♦ #ବଢି ♦
*****************************
✍ ତପନ ସାହୁ
ଏ ନିଆଁନଗା ମାଙ୍କଡଟା ମୋତେ କ’ଣ ଠାବବାସ ଦଉଛି?ତିନି ଚାରି ଦିନ ହେଲାଣି ମୋତେ ଯାହା ଦହଗଞ୍ଜ କଲାଣି?ନା କହି ହଉଛି,ନା ସହି ହଉଛି?କେତେ ନେହୁରା ହେଇ ଚଗଲା ବୋଉ ଠାରୁ ପାଣି କଖାରୁ ଦିଟା ଆଣିଥିଲି।ୟାଙ୍କୁ ତ କହି କହି ହେଲାନି,ଶେଷରେ ସେ ସନାପୁଅ ମଦନା ହାତରେ ପଇସା ଦେଇ ବଜାରରୁ ବିରି ଆଣିଲି।ଏ ଯୋଉ ହାଡଭଙ୍ଗା ଶୀତରେ କୁଙ୍କୁରି କାଙ୍କୁରି ହେଇ ,ବିରି ବାଟି ତାକୁ ଫେଣେଇ,ପାଣି କଖାରୁ କୋରିକାରି ଯୋଗାଡ ଯନ୍ତ୍ର କରି ବଢି ବିଛେଇଲା ବେଳକୁ କ’ଣ କମ୍ କଷ୍ଟ?ହେଲେ ଏ ମାଙ୍କଡଟା ନିଇତି ଆସି ମୋ ବଢି ଗୁଡାକ ଖାଇ ଯାଉଛି।ମୋତେ ନାକରେ କନ୍ଦେଇ ସାରିଲାଣି ହୋ!
ମାଳତୀ ଦେବୀ ବଢି ବିଛେଇବେ କ’ଣ ସେ ମାଙ୍କଡ ପାଇଁ ଯେତିକି ହଇରାଣ ହେଲେଣି ସେଇକଥା ବଖାଣୁ ଥିଲେ ନଖୀ ନାନୀ ଆଗରେ।ନଖୀ ନାନୀ କହୁଥାନ୍ତି ହଁ ପରା ଲୋ !ଏ ମାଙ୍କଡ ଗୁଡାକ କ’ଣ ରଖେଇ ବାସ ଦେଉଛନ୍ତି?କ’ଣ ଆଉ କରିବୁ?ଟିକେ ହୁସିଆର ହେଇ ବଢି ବିଛେଇବୁ ଆଉ।ନହେଲେ ଆଉ ଉପାୟ କ’ଣ?ଏତିକି କହି ନଖୀ ନାନୀ ଚାଲିଗଲେ ନିଜ ବାଟରେ।ମାଳତୀ ଦେବୀ ପୁଣି ଲାଗି ପଡିଲେ ବଢି ବିଛେଇବାରେ।ଏଥର ମାଙ୍କଡକୁ ଗୋଡେ ଗୋଡେ ଜଗିଲେ।
ଚାରି ପାଞ୍ଚ ଦିନ ପରେ ନିଜ ସ୍ବାମୀଙ୍କୁ କହିଲେ ,”ଶୁଣୁଛ କୁନାବାପା!ଆମ କୁନାଲ୍ ପାଖକୁ ଦିଟା ବଢି ପଠେଇଲେ କେମିତି ହୁଅନ୍ତା?ବଢିଭଜା ଖାଇବାକୁ ସେ ଭାରି ଭଲପାଏ।ମନେ ମନେ ବହୁତ ଖୋଜୁଥିବ ସେ।ସହରରେ କ’ଣ ଏସବୁ ମିଳୁଥିବ?ତା’ଛଡା ଏତେ କଷ୍ଟ କରି ବଢି ବିଛେଇ କିଏ ତାକୁ ଦବ କହିଲ?ତମେ ଯଦି ଅନୁମତି ଦିଅନ୍ତ…..?ମାଳତୀ ଦେବୀଙ୍କ କଥା ଶୁଣି ନୀରବ ରହିଲେ କମଳାକାନ୍ତ ବାବୁ।ସ୍ବାମୀଙ୍କ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବଭଙ୍ଗୀ ଦେଖି ମାଳତୀ ଦେବୀ ଠିକ୍ ଠଉରେଇ ନେଲେ,ଏପର୍ଯ୍ୟନ୍ତ ସେ କୁନାଲ୍ କୁ କ୍ଷମା କରିନାହାନ୍ତି। ତା’ ପସନ୍ଦରେ ସହରୀ ଝିଅକୁ ବାହା ହେଇଗଲା ବୋଲି କ’ଣ ପାପ କରିଦେଲା?ସ୍ବାମୀଙ୍କ ନୀରବତାରେ ଅତିଷ୍ଠ ହେଇ ଚୁପ୍-ଚାପ୍ ଚାଲିଗଲେ ମାଳତୀ ଦେବୀ।ପରଦିନ ନିରୋଳାରେ ସନାପୁଅ ମଦନାକୁ ଡାକି ବଢି ପାର୍ସଲ୍ କରି ପଠେଇଦେଲେ କୁନାଲ୍ ପାଖକୁ।ମଦନା କୁ ବି ରୋକ୍ ଠୋକ୍ ମନା କରିଦେଲେ କୁନାବାପାଙ୍କୁ ନଜଣେଇବା ପାଇଁ।ବଢି ପାର୍ସଲ୍ କଥା କୁନାଲ୍ କୁ ବି ଜଣେଇ ନାହାନ୍ତି।ମନେ ମନେ ଭାବିଲେ ସେ ହଠାତ୍ ପାର୍ସଲ୍ ଭିତରେ ବଢିକୁ ଦେଖି ବହୁତ ଖୁସି ହେଇଯିବ।
ତିନି ଚାରି ଦିନ ବିତିଗଲାଣି ଅଥଚ କୁନାଲ୍ ବଢି ପାଇଲା କି ନାହିଁ କାହିଁ ଜଣେଇଲାନି ତ?ଏକଥା ମନେ ମନେ ଘୁଣି ହେଉଥାନ୍ତି କୁନାବୋଉ।ମଦନାକୁ ଯାଇ ପଚାରିଲେ ତୁ ପାର୍ସଲ୍ ଠିକ୍ ରେ ପଠେଇଚୁ ତ?ମଦନା କହିଲା ତମେ ବ୍ୟସ୍ତ ହୁଅନି ମ ବଡବୋଉ!ଟିକେ ସମୟ ଲାଗିବ।ପହଞ୍ଚିଲେ ସେ ଆପେ ଜଣେଇବନି?
ସେପଟେ ସହରର ଗାଡି ମଟରର କେଁ କଟର,ଅଫିସ୍ ଓ୍ବାର୍କଲୋଡ,ଧାଁ ଧପଡ ଭିତରେ ଅଣନିଃଶ୍ବାସୀ ହେଇଯାଉଥିଲା କୁନାଲ୍।ପ୍ରେମ ବିବାହ କରିଛି ବୋଲି ବାପାଙ୍କ ଆଖିରେ ମହାପାପୀ।ବୋଉ ସିନା ପଦେ ଦି ପଦ କଥାହୁଏ,ହେଲେ ଗାଁକୁ ଭାରି ଝୁରୁଛି କୁନାଲ୍।ଆଜି ରବିବାର ବୋଲି ଘରେ ଅଛି ସେ।ସକାଳୁ ସକାଳୁ ବାଲକୋନିରେ ବସି ଘରକଥା ଭାବୁଥାଏ।ଏତିକିବେଳେ ସ୍ତ୍ରୀ ସୁନନ୍ଦା କହିଲେ ତମକୁ କ’ଣ ଭୋକ ହେଇନି?କେତେବେଳୁ ତ ବ୍ରସ୍ କଲଣି,ଆସୁନ ଖାଇବ।କୁନାଲ୍ ପଚାରିଲା କ’ଣ କରିଛ ଖାଇବାକୁ?ସୁନନ୍ଦା କହିଲେ କାଲି କିଛି ଭାତ ବଳିଥିଲା ସେଇଆକୁ ପଖାଳ କରିଦେଇଛି,ଅଣ୍ଡା ଆମଲେଟ୍ ବି ।ପଖାଳ କଥା ଶୁଣି ଗୋଟେ ହାଲ୍-କା ହସ ଖେଳିଗଲା କୁନାଲ୍ ଓଠରେ।ଗାଁ କଥା ଆହୁରି ମନେ ପଡିଗଲା।ମନେ ପଡିଗଲା ବୋଉ ହାତର ପଖାଳ,ବଢିଚୁରା କଥା।
ସୁନନ୍ଦା ପଖାଳ ବାଢିଦେଲେ,କୁନାଲ୍ ଖାଇବା ପାଇଁବସିଗଲା।ପଖାଳ ଗଣ୍ଡାକ ପାଟିରେ ନପୁରଉଣୁ କୁନାଲ୍ କହିଲା ବୁଝିଲ ସୁନନ୍ଦା ତମେ ଯାହାକୁହ ପଛେ,ମୋ ବୋଉ ହାତର ବଢିଚୁରା ଥିଲେ,ମୁଁ ଦି କଂସା ପଖାଳ ଉଠେଇ ଦେବି।ଇଏ ଅଣ୍ଡା ଆମଲେଟ୍ କୁ କିଏ ପଚାରେ?
ଆଛା ସୁନନ୍ଦା!ତମେ ବଢି ବିଛେଇ ପାରିବ?ବଢି କଥା ଶୁଣି ନାକ ଟେକିଲେ ସୁନନ୍ଦା।ଛିଃ ! ଛିଃ ! ଆମ ଘରେ କେହି ବଢି ଖାଆନ୍ତିନି ବା! ଗାଉଁଲି କୋଉଠିକାର!ଏତିକି କହି ହସିଦେଇ ରୋଷେଇ ଘର ଆଡକୁ ଚାଲିଗଲେ ସୁନନ୍ଦା।
କୁନାଲ୍ ପଖାଳ ଖାଇସାରି ଉଠିଲା ବେଳକୁ ନଜର ପଡିଲା ରୁମ୍ କୋଣରେ ପଡିଥିବା ଚିରା ପାର୍ସଲ୍ ଉପରେ।ପାର୍ସଲ୍ ଉପରେ ଲେଖାଥିବା ଠିକଣା ଦେଖି ଜାଣିପାରିଲା ତା’ ବୋଉ ପଠେଇଛି ବୋଲି।ହଠାତ୍ କିଛି ସମୟ ପାଇଁ ଅବାକ୍ ହେଇଗଲା ସେ।ଚିରା ପାର୍ସଲ୍ ଖୋଳ ପଡିଛି ଅଥଚ ଜିନିଷ କାହିଁ?ହଠାତ୍ ଦେଖିଲା ଡଷ୍ଟବିନ୍ ରେ ପଡିଛି ମେଞ୍ଚାଏ ବଢି।ଧଳା ଫରଫର ମଞ୍ଜିବଢି।ଯୋଉଟା କୁନାଲ୍ ର ଭାରି ପସନ୍ଦ।
କିଛି ସମୟ ନିର୍ବାକ୍ ହେଇ ଚାହିଁ ରହିଲା ଡଷ୍ଟବିନ ଭିତରକୁ। ତା’କୁ ଲାଗୁଥାଏ ଡଷ୍ଟବିନ୍ ଭିତରେ ବଢି ନୁହଁ ତ ତା’ ବୋଉ ପଡିଛି ମୋଡିମାଡି ହୋଇ।ସେତେବେଳକୁ ତା’ ଦି ଆଖିରେ ଲୁହ ଜକେଇ ଆସିଲାଣି।
ହଠାତ୍ ରାଗରେ ରକ୍ତମୁଖା ହୋଇ ଚିତ୍କାର କଲା :- ସୁନନ୍ଦା !!!!!ସୁନନ୍ଦା!!!!!!!
କନିଷ୍ଠ ଶିକ୍ଷକ,
ଗୌଡୁଣୀପୋଖରୀ ସରକାରୀ ଉ:ପ୍ରା: ବିଦ୍ୟାଳୟ,
ଚାନ୍ଦବାଲି,ଭଦ୍ରକ ।
340 total views, 1 views today