ଅମାପ ପ୍ରଶ୍ନବାଚୀ ସାଥେ …. !!
ରହିଛି ମୁଁ ଅନ୍ତହୀନ ପ୍ରତୀକ୍ଷାରେ ,
ଅମାପ ପ୍ରଶ୍ନବାଚୀ ସାଥେ….. !
ଫିକା ଫିକା ଏବେ
ବୟସର ରଙ୍ଗ ,
ମେଳନ ପଦାରେ ପ୍ରତୀକ୍ଷିତ
ସାହାନାଇ
ଶୁଭେ ରହି ରହି ,,,, !
ସାକ୍ଷୀ ଏ’ ସମୁଦ୍ରବେଳାର
ବିସ୍ତୀର୍ଣ୍ଣ ବାଲୁକାରାଶି ….. !
ଅନେକ ରକ୍ତବର୍ଣ୍ଣା କୃଷ୍ଣଚୂଡାର
ସାମୂହିକ ହାଟ…. ।
ପଚାରଇ ଆକାଶକୁ ….,
ପବନକୁ….. ,
ଶ୍ରାବଣ ବର୍ଷାର ଛନ୍ଦରେ ,
ଅବା ଫଗୁଣର ଫଗୁରଙ୍ଗ
ଗୋଲାପି ବେଳାରେ,,,
ମୁହୂର୍ତ୍ତମାନ ,
ଏକାକାରଏବେ ..
ଆକାଶ ଓ ପୃଥିବୀର ରଙ୍ଗ ….
ଲାଗେ କେଉଁ ଏକ
ଦୂର ପାହାଡୀ ମେଳାରେ
ଅନାମିକାର ରାଗ ପରି….. ।
ତୁମ ଶୂନ୍ୟ ପ୍ରତୀକ୍ଷା
ମାଟିରୁ ଅନ୍ତରୀକ୍ଷ ଯାଏ ,
ପ୍ରତିଧ୍ୱନୀ ତୋଳେ
ଅନୁସୃଜିତ ସମ୍ବେଦନ ଗାଥା…।
ସମୟ ଗବାକ୍ଷରେ ନିର୍ବାକ୍ !
ନୀହାରିକା ଆଲୋକର
ଅନ୍ଧକାର ଗର୍ଭେ ,,,,,
ମୁଦ୍ରିତ ନୀଳ ଚକ୍ଷୁ
ଦିଗ୍- ବଳୟ ବ୍ୟାପୀ
ପ୍ରଶାନ୍ତ ନୀଳିମାରେ
ମୁଖରିତ…. !
ତୁମ ଆଙ୍କିଥିବା ବିଧୃତ-ବେଦନା
ଖାଲି ପଣରେ ପ୍ରତିଫଳିତ…. ।
ବିତିଥିବା ଜୀବନରେ ଗାଥା ,
ସମର୍ପି ଅଭିମାନକୁ
ତୋଳି ଧରେ ,
ଭେଳା ଭେଳା ବଉଦକୁ
ତୂଳି ଧରି ଆଙ୍କି ଚାଲେ ,
ସୂର୍ଯ୍ୟ-ତୃଷ୍ଣା- ଅବସାଦ ଗ୍ରସ୍ତ
ମାଟିର ମରୁରେ ,
ଅମାପ ପ୍ରଶ୍ନବାଚୀ ସାଥେ…. !
______________
ସାଧନା ପଣ୍ଡା, ଭୁବନେଶ୍ବର
262 total views, 1 views today