ବିଦାୟ ଲଗନେ
ବାଛି ନେଲୁ ତୋର ସୁଖର ସଂସାର
ଜୀବନସାଥୀ ଟି ପାଇଲୁ ବୋଲି,
ବନ୍ଧୁ ପରିଜନ କରି ବରଜନ
ପରେ ବରି ଦୂରେ ଯାଉଛୁ ଚାଲି।
ଜନ୍ମ କଲା ମାଆ ରହିଲା କି ନାଆଁ
ଝିଅ ଥିଲୁ ଏବେ ହୋଇବୁ ବୋହୁ,
ପର ଘର ତୋର ହେବ ଆପଣାର
ପିତ୍ରାଳୟ ଦୂରେ ଚଳିବୁ ଯହୁଁ,
ଭାଇ ଭଗ୍ନୀ ଯେତେ କୁଟୁମ୍ବ ସଙ୍ଗତେ
ବାହୁନି କାନ୍ଦିବେ ନ ପାରି ଭୁଲି,
ବାଛି ନେଲୁ ତୋର ସୁଖର ସଂସାର
ଜୀବନସାଥୀଟି ପାଇଲୁ ବୋଲି।
ଥିଲୁ ଅଲିଅଳ ପକାଇ ଚହଳ
ନିତି କରି ଅଳି ଅଝଟେ ଭୋଳ,
ବିଚ୍ଛେଦରେ ଆଜି ହେବୁ ନିତି ଖୋଜି
ଝୁରିବେ ସକଳ ହେବେ ବିକଳ।
ମୋ ସାନ ଭଉଣୀ ସାଜି ମୋ ମିତଣୀ
ହସି ଖେଳି ମିଳି କାଟିଲୁ ଦିନ,
ମାଆ ବାପାଙ୍କର ଦୁଃଖର ସୁଖର
ସାଥୀ ହୋଇ କରୁ ଥିଲୁ ପ୍ରସନ୍ନ,
ଶାଶୁ ଘରେ ଯିବୁ ସଂସାର କରିବୁ
ସଭିଙ୍କୁ ମଣିବୁ ନିଜର ବୋଲି,
ବନ୍ଧୁ ପରିଜନ କରି ବରଜନ
ପରେ ବରି ଦୂରେ ଯାଉଛୁ ଚାଲି।
ପତିପତ୍ନୀ ବେନି ସଂସାରକୁ ଘେନି
ଦୁଃଖ ମଣି ସୁଖ କାଟିବ ଦିନ,
ସଂସାର ସରଗ ହେବ ଅନୁଭବ
ସରି ଯିବ ସିନା ଝୁରିବ ମନ!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ