ଅନ୍ଧାରି ରାଜନୀତି
ରାଜନୀତି ଆଜି
ଲୁଣ୍ଠିତ ଅର୍ଥନୀତି ର ଦରବାର ରେ…
ଅନ୍ଧାରୀ ଇଲାକାର ବଦନାମୀ ପଶାଖେଳରେ
ସର୍ବହରା ହେଇ ପଡିଛନ୍ତି
କେତେ ନାରୀ …..
କିଏ ବା ମନେରଖିଛି ତାଙ୍କ ନାଁ, ଗାଁ
ବୟସ, ଉଚ୍ଚତା, ରଙ୍ଗ ଇତ୍ୟାଦି
ମନେଅଛି ତ କେବଳ ବହଳ ଅନ୍ଧାର
ଆଉ ଅନ୍ଧାରର ଉଜ୍ଜ୍ୱଳ ନାୟିକା
ମନେ ଅଛି ତାର ଆର୍ତ୍ତଚିତ୍କାର ଆଉ
ତାର ସେଇ ମଉଳା ଶରୀରର ବାସ୍ନା ।।
କୃଷକ ହେଉ ଅବା ସାମ୍ବାଦିକ
ସଭିଙ୍କ ଛାତିରେ ଲଙ୍ଗଳ ଚାଲେ
ଧସେଇ ଧସେଇ, ଫସ୍ ଫାସ୍
ଲହୁ ବଦଳେ ନିଗାଡ଼ି ଯାଏ
ଆତ୍ମ ସମ୍ମାନ ଆଉ ସ୍ୱାଭିମାନ
ଧର୍ଷିତା ହେଇ ଚାଲିଛନ୍ତି ସତ୍ୟ, ଧର୍ମ ଆଉ ସୁଖ
କେଜାଣି ନାରୀ କି ପୁରୁଷର ହାତରେ
ଅବା ଅଦୃଶ୍ୟରେ ଇଚ୍ଛାଧାରୀ ନାଗୁଣୀ ପରି
ରୂପ ବଦଳୁଥିବା ରାଜନେତା, ଜନନେତାଙ୍କ ଇସାରାରେ
ଆହୁରି କୁନି କଳିକାଙ୍କ ସ୍ବପ୍ନ ଭାଙ୍ଗିଯାଏ
ଦାରିଦ୍ର୍ୟତା, ଅଶିକ୍ଷା,ଅନାହାର ର ହାତୁଡ଼ୀ ମାଡ଼ରେ ।।
ଏପରି ସମସ୍ୟା ଘେରରେ
ଛଟପଟ ହେଉଥିବା ନିରୀହ ମନଟି ଖୋଜି ବସେ
କାହାର ଗୋଟେ ଶୀତଳ ସ୍ପର୍ଶ ପିଠିରେ
କେଇପଦ ସ୍ନେହବୋଳା କଥା
ଆହୁରି ସାହାଯ୍ୟ ଟିକିଏ
ସେଇ ସ୍ପର୍ଶ ସାହାଯ୍ୟ କଣ
ଜଣେ ରାଜନେତାର ଅଯାଚିତ ଉପହାର ହେଇ ପାରିବନି ?
କଣ ସାହାଯ୍ୟ ପାଇଁ ପଦବୀ ଲୋଡା ?
ନା ସାହସ ପାଇଁ ଅର୍ଥ ଲୋଡା ?
ତେବେ ବାଧା କାହିଁ , ବନ୍ଧନର ବେଢ଼ି କେଉଁଠି
ପ୍ରଶ୍ନ ମୋର ଉତ୍ତର ଆପଣମାନଙ୍କର 🤔
– ରାଜଶ୍ରୀ ପରିଡ଼ା
ଦୂରଭାଷା – ୬୩୭୧୬୦୬୧୬୫
9 total views, 2 views today
ଖୁବ୍ ସୁନ୍ଦର,ସମସାମୟିକ ସ୍ଥିତି ବର୍ଣ୍ଣିତ ହୋଇଅଛି ଏକ ଅସମାହିତ ପ୍ରଶ୍ନ କବିତା ମାଧ୍ୟମରେ ।