ବରଗଛ
==========
କେଉଁ ଶୁଭଙ୍କରି ମୁହୂର୍ତ୍ତରେ ତାର ଅଙ୍କୁରୋଦଗମ ହେଇ ଥିଲା ଆଜି ଆଉ କାହାର ମନେ ନାହିଁ, ତାର ବଂଶଜ ମାନଙ୍କ ମଗଜରେ l ତାର ଅସ୍ତିତ୍ବ କୁ ଅସ୍ବୀକାର କରି ସମସ୍ତେ ଏବେ ବେଖାତିରପଣ ଦେଖାନ୍ତି ତାକୁ l ସେ ଅଭିମାନ କରେନା ସେମାନଙ୍କ ଉପରେ l ହଁ ସେ ଅଭିମାନ କରେ ନିଜ ଉପରେ; ଏକାଳାପ କରେ ସେ ପାଗଳଙ୍କ ଭଳି,” କେଉଁ ନିଆଁଲଗା ମୁହୂର୍ତ୍ତ ରେ ମୋର ଜନ୍ମ????କଉ ଅଲକ୍ଷଣି ବରଷା ପାଣିରୁ ପୁଷ୍ଟ ହେଇ ଗର୍ଭିତ ମୁଁ ହେଲି ମାତୃ ଗର୍ଭରେ??? ନା ସେ ଦୁରୂହ ଇତିହାସ ଆଉ ଖୋଜି ହେବନି l ମୋ ସାହାରାରେ କେତେ ଲତା ଡଙ୍କ ବଢିଛନ୍ତି ତାର ଠିକଣା ନାଇଁ l ମୋର କେତେ କାଣ୍ଡ ହେଲେ, କେତେ ଯେ ଶାଖା, କେତେ ପତ୍ର, କେତେ ଫଲ?……. ଓହଃ ଫଲ ରୁ ବୀଜ…. ବୀଜ ରୁ ପୁଣି ଅଙ୍କୁରୋଦଗମ …. ପୁଣି ନୁଆଁ ଗଛ…… ସହ୍ୟ ନୁହେଁ ଏବେ…ସେସବୁ ଦିନେ ମୋର ଗୌରବ ଥିଲା ……ହଁ… ହଁ….. ଅନେକ…. ଅନେକ…….ଜନ୍ମ, ଅନେକ ର ଗହଳି ଭିତରେ ମୁଁ ହଜି ସାରିଛି, ଲୁପ୍ତପ୍ରାୟ ମୋର ଅସ୍ତିତ୍ୱ…. “ଆଗକୁ ଆହୁରି ପ୍ରଗଳ୍ଭ ଓ ଉନ୍ମାଦ ଶୁଭେ ତାର ଶବ୍ଦ l
ସେ ସଜାଗ ହୁଏ l କେହି ଶୁଣି ନାହାନ୍ତି ତ ତାର ଏକାଳାପ ସବୁ???? ନା ଶୁଣି ନାହାନ୍ତି l ନିଜ ଭିତରର ଶବ୍ଦ କୋଳାହଳ ସବୁ ଖାଲି l ବାହାରକୁ ନିଶବ୍ଦ l ସେ ଆଶ୍ଵସ୍ଥ ହୁଏ l
ମନେ ପଡ଼ିଯାଏ ପୁଣି ଥରେ ସେଇ ଅତୀତର କାହାଣୀ ସବୁ l ଟ୍ରାଇମ ଟ୍ରାଭେଲର ଟିଏ ପରି ସେ ଫେରି ଯାଏ ପଛକୁ l କେତେ ଶୃଙ୍ଗାରିତ ମୋହିନୀ ଫାସରେ ବାଟୋଇର କ୍ଲାନ୍ତ ଦି’ପହର କଟିଛି ତାର ସାନ୍ନିଧ୍ୟରେ l କୁଆଁର ପୁନେଇଁ ଜହ୍ନର ରାଣ ବେଶ୍ୟାଲୟ ପରି ଖେଚାଖେଚ ଗ୍ରାହକ ଥିଲେ ସେତେବେଳେ ତାର ଛତ୍ର ଛାୟାରେ ରାତି କାଟିବାକୁ l ଏବେ ନୁହଁ ଆଉ, ଆଉ ଝୁରିବେନି ଛତ୍ରଛାୟା ର ଆଲିଙ୍ଗନ l
ସେ କେବେ ଫୁଲ ଫୁଟା ପାଉଡର ମାଖିନି l ଫଲର ଗହଣା ପିନ୍ଧେ ଋତୁ ଆନୁସାରେ l ସଳଖ ଅଣ୍ଟାର ଯୌବନ ଉତ୍ସବ ସରିଲା ପରେ,ନା ଏବେ ଆଉ କିଛି ନାଇଁ l ଖାଲି ଦେହରେ ଏବେ ନିଡ଼ର ପଞ୍ଜରା ହାଡ଼ର ଗାର l ସେ ପୁଣି ଫେରିଆସେ ତାର ଆଜିର ତାରିଖକୁ l ଦୀର୍ଘଶ୍ୱାସ ମାରେ l
ସେ ଖୁବ ଝଙ୍କାଳିଆ ହେଲେ ଥୁଣ୍ଟା ଅନୁଭବ କରେ ନିଜକୁ l ଦିନସାରା ପଡିରହେ ବିଛଣାରେ l ଖୁଁ.. ଖୁଁ.. କାଶେ l ସେ ଖୁଁ.. ଖୁଁ… ଛଡା ଆଉ କିଛି ଶବ୍ଦ ଆସେନା ସେଠି l ବରଗଛରେ ଭୂତ ରହିଲେ ଯେମିତି ସମସ୍ତେ ଡ଼ରିକି ପାଖ ମାଡନ୍ତିନି ସେମିତି ତାର ପାଖ ବି କେହି ମାଡ଼ନ୍ତିନି l ସେ ଅନୁଭବ କରେ ବରଗଛରେ ଭୂତ ନା ବରଗଛ ହିଁ ଗୋଟେ ଭୂତ?? ସେ ଅନ୍ୟକୁ ଅଭିଶାପ ଦିଏ, ନା ନିଜକୁ ଆଶ୍ୱାସନା କେଜାଣି?ହେଲେ ସେ କୁହେ, “ରୁହ ଦେଖିବ ତୁମେ ବି ଦିନେ ବରଗଛ ହେଇଯିବ l ”
( ଗପଟି ପ୍ରତୀକାତ୍ମକ l ବରଗଛ ଏଠି ବୁଢ଼ା ଜେଜେଙ୍କୁ କୁହା ଯାଉଛି l ବରଗଛ ର ପ୍ରତୀକ ଜେଜେ l )
ଜିନାତମାମ୍ ଦର୍ଜୀ