ଆମେ ସ୍ବାଭିମାନୀ ଓଡ଼ିଆ
ସୀମାଞ୍ଚଳ ପଣ୍ଡା
ସ୍ନେହ ମମତାର ଅତୁଲ୍ୟ ଭଣ୍ଡାର
ଆତିଥ୍ୟ ମହତ୍ତ୍ଵ ସଂସ୍କାରେ ସାର,
ବୀରତ୍ୱ କୃତିତ୍ୱ ଧର୍ମ ଜ୍ଞାନ ତତ୍ତ୍ୱ
କଳା ବାଣିଜ୍ୟରେ ବିଶ୍ୱ ବିଭୋର।
ଆମେରେ ଓଡ଼ିଆ ସଂସାରେ ବଢ଼ିଆ
ମଣୁଛୁ ବସୁଧା କୁଟୁମ୍ବ ପରି,
ଭାଳୁ ନାହୁଁ ଆମେ ଭେଦ ଭାବ ନାମେ
ବଞ୍ଚିବୁ କୁତ୍ସିତ ବିଚାର କରି ।
ଜଗତ କରତା ବିଶ୍ୱ ମାତା ପିତା
ଶ୍ରୀକ୍ଷେତ୍ରୁଁ ଧରନ୍ତି ସଂସାର ଡୋର,
ସ୍ନେହ ମମତାର ଅତୁଲ୍ୟ ଭଣ୍ଡାର
ଆତିଥ୍ୟ ମହତ୍ତ୍ଵ ସଂସ୍କାରେ ସାର ।
ସମ୍ମାନରେ ବାମ ନୁହେଁ ଆମ କାମ
ସ୍ୱାଭିମାନ ଆମ ପରାଣ ନିଧି,
ସଂସାର ସେବାରେ ସମ୍ମାନ ଦେବାରେ
ଅପାର ଆନନ୍ଦ ସିଦ୍ଧି ପ୍ରସିଦ୍ଧି।
ଆମେ କର୍ମୀ ଧର୍ମୀ ସଚ୍ଚା ବିଶ୍ୱ ପ୍ରେମୀ
ବିଶ୍ୱ ହିତେ ଆମ ଜୀବନ ବନ୍ଧା,
ସ୍ୱାଭିମାନୀ ଆମେ ସର୍ବଦା ସ୍ୱଧର୍ମେ
ସଚେତନ ନିତ୍ୟ ସତ୍ୟ ସୁଗନ୍ଧା ।
ତ୍ୟାଗ ସମର୍ପଣ ପରମ କାରଣ
ସ୍ୱାର୍ଥେବ୍ୟର୍ଥେ କେବେ ନୋହୁଁ ଆତୁର,
ବୀରତ୍ୱ କୃତିତ୍ୱ ଧର୍ମ ଜ୍ଞାନ ତତ୍ତ୍ୱ
କଳା ବାଣିଜ୍ୟରେ ବିଶ୍ୱ ବିଭୋର ।
ସବୁ ଗଲେ ଯାଉ ସ୍ଵାଭିମାନ ରହୁ
ଇଏ ପରା ଆମ ସ୍ୱ-ପରିଚୟ,
ଆମେ ସ୍ବାଭିମାନୀ ଜଗନ୍ନାଥ ପ୍ରେମୀ
ସତ୍ୟ ସନାତନୀ ସ୍ୱଚ୍ଛ ହୃଦୟ।
ଶିକ୍ଷକ, ଡେଙ୍ଗାଡି,ଗଞ୍ଜାମ