ବରଗଛ
*********
ହଠାତ୍ ଚମକି ପଡ଼ିଲି ମୁଁ, ନିଦ ଭାଙ୍ଗିଗଲା ମୋର ଆଉ ସେ ସ୍ବପ୍ନ ବି । ଘଣ୍ଟା ଦେଖେ ତ ଦିନ ୯ ଟା ହେଲାଣି । କାଲି ରାତିରେ କାମ ସାରି ଶୋଇଲା ବେଳକୁ ଏତେ ଡେରି ହୋଇଥିଲା ଯେ ସକାଳ କେତେବେଳେ ହେଲା ସେ କ୍ଲାନ୍ତିରେ ଜାଣି ପାରି ନଥିଲି ମୁଁ । କିନ୍ତୁ ସ୍ୱପ୍ନରେ……। ବୋଉ କଥା ଭାରି ମନେପଡୁଛି ଆଜି । ବ୍ୟସ୍ତ ହୋଇ ଦୌଡ଼ି ଗଲି ମୁଁ ଆମ ଗାଁ ମୁଣ୍ଡ ଝଙ୍କାଳିଆ ବରଗଛ ପାଖକୁ । ମୋ ମାଆ ପାଖକୁ ।
ପିଲାଦିନେ ସେଇ ବର ଓହଳରେ କେତେ ଖେଳିଛି । ସେଇ ବରଗଛ ଚାରିପଟେ ପୂଜାଥାଳି ଧରି ବୋଉ ସହିତ ପ୍ରଦକ୍ଷିଣ କରିଛି । ନନାଙ୍କ ମାଡକୁ ଭୟ କରି ତା ପଛପଟେ ଯାଇ ଲୁଚିଛି । ୪ ବର୍ଷ ବୟସରୁ ବୋଉକୁ ହରେଇଛି ସତ, କିନ୍ତୁ ସେ ବରଗଛ ମୋତେ ସେ ଅଭାବ ଅନୁଭବ କରେଇ ଦେଇନାହିଁ । ସବୁ ପିଲା ଯେତେବେଳେ ନିଜ ବାପାଙ୍କ ମାଡ଼ ଗାଳିରୁ ନିସ୍ତାର ପାଇବା ପାଇଁ ନିଜ ମା’ ପଛରେ ଲୁଚନ୍ତି, ସେତେବେଳେ ମୁଁ ଯାଇ ଲୁଚେ ଏ ବରଗଛ ପଛରେ । ମା’ ପରି ସେ ବି କୋଳେଇ ନିଏ ମୋତେ ।
ମୋର ମନେ ଅଛି, ଯେତେବେଳେ ମୁଁ ୨ କି ୩ ବର୍ଷର ହେଇଥିଲି ଆଉ ଖାଇବା ପାଇଁ ଅଝଟ କରୁଥିଲି, ବୋଉ ମୋତେ କହୁଥିଲା, ” ଏଇ, ସେ ବରଗଛକୁ ଅନା “, ଆଉ ମୁଁ ଆଁ କରି ଅନେଇଲା ବେଳେ ମୋ ପାଟିରୁ ଖାଦ୍ୟନଳୀ ଦେଇ ପାକସ୍ଥଳୀରେ ପହଞ୍ଚି ଯାଉଥିଲେ ଭାତ ଗୁଣ୍ଡା ସବୁ । ସବୁ ପିଲା ଖାଉଥିଲେ ” ବାପା ଗୁଣ୍ଡା “, ” ମା ଗୁଣ୍ଡା “, ” ଭାଇ ଗୁଣ୍ଡା ” ଇତ୍ୟାଦି । କିନ୍ତୁ ମୁଁ ଖାଉଥିଲି ” ବରଗଛ ଗୁଣ୍ଡା ” । ହା ହା, ସେଇ ମୁହୂର୍ତ୍ତ ସବୁ ମନେ ପଡ଼ିଗଲେ ଭାରି ହସ ଲାଗେ ସତରେ । କେଡ଼େ ବୋକାଟେ ଥିଲି ମୁଁ !
ସେ ବରଗଛ ମୂଳେ ପରା ମୁଁ ” ଅ “, ” ଆ ” ଶିଖିଛି । କେତେ ବେତ ପାହାର ନ ଖାଇଛି ଗୁରୁଜୀଙ୍କ ଠାରୁ ! ପିଲାଦିନର ସେ ଗୋଟି ଗୋଟି କଥା ମନେ ପଡ଼ିଯାଉଥାଏ ମୋର । ଆଶ୍ଚର୍ଯ୍ୟ ଲାଗୁଥିଲା ମୋତେ । ସବୁଦିନ ତ ମୁଁ ମୋ ସ୍ୱପ୍ନରେ ବୋଉକୁ ଦେଖେ, ସବୁଦିନ ବୋଉ ମୋ ସ୍ୱପ୍ନରେ ଆସି ମୋତେ ଆଉଁଶି ଦିଏ । କିନ୍ତୁ ଆଜି……….ଏମିତି ଭାବୁ ମୁଁ ପହଞ୍ଚିଗଲି ସେ ବରଗଛ ପାଖରେ । କିନ୍ତୁ ଏ କଣ ମୋର ଅତି ପ୍ରିୟ ସେ ବରଗଛଟିକୁ ଘେରି ରହିଛନ୍ତି ଦଳେ ସରକାରୀ କର୍ମଚାରୀ । କିଛି ଶ୍ରମିକ ଚୋଟ ପରେ ଚୋଟ ପକେଇ ଚାଲିଛନ୍ତି ତା ଉପରେ ।
ଇଚ୍ଛା ହେଉଥାଏ, ସେ ଟାଙ୍ଗିଆକୁ ସେମାନଙ୍କ ହାତରୁ ଛଡ଼େଇ ଆଣିବାକୁ । ଇଚ୍ଛା ହେଉଥାଏ, ସେ ସରକାରୀ କର୍ମଚାରୀମାନଙ୍କ ଉପରେ ବହେ ବର୍ଷିବାକୁ । କିନ୍ତୁ ସରକାରଙ୍କ ନିଷ୍ପତ୍ତିରେ ଦଖଲ ଦେବାକୁ ଆମ ମଳିମୁଣ୍ଡିଆଙ୍କର ସାହସ ଜୁଟୁଛି କେଉଁଠୁ । ଭାରି କଷ୍ଟ ହେଉଥାଏ ସେ ବରଗଛକୁ, ଭାରି କଷ୍ଟ ହେଉଥାଏ ମୋ ବୋଉକୁ । ହଁ, ମୋ ବୋଉକୁ, ମୁଁ ବୁଝି ପାରୁଥାଏ ସ୍ୱପ୍ନରେ କାହିଁକି ମୋ ବୋଉ ଏମିତି ଦେଖାଯାଉଥିଲା, କାହିଁକି କ୍ଷତ ବିକ୍ଷତ ହୋଇଥିଲା ତା ଦେହ ।
ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra