ଆଶ୍ୱାସନା
ଦରଦୀ ପ୍ରାଣରେ ମିଠା ଭରି ଯାଏ
ଆଶ୍ୱାସନା ଟିକେ ଥିଲେ,
ଛଳନା କପଟ ଦୂର ହୋଇ ଗଲେ
ସ୍ୱଚ୍ଛତା ପରଶ ମିଳେ।
ଦୁଃଖୀ ମନ ଆତ୍ମା ଅଶାନ୍ତ ବଳୟେ
ଚକ୍ରବୁହ୍ୟ ମଧ୍ୟେ ଥାଏ,
ସାନ୍ତ୍ବନା ମଲମ ଟିକେ ମିଳି ଗଲେ
ଦୁଃଖ ଲାଘବ ଯେ ହୁଏ।
ବନ୍ଧୁ ଦେଇଥାଏ ଆଶ୍ଵାସନା ପୁଣି
ଦେଇଥାଏ ଧୈର୍ଯ୍ୟ ଶକ୍ତି,
ସେନେହ ପ୍ରେମର ମଲମ ଲଗାଇ
କାଢି ଦିଏ ମନୁ ଭୀତି।
ସନ୍ତାନ ଦୁଃଖରେ ମାତା ଆଶ୍ଵlସନା
ସଞ୍ଜିବନୀ କାମ କରେ,
ପରିବାର ମଧ୍ୟେ ବୁଝାମଣା ଥିଲେ
ଆଶ୍ଵାସନା ପ୍ରୀତି ଝରେ।
ଗୁରୁ ନୀତିବାକ୍ୟ ଶିଷ୍ୟଙ୍କ ଜୀବନେ
ଉନ୍ନତିର ପଥ ସେହି,
ପରୋପକାରରେ ଜୀଵନ ବିତିଲେ
ଜୀଵନ ଧନ୍ୟ ହୁଅଇ।
ଜନନୀ ଜନ୍ମଭୂମି ସେବା କରୁଥିଲେ
ମନ ପ୍ରାଣ ଢାଳି ଦେଇ,
ସଂସ୍କାର ସଂସ୍କୃତି ବଞ୍ଚାଇ ରଖିବା
ଆଶ୍ଵାସନା ମାର୍ଗ ଏହି।
କେତେ ପୂଣ୍ୟ ବଳେ ମଣିଷ ଜନମ
ଭକ୍ତିର ପଥ ବାଛିବା,
ବିଭୁ ଆରାଧନା ନିତ୍ୟ କରୁଥିବା
ତାଙ୍କ ପଦ ପୂଜୁ ଥିବା।
ଦୁଃଖିରଙ୍କୀଙ୍କର ସେବା କରୁଥିବା
ମୁଖେ ଦେବା ଗଣ୍ଡେ ଅନ୍ନ,
ଶାଶ୍ୱତ ପ୍ରେମରେ ଦିନ ବିତାଇବା
ଜୀଵନ ହୋଇବ ଧନ୍ୟ।
ବାର୍ଦ୍ଧକ୍ୟରେ ପିତା ମାତାଙ୍କୁ ସେବିବା
ସ୍ନେହ ପ୍ରେମ ଟିକେ ଦେଇ,
ଆଶ୍ୱାସନା ପାଇଁ ପୁଲକିତ ହେବେ
ପିତା ମାତା ଆମ ଦୁଇ।
ବାସନ୍ତୀ ଲତା ଜେନା
ନବରଙ୍ଗପୁର