପାନିଧି କରୁଣା ବାରିଧି
ଭବ ଭାବେ କୃପା ଦିଅ ବରଷି,
ଶ୍ରଦ୍ଧାରେ ତୁମର ପ୍ରେମ ଅସୁମାର
ଉଦାରେ ଆଦରେ ଦିଅ ପରଷି,
ପତ୍ରଟିଏ କେବେ ବିନା ଅନୁରାଗେ
ଦୋହଲାଇ ପାରେ ଆପେଶରୀର?
ଭାବର ଠାକୁର ଭାବେ ତୋ ଆଦର
ଭାବ ବଳେ ଚାଳ ସାରା ସଂସାର।
ଭାବର ଅଭାବେ ପରୀକ୍ଷା ସରାଗେ
କରାଉଛ ଜୀବ କରେ ସଂଗ୍ରାମ,
ଜୀବନ ପଥରେ ରଣ ସଙ୍ଗତରେ
ବୁଝିପାରେ ଯୁଝି ଆପଣା ଭ୍ରମ।
ସକଳ ସମ୍ଭବ ତୁମ ଅନୁଭବ
ଜାଣେ ଯିଏ କେବେ ନ ପାରେ ଛାଡ଼ି,
ନ ଜାଣିବା ଲୋକ ଅଭାବେ ଅସୁଖ
ଅନ୍ଧାରେ କେବଳ ବୁଲାଏ ବାଡ଼ି,
ଭାଳଇ ‘ଅଭାବ’ ଦୁଃଖର ସ୍ୱଭାବ
ବୋକା ପଣେ ଧୋକା ପାଇବା ସାର,
ଭାବରେ ବିନୋଦ କର ସଦାନନ୍ଦ
ଅଭାବେ କି କରି ପାର ଅନ୍ତର!
କାହାକୁ କି ଭବେ ଛାଡ଼ ଏକା ଭାବେ
ଭାବ ଥାଉ ଅବା ଅଭାବେ ତା’ର,
ଅଭାବକୁ ଦେଖି ନେଉଛ ପରଖି
ଝଡ଼ ବାଡ଼ ଗାଢ଼େ କରେ ସମର!
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪