ବାଲ୍ମୀକି

ରତ୍ନାକର ନାମେ    ଦୁଷ୍ଟ ଲୋକ ଥିଲା
ଅନ୍ୟାୟ ଅନୀତି କାମ,
ଚୋରି ଡକାୟତି     ବେଉସା ତାହାର
ସାକ୍ଷାତ ସେ ଅଟେ ଯମ ।
ଜଙ୍ଗଲ ରାସ୍ତାରେ     ବୃକ୍ଷେ ଲୁଚି ଥାଏ
ଭୟ ଭୀତ ବାଟୋଇକୁ,
ଧନ ରତ୍ନ ସବୁ           ଛଡ଼ାଇଣ ନିଏ
ପରିବାର ପୋଷିବାକୁ।
ନାରଦ ମୁନି ଯେ      ପ୍ରଶ୍ନକଲେ ତାଙ୍କୁ
ମଣିଷ ମାରୁ କାହିଁକି ,
ତୋ ପାପର ଭାଗୀ ହେବେକି ଆତ୍ମୀୟ
କେବେ ତାଙ୍କୁ ପୁଛିଛୁ କି ?
ଅଣ ନିଃଶ୍ଵାସରେ       ଘରକୁ ତ ଗଲା
ସଭିଙ୍କୁ ପଚାରି  ଥିଲା ,
ପୋଷିବା ଦାୟିତ୍ୱ        ତୁମର କହିଲା
ପତ୍ନୀଙ୍କ ଉତ୍ତର ଥିଲା।
ପିତା ମାତା ଦୁହେଁ   ମନା କରି ଦେଲେ
ଭାଗୀ ନୋହୁଁ ତୋ ପାପରେ,
ମନ୍ଦ କର୍ମ କଲେ    ସେ ପାପ ତୋହର
କେହି ନେଇତ ନ ପାରେ।
ମନ ଦୁଃଖେ ଯାଇ      ନାରଦ କହିଲା
ମୋ ପାପ ସବୁ ମୋହର
କି ପରି ଉଦ୍ଧାର       ପାଇବି ପ୍ରଭୁ ହେ
ମୋତେ ତୁମେ ରକ୍ଷା କର।
ନାରଦ କହିଲେ       ରାମ ନାମ ଜପ
ଉଦ୍ଧାରିବେ ନାରାୟଣ,
ରାମ ନାମଜପ       ତୁଣ୍ଡେ ନ ପଶିଲା
ମରା ମରା ଉଚ୍ଚାରଣ,
ମରା ଶବଦରୁ       ରାମ ନାମ ହେଲା
ଦୀର୍ଘ ବର୍ଷ ବିତି ଗଲା,
ପାପ ଆତ୍ମା ନେଲା   ପୂଣ୍ୟାତ୍ମାର ରୂପ
ବାଲ୍ମୀକି ଋଷି ହୋଇଲା।
ସିଦ୍ଧ ପୁରୁଷ ସେ   ବାଲ୍ମୀକି ହୋଇଲେ
ରାମାୟଣ ଲେଖି ଥିଲେ,
ଆଗତ ଭବିଷ୍ୟ       ସବୁ ତାଙ୍କୁ ଜଣା
ସ୍ୱର୍ଣ୍ଣାକ୍ଷରେ ଲେଖୁ ଥିଲେ।
ସ୍ନେହ ପ୍ରେମ ପ୍ରୀତି     ଭକତିର ଅର୍ଘ୍ୟ
ରାମାୟଣ କଥା ମାନ,
ରାମାୟଣ ପଢା     ଘରେ ଘରେ ହୁଏ
ବାଲ୍ମୀକି ହେଲେ ମହାନ।

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *