ଅପେକ୍ଷା….
ତୁମେ କହିଥିଲ ଜଳିବା ପାଇଁ
ପୁଣି କ୍ରୋଧର ନିଆଁରେ ନୁହଁ ,
ପ୍ରେମର ନିଆଁରେ।।
ଗୋଟେ ଶୁଖିଲା ସଳିତାଟେ ହୋଇ।
ହେଇ, ଦେଖୁନ!!
ମୁଁ କେମିତି ଜଳୁଛି
ସେଇ ପ୍ରେମର ନିଆଁରେ
ଆଉ ଜଳିପୋଡି ଗଲାଣି
ମୋ ଅର୍ଦ୍ଧାଙ୍ଗ ଯୌବନ,
ମେଞ୍ଚାଏ ସୌନ୍ଦର୍ଯ୍ୟ।।
ଟିକେ ଦେଖ ତ’!!!
ସେ ବହଳିଆ ଧୁଆଁ ସବୁ କେମିତି ଜାବୁଡ଼ି ଧରିଛନ୍ତି
ମୋତେ,,,
ମୋ ବାକିତକ ଆଶାକୁ।।
ହେଲେ ମୁଁ ଜମାରୁ ଲୋଡୁନି
ପ୍ରୀତିର ବଟିକା,
ସ୍ପର୍ଶର ମଲମ।
ମୁଁ ତ’ ହେବାକୁ ଚାହେଁ ଆହୁରି ରକ୍ତାକ୍ତ,
ଆଉ ଦୁଇଇଞ୍ଚ ଗଭୀର କରିବାକୁ ଚାହେଁ
ମୋ ପ୍ରତିଟି କ୍ଷତ।
ଅପମାନର ଜ୍ୱାଳାରେ ନୁହେଁ ମ’
ତୁମ ଅପେକ୍ଷାରେ, ଅପେକ୍ଷାର ମିଠା ଅନୁଭବ ପାଇଁ…..
ଧେତ୍!! ଏ ବାରମାସୀ ମନଟା ପରା ଜମା ବୁଝୁନି
ଚୁପ୍ କିନା କହିଯାଉଛି
ସେ ଷ୍ଟିଲ ଝରକା ପାଖରେ ,,
ତୁମେ ଆସିବ ବୋଲି।
ଆଉ ତୁମ ପାଦଚିହ୍ନ ବି ଇସରା କରିକି କହିସାରିଲାଣି,
ତୁମେ ନିଶ୍ଚେ ଆସିବ ,
ମୋ ଢଳମଳ ଯୌବନର ଉପସ୍ଥିତିରେ ନହେଲେ ବି
ମୋ ମୃତ୍ୟୁ ପରେ ଆସିବ,
ଅପେକ୍ଷାରତ ପାଉଁଶକୁ ଦେଖିବା ପାଇଁ
ନିଶ୍ଚୟ ଆସିବ……
ସାଇପ୍ରଭା ସୂତାର
ଚରମ୍ପା
ଭଦ୍ରକ