ଆଉ ଥରେ ଫେରି ଆସ ହେ ରାମ
ଆଉ ଥରେ ଫେରି ଆସ ହେ ରାମ
ଯଶ ପୁଣି ଉଡୁ ତୁମରି ନାମ,
ଆମ ଏ ଭାରତ
ଭୂମିରେ ପବିତ୍ର
ତୁମ ପରି କିଏ ହୋଇନି ଜନ୍ମ ।
ମୋ ସୀତା ମାତାଙ୍କୁ ଉଦ୍ଧାର ପାଇଁ
ଯାଇଥିଲ ପ୍ରଭୁ ସମୁଦ୍ର ଡେଇଁ,
ଆଜି ତୁମ ବିନେ
ସୀତାର କ୍ରନ୍ଦନେ
କାନ୍ଦୁଅଛି ସାରା ଭାରତ ଭୂଇଁ ।
ଥରେ ଉଭା ହୋଇ ଭାରତ ରୂପ
ଦେଖି ଯାଅ ପ୍ରଭୁ ହେ ନରାଧିପ,
କେତେ ଅସହାୟ
ରମଣୀଙ୍କ ମୁହଁ
ହୋଇ ଯାଉଅଛି ଆଜି କୁରୂପ ।
ଭାତୃ ପ୍ରୀତି ଆଉ ନାହିଁ ଏଠାରେ,
ମାତନ୍ତି ସରବେ ଅହମିକାରେ,
ରାମରାଜ୍ୟ ସ୍ବପ୍ନ
ମଉଳଇ ମନ
ଭରିଛି ହୃଦ ଛଳନା କାଳିରେ ।
ପିତୃମାତୃ ଭକ୍ତି ହଜି ଗଲାଣି
କେହି ଏଠି କାହା କଥା ଶୁଣୁନି,
ନିଜ ମନେ ରଜା
ପୁଣି ସାଜି ପ୍ରଜା
ସେଥିପାଇଁ ପଡେ କେତେ ଭାଳେଣି ।
ଗୁରୁ, ଗୁରୁଜନେ ବି ଭକ୍ତି ଭାବ
ନାହିଁ ପ୍ରଭୁ ଆଉ କାହରି ଠାବ,
ନୀତି ଆଦରଶ
ଭୁଲି ଏ ମଣିଷ
ସାଜିଛି ପୁଣି ବିରାଡ଼ି ବୈଷ୍ଣବ ।
ସ୍ବାର୍ଥକୁ ସାରଥୀ କରି ଚାଲିଛି
ମୁଁ ମୋର ଭାବ ଧରି ରଖିଛି,
ନିଜ ସୁଖେ ଧାଇଁ
ସମ୍ପର୍କ ତୁଟାଇ
ଅବାଟକୁ ବାଟ ସେତ ମଣୁଛି ।
ମର୍ଯ୍ୟାଦା ପୁରୁଷ ଅଯୋଧ୍ୟା ଈଶ
ସତ୍ୟ, ଧର୍ମ, ନ୍ୟାୟ ଧରିଣ ଆସ
ସୁଖ, ଶାନ୍ତି ପ୍ରାପ୍ତେ
ଚଳି କର୍ମ ପଥେ
ଯେପରି ଉନ୍ନତି ଲଭୁ ମଣିଷ ।
ବିନୋଦିନୀ ଦାଶ
ଯାଜପୁର
249 total views, 1 views today