ବସୁନ୍ଧରାର ସ୍ଵର
ରେ ମଣିଷ !
କେତେ ଦିନ ଆଉ ମୋ ଛାତିକୁ
ରାମ୍ପୁଡ଼ି ବିଦାଡ଼ି କୋଠା ତୋଳିବୁ
କେତେ ଦିନ ମୋ ଅନ୍ତରକୁ ଚିରି
ଖଣି ଖୋଳିବୁ
ଥରେ ତ ଦେଖେ ମୋ ବେଦନା
ରେ ମଣିଷ !
ମୁଁ ଜାଣେ ତୁ ମୋତେ ମାଆ ବୋଲି ଭାବୁ
ତେବେ କାହିଁକି ଏତେ ଯନ୍ତ୍ରଣା ଦେଉ
ମୋ ଚର୍ମରେ ଥିବା ବୃକ୍ଷ ସବୁକୁ
କାହିଁକି ତୁ ଓତାରି ପକାଉ
ରେ ମଣିଷ!
ମୋ ଦେହରୁ ରକ୍ତ ଶୋଷି
ତୁ ଭରି ସାରିଲୁଣି ବିଷ
ମୋ ଆତ୍ମା ସିନା ସ୍ୱଚ୍ଛ ଅଛି
ମୋ ଶରୀର ପ୍ରଦୂଷିତ
ରେ ମଣିଷ !
ସନ୍ତାନ ବୋଲି ଭାବି
ସହି ନେଉଛି ସବୁ ଅତ୍ୟାଚାର
କିନ୍ତୁ ଧିରେ ଧିରେ ଅଧିକ ହେଲୁଣି ତୁ ନିଷ୍ଠୁର
ରେ ମଣିଷ !
ମୁଁ ତୋ ମାଆ , ତୋତେ ସ୍ନେହ ବାଣ୍ଟେ
ତୋ ସବୁ ଭୁଲ ଅଣଦେଖା କରେ
ମୋତେ ବାଧ୍ୟ କରାନି ଦଣ୍ଡ ଦେବାକୁ
ବୁଝିଯା ମୋ ଗେହ୍ଲା ମଣିଷ , ବୁଝିଯା।।
ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ