ଅମଳିନ ପଦଚିହ୍ନ
ପୂଣ୍ୟଭୂମି ଏ ଭାରତ ମାଟିର
ତୁମେ ଯୋଗ୍ୟତମ ସୁତ
ସତ୍ୟ ସ୍ୱାଭିମାନ ମହାମନ୍ତ୍ର ତୁମେ
ଦେଖାଇଲ ମୁକ୍ତିପଥ….
ଦେଖାଇଲ ମୁକ୍ତିପଥ….।
“ମୋତେ ରକ୍ତଦିଅ ସ୍ୱାଧୀନତା ଦେବି”
ପ୍ରେରଣା କାହାଣୀ ତୁମ
ଯେଷାକୁ ତେଷାର ବୀଜମନ୍ତ୍ର ଧ୍ୱନି
ଆଚରିବା ଥିଲା ଧର୍ମ ।
କଣ୍ଟାକୁ କଣ୍ଟାରେ କାଢିବା ପାଇଁକି
ଅଣ୍ଟା ଭିଡିଥିଲ ପଣେ
କଉଶଳ କରି ସାଜିଥିଲ ତୁମେ
ଆହା ଜାଗରୁକ୍ ଜଣେ!
ଆହା ଜାଗରୁକ୍ ଜଣେ!
ଆଜାଦ୍ ହିନ୍ଦ୍ ଫୌଜ ଗଢିଲ
ସ୍ୱଦେଶପ୍ରୀତିର ପାଇଁ
ଦିଲ୍ଲୀ ଚଲୋର ଡାକରା ଛାଡିଲ
ଇତିହାସ ଭୁଲି ନାହିଁ….
ଇତିହାସ ଭୁଲି ନାହିଁ….।
ଫିରିଙ୍ଗି ଶାସନ ହଟିଅଛି ଆଜି
ସ୍ୱାଧୀନ ଭାରତବାସୀ
ପାଇଲୁନି କିନ୍ତୁ ପ୍ରିୟ ନେତାଜୀଙ୍କୁ
ସ୍ମୃତିରେ ଝୁରୁଛୁ ବେଶି।
ଆଜି ନାହଁ ତୁମେ ଅକ୍ଷୟ କୀରତି
ରହିଛି ଜୀବିତ ହୋଇ
ନିର୍ଭୀକ ନେତାଜୀ ନେତୃତ୍ବ ତୁମର
ଶକ୍ତି ସାହସରେ ଚେଇଁ ।
ନେତାଜୀ ତୁମକୁ ପ୍ରଣାମ କରୁଛୁ
ଉତ୍ତରଦାୟାଦ ତୁମ
ସ୍ମୃତି ଅଭୁଲାର ଅଭିନନ୍ଦନୀୟ
ହେ ବୀର ପୁରୁଷ ଧନ୍ୟ!
ମାଆ ମାଟି ପୁଣି ମାତୃଭୂମି ପାଇଁ
କରିଅଛ ଅସ୍ଥିଦାନ
ସୁଦୃଢ ବ୍ୟକ୍ତିତ୍ୱ ଅବିସ୍ମରଣୀୟ
ଅମଳିନ ପଦଚିହ୍ନ …..
ଅମଳିନ ପଦଚିହ୍ନ…. ।
ନୀହାରିକା ପଣ୍ଡା
ରାକମା,ଭାପୁର
ନୟାଗଡ଼