.ଏକାନ୍ତ ⏮️
ପ୍ରତିଦିନ ରାତିରେ ମୋତେ ନିଜ ଖଟ ଉପରେ ପାଇ ଅନେକ କଥା ଭାବୁଥିଲା ମା l ବାପାଙ୍କ ଯିବାର ମାସେ ଉପରେ ହେଲାଣି, ଆଉ ସବୁ ରାତିରେ ମୋତେ ବହୁତ ନିଃସଙ୍ଗତା ବୋଧ ହୁଏ l ମା ଶୋଇବା କୋଠରୀ ଆଡକୁ ପାଦ ଆପେ ଆପେ ଚାଲିଯାଏ, ଦେଖେ ସେ ମଧ୍ୟ୍ୟ ଶୋଇ ନଥାଏ l ପିଲାଦିନ ପରି ଯାଇ ତା କୋଳରେ ମୁଣ୍ଡ ରଖି ଶୋଇପଡ଼େ, ମୋତେ ଏତେ ରାତିରେ ତା ପାଖେ ଶୋଇବାର ଦେଖି ଚିନ୍ତାମଗ୍ନ ହୋଇପଡେ ମା , କଣ ପାଇଁ ମୋ ଅନିଦ୍ରାପଣ ଜାଣିବା ଉପଲକ୍ଷେ l ସେ ଦିନ ରାତିରେ କାନ୍ଥରେ ତକିଆ ଆଉଜି ବସିପଡ଼ିଲା ଜାଣିବାକୁ ମୋ ମନ ଭିତରେ ଥିବା ବ୍ୟଥାକୁ l ଅନେକ ପ୍ରଶ୍ନ ଅନେକ ଉପାୟରେ ଚପଳତାର ସହ ପଚାରିଲା ମୋ କେଶ ସଜାଡୁ ସଜାଡୁ,ସବୁ କାରଣରେ ନା କହିବାରୁ ସେ ଦିନ ମୁହଁ ଖୋଲି ପଚାରି ଦେଲା ତା ଭିତରେ ଥିବା ତା ସନ୍ଦେହୀ ପ୍ରଶ୍ନ ଗୁଡିକ l
…… କଣ ଅଫିସରେ କାମ କରିବାକୁ କିଛି ଅସୁବିଧା ହେଉଛି?
…….. ମୁଁ କହିଲି ନା l
………କଣ କୋଉ ବନ୍ଧୁ ସହ ଝଗଡା ହୋଇଛି?
……… ମୁଁ କହିଲି ନା l
………କଣ କୋଉଠି ପଇସା ପତ୍ର, ଧାର ଉଧାର କଥା ଅସୁବିଧା କରୁଛି?
……….. ମୁଁ କହିଲି ନା l
……….. ବାପା ଯିବା ପରେ ଜମିବାଡ଼ି, ଘରଦ୍ୱାର ନେଇ କିଛି ସମସ୍ୟା?
………. ମୁଁ କହିଲି ନା l
……କଣ ବୋହୂ ସହ ଝଗଡା ହେଉଛି?
……ମୁଁ କହିଲି ନା l
ଅସହ୍ୟ ହୋଇ ପଡିଲା ସେ….କାନ୍ଦି ପଚାରିଲା….
……ତେବେ ତୋତେ ମୋ ରାଣ ଧନ ସତ କହ, କଣ ପାଇଁ ତୋର ଏ ଚିନ୍ତା?
ଆଜି ସେ ବୋଧେ ସ୍ଥିର କରିନେଇଥିଲା ଅସଲ କଥା କଣ ଜାଣିବା ପାଇଁ l ମୁଁ ତା ରାଣ ନିୟମ ଟାଳି ନପାରି କହିଲି
….. ମା ମନେଅଛି ଛୋଟବେଳେ ତୁ ଆଉ ବାପା ମୋର ଅଲଗା କୋଠରୀ ରେ ରହିବାର ବ୍ୟବସ୍ତା କରିଦେଇଥିଲ l
ହଁ……. କିନ୍ତୁ ସେଥିପାଇଁ ତ ତୁ ନିଜେ ଜିଦି କରିଥିଲୁ l
…. ହଁ ମା କାରଣ ମୋତେ, ତୋତେ ଆଉ ବାପାଙ୍କୁ ସାଙ୍ଗରେ ଦେଖିବାକୁ ଖୁବ ଭଲ ଲାଗେ, ଖୁସି ଲାଗେ ତୁମ ଦୁଇ ଜଣକୁ ଏକା ସାଙ୍ଗରେ ଦେଖି l
……. ହଁ,ଠିକ ଯେପରି ମୋତେ,ତୋତେ ଆଉ ବୋହୂକୁ ଏକା ସାଥେ ଦେଖିବାକୁ ଭଲଲାଗେ l
…….କିନ୍ତୁ ତୁ ପ୍ରତିଦିନ ରାତିରେ ମୋ ଶୋଇଲା ପରେ ଆସୁ ମୋତେ ଦେଖିବାକୁ,ଆଉ ସକାଳୁ ସକାଳୁ ମୁଁ ଦେଖେ ମୋତେ ତୁ କୋଳେଇ ଶୋଇଥିବାର l
……ହଁ କାରଣ ମୋତେ ଚିନ୍ତା ହୁଏ ତୁ ପିଲାଲୋକ ରାତିରେ ଏକଲା ଅନ୍ଧାରରେ ଶୋଇବାକୁ ଡ଼ରିବୁ ବୋଲି, ମନ ବୁଝେନା ଧନ l
……. ଠିକ କହିଲୁ ମା ସେମିତି ପ୍ରତି ରାତି ମୋତେ ଡର ଲାଗେ ବାପା ଯିବାପରେ ତୋ ଏକାନ୍ତପଣକୁ, ତୁ କାଳେ ଜୀଵନପଥର ଏ ଅନ୍ଧାରକୁ ଡରିଯିବୁ? ମନ ବୁଝେନା, ସେଥିପାଇଁ ଚାଲିଆସେ ତୋତେ କୋଳେଇ ଶୋଇଦେବାକୁ l
……..ସେ ମୁହୂର୍ତ୍ତଟି ଅଟକି ଯାଇଥିଲା ଆଉ ଖାଲି ଥିଲା କିଛି ଛଳ ଛଳ ଲୁହ ଆମ ମା, ପୁଅଙ୍କ ଆଖିରେ, ମା ମୋତେ ତା ପଣତରେ କୋଳେଇ ନେଇଥିଲା ଠିକ ସେ ପିଲାଦିନ ପରି l
©️ବନସ୍ମିତା ପଣ୍ଡା
କୁନ୍ଦଳ, ଚଣ୍ଡିଖୋଲ, ଯାଜପୁର