ଆମ ସମ୍ବିଧାନ
ସୁଜାତା ରାଉତ
ସ୍ଵାଧୀନ ଜୀବନ ସ୍ଵାଧୀନ ଭାଷଣ
ମୌଳିକ ଅଧିକାର
ସମସ୍ତେ ସଭିଁଏ ନାହିଁ ଭେଦଭାବ
ଭାରତ ଉନ୍ନତ ଶିର ।
ମାନବିକତାର ଶ୍ରେଷ୍ଠ ପରିଚୟ
ଦିଏ ଆମ ସମ୍ବିଧାନ
ସାରା ବିଶ୍ବପାଇଁ ଉଦାହରଣ ସେ
ଅହିଂସା ଯାହାର ପ୍ରାଣ ।
ଗରୀବ କି ଧନୀ ମୂରୁଖ କି ଜ୍ଞାନୀ
ସମସ୍ତେ ସମ ତା ପାଖେ
ହିନ୍ଦୁ, ମୁସଲମାନ ବୌଦ୍ଧ ଖ୍ରୀଷ୍ଟୀୟାନ
ସଭିଙ୍କୁ ସମାନ ଦେଖେ ।
ବେଠି କି ବେଗାରୀ ଖଟିବେନି କେହି
କେହି ନୁହଁ କ୍ରୀତଦାସ
ସ୍ଵାଧୀନ ବିହାର ସ୍ଵାଧୀନ ଚିନ୍ତାରେ
ସ୍ଵାଧୀନରେ ବସବାସ ।
ସାହିତ୍ୟ, ସଂସ୍କୃତି କଳା ବିଜ୍ଞାନକୁ
ଧାରାରେ ଲେଖିଛି ରଖି
କେହି କାହା ପ୍ରତି ଅବିଚାର କଲେ
ଦଣ୍ଡଧାରା ଅଛି ଲେଖି ।
ସ୍ବାଧିନତା ନାମେ ଅନ୍ୟ ଅଧିକାର
କରେ ଯଦି କେହି କ୍ଷୁର୍ଣ୍ଣ
ସାଇତି ରଖିଛି ଭିନ୍ନଭିନ୍ନ ଧାରା
ଧନ୍ୟ ତାର ଅବଦାନ ।
ଶୃଙ୍ଖଳା ଶାସନ ଶାସିତ କର୍ତ୍ତବ୍ୟ
ସବୁ ଏଠି ଲିପିବଦ୍ଧ
କେତେ ଆଇନଜ୍ଞ , ବୁଦ୍ଧଜୀବିଙ୍କୁ ବି
କରି ଅଛି ମନ୍ତ୍ରମୁଗ୍ଧ ।
ଧନ୍ୟତୁମେ ସ୍ରଷ୍ଟା ଭୀମରାଓ ଧନ୍ୟ
ଧନ୍ୟତୁମ ଚିନ୍ତାଧାରା
ପ୍ରତିଟି ବର୍ଗର ଜନ ସାଧାରଣ
ଭରସା କରନ୍ତି ପରା ।
ଆମେ ଭାଗ୍ୟବାନ ସମ୍ବିଧାନ ପାଇଁ
ଶତ ଧନ୍ୟ ଆମ ଦେଶ
ସାରା ବିଶ୍ବରେ ଉଦାହରଣ ବି
ଆମ ଏ ଭାରତ ବର୍ଷ ।।
ଚାନ୍ଦବାଲି , ଭଦ୍ରକ