ବସନ୍ତର ଅଭିଷେକ
———————-
ନବ ପଲ୍ଲବରେ ସଜ୍ଜିତ ପ୍ରକୃତି ରାଣୀ
ମଥାରେ ଦେଇଛି ସବୁଜ ପାଟ ଓଢଣୀ
ହାତେ ଧରି ଭରା ବଉଳର ଅର୍ଘ୍ୟଥାଳୀ
ଜାଳି ବସିଛି ହୃଦୟେ ପ୍ରତୀକ୍ଷା ଦୀପାଳୀ
ଫଗୁଣ ଆସିଛି ନେଇ ଫଲ୍ଗୁର ବର୍ଣ୍ଣାଳୀ
ମଧୁର ସ୍ବାଗତ ସଙ୍ଗୀତ ଗାଉଛି ଅଳି।
ଆମ୍ରକୁଞ୍ଜେ ଗୁଞ୍ଜରିତ ହୋଇ ପିକ ସୁର
ଧରା ବକ୍ଷରେ ଢାଳଇ ଅମୃତ ନିର୍ଝର
ଉପବନେ ବିବିଧ ବର୍ଣ୍ଣ ପୁଷ୍ପ ସମ୍ଭାର
ମହକାଉଛି ଧରାକୁ ସୁଗନ୍ଧରେ ତା’ର
ମନ୍ଦ ମଳୟ ସ୍ପର୍ଶେ ଶ୍ୟାମଳିମା ପତର
ଦୋଳାୟିତ ହୋଇ କରେ ଆଲଟ ଚାମର।
ସମୀରଣେ ଲତା କରି ଶିର ସଞ୍ଚାଳନ
ମଧୁମକ୍ଷିକା ଗଣଙ୍କୁ କରେ ଆମନ୍ତ୍ରଣ
ଉନ୍ମୁକ୍ତ କରି ଚିତ୍ରିତ ଡେଣା ପ୍ରଜାପତି
ବିହରନ୍ତି ଫୁଲେ ଫୁଲେ ଆନନ୍ଦେ ମାତି
ନବୀନ କାନ୍ତି ଭରିଛି ପ୍ରାଣରେ ପୁଲକ
ରାଜପଣେ ହେବ ବସନ୍ତର ଅଭିଷେକ।
ନିବେଦିତା ମହାପାତ୍ର (Nibedita Mohapatra)
ମୁକୁନ୍ଦ ମିଶ୍ର ନଗର ପୁରୀ
608 total views, 1 views today