ଆଉ ସେ ପାରୁନି
ସହଦେବ ବେହେରା
==================
ସଜେଇ ରଖିଛି ଶେଯରେ ଗୋଲାପ
କାନ୍ଥେ ଆଙ୍କି ପ୍ରେମ ମୁଦ୍ରା
ଅନାଇ ରହିଛି ହୃଦୟ କନ୍ଦରେ
ମାଡି ଆସେ ଘନ ତନ୍ଦ୍ରା ।।
ଅବଗୁଣ୍ଠା ହୋଇ ବସିଛି ପଲଙ୍କେ
ଆଭୂଷଣେ ହୋଇ ସଜ
ପହିଲି ଫଗୁଣେ ତମ ସେ ପରଶ
ଭାବିଦେଲେ ଆସେ ଲାଜ ।।
ଝରକା ଫାଙ୍କରେ ଜହ୍ନର ଆଲୋକ
ଲୁଚାଇ ନେଲାଣି ମୁହଁ
ମନ ଦରଜା ମୋ ଖୋଲା ରଖି ଅଛି
ଥରୁଟେ କଣେଇ ଚାହଁ ।।
ସପନ ଭିଜା ସେ ସପନ ରାତିଟା
ଗୋପନରେ ରହିଯାଉ
ପ୍ରୀତି ପ୍ରଣୟର ସୁହାଗ ମନଟା
ମଉଳି କେବେ ନଯାଉ ।।
ମୋ ଜୀବନ ଅର୍ଘ୍ୟ ସଜ ଫୁଲ ପରି
ସାଇତି ରଖିଛି ତାକୁ
ମୋ ମନ ମନ୍ଦିରେ ବନ୍ଦାପନା କରି
ସମର୍ପି ଦେବି ତମକୁ ।।
ନିର୍ଲିପ୍ତ ନୟନ ଯୁଗଳ ମୋହର
ଅପେକ୍ଷାରେ ଅଛି ରହି
ଉଛୁଳା ମନ ମୋ ଉଛୁଳି ପଡୁଛି
ଆଉ ସେ ପାରୁନି ସହି ।।
==============
ମଙ୍ଗରାଜପୁର, କେନ୍ଦୁଝର
235 total views, 1 views today