ବସନ୍ତର ଅଭିଷେକ
**””””””””***””””””**
ଅଗି ଜାଳି ଶୀତ ମେଲାଣି ମାଗିଲା ଋତୁରାଜ ହେଲେ ଉଭା ,
ବନେ ଉପବନେ ବିଞ୍ଚି ହୋଇଗଲା ଅପରୂପ ବର୍ଣ୍ଣବିଭା ।।
କୋଇଲିର ବୀଣା ଭାରି ମନଜିଣା ବଜାଏ ପଞ୍ଚମ ତାନେ ,
ହଳଦୀ ବସନ୍ତ ହଳଦୀ ଦେହକୁ ହଳଦୀ ପାଟଟି ମାନେ ।।
ପଳାଶ ପାଟକୁ ଶିମୁଳି ମୁକୁଟ ଦିଶେ କେଡ଼େ ଝକ ଝକ ,
କୃଷ୍ଣଚୂଡ଼ା ଫୁଲ ସିଂହାସନେ ଦେଖ ବସନ୍ତର ଅଭିଷେକ ।।
ବୈବସ୍ୱତୀ ଦିଗୁ ଚାମର ଢାଳୁଛି ମୃଦୁ ମଳୟ ପବନ ,
ନବ ପଲ୍ଲବରେ ପୁଲକିତ ବୃକ୍ଷ ଶୋଭା ଶତ ବିବର୍ଦ୍ଧନ ।।
ମଧୁକାଳ ମଧୁ ମହକରେ ଗଛ ଲତା ହେଲେ ପୂର୍ଣ୍ଣଗର୍ଭା ,
ଫଳ,ଫୁଲ ଭାରେ ମାତୃତ୍ଵ ଲାଭରେ ଦିଶନ୍ତି କି ମନଲୋଭା ।।
ରାଧା କୃଷ୍ଣ ଦୋଳ ବିମାନରେ ବୁଲି ବୁଲି ଦେବେ ଦରଶନ
ବିଧି ବିଧାନରେ ନୂଆ ପଞ୍ଜିକାର ହେବ ଶୁଭ ଉନ୍ମୋଚନ ।।
ଋତୁରାଜଙ୍କର ମଙ୍ଗଳ ମନାସି ଜାଳିବା ଆସ ଜାଗର ,
ଶୁଭେଚ୍ଛା ବାଣ୍ଟିବା ପରସ୍ପର ଦେହେ ବୋଳିଣ ରଙ୍ଗ ଅବିର ।।
**************************
ଲତିକା ବିଳାସ
ଚନ୍ଦନ ନଗର;ଗଳି ନଂ-୨
ଭଟଲି ଛକ, ବରଗଡ଼