`ଆଶା‘
ସେଦିନ ବିଦ୍ୟାଳୟ ରେ ସଅଳ ସଅଳ ଗଣେଶଙ୍କ ପୂଜା
ସାରି ,ଆରତୀ ଫେରି ଆସିଥିଲା ଘରକୁ।ସ୍ବାମୀଙ୍କ ସାଥେ କୁନି କୁନି ଦୁଇ ପିଲାଙ୍କୁ ସାଥିରେ ନେଇ,ନବାନ୍ନ
ଉପଲକ୍ଷ୍ୟେ ସପରିବାର ଚାଲୁଥିଲେ ସମ୍ବଲପୁର ସହର
ଅଭିମୁଖେ।ଶାଶୁ,ନଣନ୍ଦ,ଜା,ଦେଢଶୁର,ଦିଅର,ପୁତୁରା,ଝିଆରୀଙ୍କ
ଗହଣରେ ପୁରି ଉଠୁଥିଲା ସାରା ଘର।ବଡ ଜା ଓ ସାନ
ଜା ଅପୂର୍ବ ରୂପ ଲାବଣ୍ୟବତୀ।ସେମାନଙ୍କ ସମ୍ମୁଖରେ
ଆରତୀ ଯେମିତି କିଛି ନୁହେଁ।କେବଳ ଗୋରା ଚମଟିଏ
ସତେ ଯେମିତି ଆବୃତ କରି ରଖିଛି ତାର କଙ୍କାଳସାର
କ୍ଷୀଣ କାୟାଟିକୁ।ଆଉ ସେଇଥିପାଇଁ ,ଆରତୀକୁ
ସମସ୍ତଙ୍କ ସମ୍ମୁଖରେ ଅପମାନିତ ହେବାକୁ ପଡେ।ଯେତେବେଳେ ବଡ ଜା,ସାଙ୍ଗ ସାଥୀଙ୍କ ଗହଣରେ ସୁନ୍ଦରୀ ସାନ ଜା ର ପରିଚୟ ଦିଅନ୍ତି।ଆଉ ଆରତୀର
ପରିଛୟ ଦେବାକୁ ଗଲେ,ତାର ଶ୍ରୀହୀନତା ପାଇଁ ସଫେଇ ଦିଅନ୍ତି,ସେ ଚାକିରି କରୁଛି,ବହୁତ ଦୂରକୁ ଯାଉଛି,ଶିକ୍ଷକତା କରୁଛି।ତା’ର ଶ୍ରୀହୀନତା ସତେ ଯେମିତି ସେମାନଙ୍କ ସମ୍ମାନରେ ବାଧା ଦେଇଥାଏ।
ସବୁ ବୁଝିପାରେ ଆରତୀ।କେଉଁ ମାନ୍ଧାତା ଅମଳରୁ ସେ ହସିବା ଯେମିତି ଭୁଲି ଯାଇଛି।ଅଭାବ,ଅନାଟନ,ପରିବାରର ବୋଝ,କୁଣିଆଁ ମୈତ୍ର ଭିତରେ ପେସି ହୋଇ ରହିଯାଇଛି ଆରତୀ।
ନାହିଁ ନାହିଁ ଭିତରେ ବଂଚିବାର ପ୍ରୟାସ କରିଛି ସେ।
ପିଲା ଦୁଇଟିଙ୍କୁ ମଣିଷ କରିବାର ଅଦମ୍ୟ ପ୍ରୟାସରେ
ଭୁଲି ଯାଇଛି ସେ ବ୍ୟକ୍ତିଗତ ସୁଖ ସ୍ବାଛ୍ଛନ୍ଦ୍ୟକୁ।ସ୍ବାମୀଙ୍କ
ବେସରକାରି ଚାକିରି ସହିତ ସ୍ବଳ୍ପ ବେତନ।ଅନେକ ଥର ସହକର୍ମୀ ଙ୍କ ଗହଣରେ ମୀନା ଦିଦିଙ୍କ ଟାହି
ଟାପରା ମଧ୍ୟ ଶୁଣିବାକୁ ପାଇଛି।”ତୋ ସ୍ବାମୀଙ୍କ ଦରମା
ଗଣ୍ଡାକ ତ ,ତାଙ୍କ ପାନ ଖିଆକୁ ନିଅଣ୍ଟ।ଆଉ କିଏ କିଏ କହନ୍ତି ,ତୁ ତ ଅଶୋକ ବାବୁଙ୍କ ସଂସାରର ଗାଡିକୁ ଟାଣି ନେଉଛୁ।ଏଇ କଥା ସବୁ ଆରତୀକୁ ବିଛଳିତ କରେ ତାହା ନୁହେଁ,ତା ପିତା ମାତା,ଭାଇ
ଭଉଣି ସଭିଏଁ ଯେମିତି,ତା ସ୍ବାମୀଙ୍କୁ ଅଯୋଗ୍ୟ ହୀନ
ବୋଲି ଭାବନ୍ତି,ତାହା ସେ ହୃଦ୍ଗମ କରେ।
ନିରୀହ,ନିଷ୍କପଟ,ସ୍ନେହୀ ସ୍ବାମୀଙ୍କ ଅପମାନକୁ ସହି
ପାରେନା ତାର କୋମଳମତୀ ପତ୍ନୀ ପ୍ରାଣ।ଅଭାବ
ଅନାଟନରେ କବଳିତ ଆରତୀର ସ୍ବାମୀଙ୍କ କିଡ୍ନୀରେ
ଅଚାନକ ଟ୍ୟୁମର୍ ହୁଏ।ବାଧ୍ୟ ହୋଇ ଡାକ୍ତର ଗୋଟିଏ
କିଡ୍ ନି କାଢି ନିଅନ୍ତି।ଆରତୀ ମଧ୍ୟ ଅନେକ ରୋଗରେ
ପିଡିତ ହୁଏ।ବିଦ୍ୟାଳୟରୁ ଫେରିବା ପରେ ସେ ମସ୍ତିଷ୍କ
ରୋଗ ଦାଉରୁ ଶଯ୍ୟାରୁ ଉଠି ପାରେନା।ମସ୍ତିଷ୍କର ତୀବ୍ର
ଯନ୍ତ୍ରଣା ,ତାର ମନ ,ପ୍ରାଣ ଓ ସମଗ୍ର ଶରୀରଟିକୁ ନିସ୍ତେଜ କରିଦିଏ।
ତଥାପି,ଜୀବନରେ ହାଳ ମାନି ନଥିଲା ଆରତୀ।ଦିନେ ନା ଦିନେ,ତା ସ୍ବାମୀଙ୍କ ଚାକିରି ସ୍ଥାୟୀ ହେବ,ଦୁଇ ପତି
ପତ୍ନୀ ସୁସ୍ଥ ହେବେ,ସନ୍ତାନ ଦୁଇଟି ମଣିଷ ହେବେ।ଏଇ
ଆଶାଓ ବିଶ୍ବାସ ନେଇ ବଂଚୁଥିଲା ସେ।ଗୋଟିଏ କିଡ୍ନି
ଥିଲେ ମଧ୍ୟ ସ୍ବମୀ ସୁସ୍ଥଥିଲେ।ଚାକିରି ପାଇଁ ବାରମ୍ବାର
ଭୁବନେଶ୍ବର ଧାଉଁ ଥିଲେ।ସଜଳ ନେତ୍ର ଓ ଅକୁହା କୋହ ରେ ଅପେକ୍ଷା କରିଛି ଆରତୀ।ଦିଅଙ୍କ ଠାରେ କେତେ ନେହୁରା ହୋଇଛି,ମିନତୀ କରିଛି।
ଏମିତି ଦିନେ ହଠାତ୍ ଭୂବନେଶ୍ବରରୁ ସ୍ବମୀଙ୍କ ଫୋନ୍
ଆସେ।ସେ କୁହନ୍ତି”ମୋ ଚାକିରି ସ୍ଥାୟୀ ହୋଇଗଲା।”
ସେ ଦିନ ମାଁ ଛୁଆଙ୍କ ଆନନ୍ଦ କହିଲେ ନସରେ।
ଆରତୀ ର ସଂସାରର ଦୁଃଖର ଅସ୍ତଗାମୀ ସୂର୍ଯ୍ୟ ପୁଣି
ଥରେ ଆଶାର ଆଲୋକ ନେଇ ଉଦିୟମାନ ହେଉଥିଲା
ନିରୀହ ସ୍ବାମୀଙ୍କ ମୁହଁର ଦରୋଟି ହସକୁ ଅନାଇଁ ତା’
ଆଖିରୁ ଧାରଧାର ହୋଇ ବହି ଯାଉଥିଲା ଆନନ୍ଦାଶ୍ରୁ।
ସ୍ବାମୀଙ୍କ ପାଦ ପଙ୍କଜରେ ମଥାରଖି ଧୋଇ ଦେଉଥିଲା,
ଅଶ୍ରୁରେ।ପ୍ରକୃତିସ୍ଥ ହେଲା,ଆରତୀ।ସ୍ବାମୀ,ତା ଆଖି
ଲୁହକୁ ପୋଛି ଦେଇ କହୁଥିଲେ,କାନ୍ଦନା,ଆଜି ଆମ ଆଶା ପୂରଣ ହୋଇଛି।ଅନେକ ଦିନର ସ୍ବପ୍ନ ସାକାର
ହୋଇଛି।ଆସ ଆମେ ସୁନାର ସଂସାର ଗଢିବା।
ଅଭାବର ବୋଝ ଉତୁରି ଯାଉଥିଲା,ଆରତୀର ମୁଣ୍ଡରୁ।
ସେ ଓ ସ୍ବାମୀ ମଧ୍ୟ ଧୀରେ ଧୀରେ ସୁସ୍ଥ ହୋଇ ଯାଉଥିଲେ।
ଭାରତୀ ପଣ୍ଡା,ବୁର୍ଲା,ସମ୍ବଲପୁର
୯୪୩୮୬୪୪୧୫୩
319 total views, 2 views today