ବରଗଛ
******
ସେଦିନ ବୁଢ଼ା ବରଗଛଟା ସବୁ ଶୁଣୁଥିଲା। ତା’ର ଛାଇତଳେ ବସି ଗାଁ’ର ଯୁବଗୋଷ୍ଠୀ ପ୍ରସ୍ତାବ ଦେଉଥିଲେ ବୁଢ଼ା ବରଗଛକୁ କାଟି ଦିଆଯାଉ। ଅଯଥା ବୁଢ଼ା ବରଗଛଟା ପାଞ୍ଚ ଡେସିମିଲ୍ ଜମି ଅକ୍ତିଆର୍ କରି ବସିଛି।ଗଛର ଓହଲଗୁଡ଼ିକ ଛିଣ୍ଡି ତଳେ ପଡ଼ୁଛି। ପତ୍ରଗୁଡ଼ିକ ପଡ଼ି ଗାଁ’କୁ ଅସନା କରୁଛି। ଗଛଟା ଯୋଗୁଁ ଗାଁ’ର ସୌନ୍ଦର୍ଯ୍ଯ ନଷ୍ଟ ହେଉଛି। ଗଛଟା କଟିଗଲେ ସେଠାରେ କଲ୍ଯାଣ ମଣ୍ଡପ ନିର୍ମାଣ ପାଇଁ ଜାଗା ମିଳିବ। ଗାଁ’ର ବୟୋବୃଦ୍ଧ ଭଦ୍ର ବ୍ଯକ୍ତିମାନେ ନିରବ ଥିଲେ। ଯଦିବି ସେମାନେ ଜାଣୁଥିଲେ ଗଛକୁ କାଟିବା ପାଇଁ ଏହା ଏକ ଚକ୍ରାନ୍ତ, ତଥାପି ସରକାରୀ ଦଳର କର୍ମୀ ତଥା କଲ୍ଯାଣ ମଣ୍ଡପ ନିର୍ମାଣକାରୀ ଠିକାଦାରର ଭୟରେ କିଛି କହୁ ନ ଥିଲେ। ଅବଶ୍ଯ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଗାଁ’ରେ ସାମୂହିକ ଜାଗାର ଅଭାବ ମଧ୍ଯ ଅଛି। ପୁଣି ଜାଗା ଅଭାବରେ କଲ୍ଯାଣ ମଣ୍ଡପ ତିଆରି ନ ହେଲେ ଠିକାଦାର ମହାଶୟଙ୍କ ଆର୍ଥିକ କ୍ଷତି ମଧ୍ଯ ହୋଇପାରେ।
ବରଗଛଟି ତା’ ପରଠାରୁ ଅସ୍ଥିର ହୋଇଉଠିଲା। ମନରେ ତା’ର ଅନେକ ଭାବନା।ସତରେ ସେ ଗାଁ’ ଲୋକଙ୍କ ପାଇଁ ଅଲୋଡ଼ା ହୋଇଗଲା ! ଗାଁ’ର ସମସ୍ତେ ଏଇ ବରଗଛ ତଳେ ଖେଳି ବଡ଼ ହୋଇଛନ୍ତି।ଏଇ ଗଛରେ ପିଲାଦିନେ ଡାଳମାଙ୍କଡ଼ି ଖେଳିଛନ୍ତି।ଆଶ୍ରୟ ନଥିବା ଗାଈଗୋରୁମାନେ ତା’ରି ତଳେ ଆଶ୍ରୟ ନେଇଛନ୍ତି।ବାଟୋଇମାନେ ତା’ରି ତଳେ ଖରାଦିନେ ଲମ୍ବପମ୍ବ ହୋଇ ଶୋଇଛନ୍ତି।ଗାଁ’ର ନ୍ଯାୟ ନିଶାପ, ପୂଜା ପାର୍ବଣ, ଭୋଜିଭାତ ସବୁ ଏଇ ଗଛ ତଳେ ହେଇଛି। କେତେ ଅନୂଢ଼ା କନ୍ଯା ରାତିରେ ଅଭିସାରିକା ହୋଇ ନ ଆସିଛନ୍ତି ତା’ ତଳକୁ ! ଏକ ସ୍ନେହମୟୀ ଜନନୀ ପରି ସେ କ’ଣ ଶୀତଳ ସ୍ପର୍ଶ ଦେଇନି କାହାକୁ ! ବରଗଛଟି ଆଶ୍ଚର୍ଯ୍ଯ ହେଉଥିଲା।
ଧିରେ ଧିରେ ଗଛଟି ଝାଉଁଳି ପଡ଼ିଲା। ଠିକାଦାର୍ ଡୋଜର୍ ଲଗାଇ ବରଗଛଟିକୁ ଉପାଡ଼ି ଦେଲା। ସେହି ସ୍ଥାନରେ ଠିଆ ହେଲା ସୁରମ୍ଯ କଲ୍ଯାଣ ମଣ୍ଡପ। ଗାଁ’ର ଐତିହ୍ଯ ବହନ କରୁଥିବା ବରଗଛଟି ସେଠାରେ ନ ଥିଲା କିନ୍ତୁ ଥିଲା ଆଧୁନିକତାର ଅହମିକା ବହନ କରୁଥିବା କଂକ୍ରିଟ୍ କୋଠାଟିଏ।କିଛି ଦିନ ପରେ ସେହି କୋଠାଘରର କାନ୍ଥରେ ଦେଖିବାକୁ ମିଳିଲା ଏକ ସରକାରୀ ବିଜ୍ଞାପନ।ଏକ ବରଗଛର ଚିତ୍ର ଅଙ୍କନ କରାଯାଇ ଲେଖା ହୋଇଥିଲା, “ସବୁଜିମା କୋଳରେ, ହସଖୁସି ଖେଳେରେ”।
– ପ୍ରସନ୍ନ ରଣା
କେନ୍ଦମୁଣି, ସୋହେଲା, ବରଗଡ଼