ଅପାରଗ

©ବିନୟ କୁମାର ମହାନ୍ତି

ଅନେକ ଅପବାଦର ଅର୍ଗଳି
ଅନ୍ଧାରର ଅନ୍ଧ ଗଳିରେ
ତୋର ଅସହାୟ ଲୁହ ମାନେ
ନଈ ହୋଇ ବୋହି ଗଲେଣି।

ଏ ଲୁହ ମାନେ ବି ଅନାଥ ଅରକ୍ଷିତ
ଓ ଅସମ୍ଭବ ସ୍ଵାଭିମାନୀ ,
ବୋହିଗଲା ବେଳେ କାହାର
ସାହାରା ଲୋଡନ୍ତିନି,
ଜାଗା ଅଜାଗା
ବେଳ ଅବେଳ ନ ଥାଏ,
ଟିକିଏ ଆହାଃରେ
ଲୋଟିପଡନ୍ତି ଛାତିରେ।

ହାତ ପାଦରେ ପଡ଼ିଥିବା
ଯୁଗ ଯୁଗର ବେଡି
ଖୋଲିବ ଖୋଲିବ
ଖୋଲୁ ନ ଥାଏ
ଅନ୍ଧାର ପଞ୍ଝାରୁ
ମୁକୁଳୁ ନଥାଏ ମୋକ୍ଷ।

ବିଶ୍ବାସ ଭାଙ୍ଗୁଥାଏ,
ଗଢିବାର ଦାନାବାନ୍ଧୁଥାଏ,
ଗଢିହେବା ଆଗରୁ ପୁଣି
ଭାଙ୍ଗିବାର ଷଡ଼ଯନ୍ତ୍ର ଚାଲିଥାଏ
ନିଆଁ ଲଗା ପଥରଟି ଜମା ବି
ହୁଙ୍କୁ ନଥାଏ ବାଟରୁ।

ମୋର ତମାମ ବ୍ୟଥା ଓ
ଅହେତୁକ ପ୍ରାର୍ଥନା ତୋର ଲୁହ
ପୋଛି ନପାରି ସନ୍ୟାସୀ ହେବାର
ଛଳନା ଆରମ୍ଭ କରି ଦେଲେଣି।

ପିଜୁଳି ଗଛରେ ବସି
ସୁଖ ଚାଖୁଥିବା ପକ୍ଷୀ
ଭବିଷ୍ୟତର ମଞ୍ଜି ହଗି ସାରିଲାଣି,
ମୁଁ ଏଇଥି ପାଇଁ ଆଶ୍ଚର୍ଯ୍ୟ ହେଉନି ଯେ ମୋର ଆଶ୍ଚର୍ଯ୍ୟ ହେବା ପରି
ଅନେକ ଅପଗଣ୍ଡ ସ୍ଵପ୍ନ
ନିଜ ନିଜର ଆସ୍ଥାନ ମାଡି ବସିଲେଣି
ମୁଁ ଯାହା ପୋଥିଟେ ଖୋଲି ପାରୁନି।

କୋଉ ପୋଥି ଖୋଲନ୍ତି!

ମାସ ମାସ ଧରି ହରତାଳ ଚାଷୀ
ଗଜା ମରୁଡି କ୍ଷେତରେ
ବଇଁଶୀ ବଜାଉ ଥିବା ରାଜା
କୁଞ୍ଚ ସଜାଡୁ ଥିବା ମନ୍ତ୍ରୀଙ୍କ
ଦେଶ ପ୍ରେମକୁ ସଂଦେହ
ନ କଲେ ମଲି କଲେ ମଲି।

ମୋ ଅଗଣାର ଫୁଲଗଛମାନେ
ମୋର ଆୟୁଧ ଓ ଅଧିକାରକୁ
ନେଇ ତର୍କ ଆରମ୍ଭ କରି ଦେଲେଣି।

ଯେଉଁ ଅବଗୁଣ୍ଠନବତୀ ଇଶ୍ବରୀର
ଚିତ୍ର ଅଙ୍କାଯାଇଥିଲା କାନ୍ଥରେ
ତା ଉପରେ ଅବସୋସର ଶିଉଳି
ଜମି ଗଲାଣି।

ମୋର ପାରଗପଣିଆ
କଥା ପଚାରୁଚୁ!

ତାକୁ ତ ବେଲୁନ କରି ଉଡେଇ ଦେଇଛି ଆକାଶକୁ,
ଅତୀତ ବର୍ତ୍ତମାନ ଓ ଅତୀତକୁ
ଫୁ କରି ଉଡେଇ ଦେଇଛି
ଏକା ବେଳେ।

କାହିଁକି?
ଏ ପ୍ରଶ୍ନର ଉତ୍ତର
ଅଛି କି କାହା ପାଖରେ!
————————-
ଅନ୍ଦୁଳି
କେନ୍ଦ୍ରାପଡ଼ା
ମୋ-୯୪୩୮୧୪୦୯୯୯
—————-————

 39 total views,  1 views today

Leave a Reply

Your email address will not be published. Required fields are marked *