ଅଳନ୍ଧୁ
ଅତୀତ ସହ
ବର୍ତ୍ତମାନକୁ ତଉଲି
ଶୁଖିଲା ଖାଲୁଆ ଆଖିରେ
ସାଇତାହୋଇଛି
ଜକେଇ ଆସିଥିବା
ଅଗଡା ଲୋତକ ବିନ୍ଦୁ,
ଥାବୁଡି ଥାବୁଡି
ଚାଲୁଥିବା ପାଦ ଦେଇ
ଏ ଦୁଆରରୁ ସେ ଦୁଆରକୁ
କେବେ ପୁଣି ରାସ୍ତା କଡକୁ
ବହିଯାଉଛି
ଲୋଚାକୋଚା ପେଟ ତଳର
ଭୋକର ଗଭୀର ସିନ୍ଧୁ
ଆମେ କି ସେ ଦାୟାଦ
ଭଦ୍ର ମୁଖା ପିନ୍ଧା
ସଭ୍ୟ, ଶିକ୍ଷିତ, ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ?
ଆମେ କି ସେହି
ଶ୍ରେଷ୍ଠ ବୁଣାକାର
ବୁଣିଚାଲିଛନ୍ତି
ଅନ୍ତଃପୁରରେ
ସ୍ୱାର୍ଥର ବୁଢିଆଣୀ ଜାଲଟିଏ,
ବଞ୍ଚାଇ ରଖିଛନ୍ତି
ଆମ ଭିତରେ
ଅହମିକାର ଅସ୍ତିତ୍ୱ,
ଆମେ କି ସେହି
ଦକ୍ଷ କଳାକାର
ତୁଲାଉଛନ୍ତି
ଦୈତ ଚରିତ୍ରର ଦାୟିତ୍ବ,
ଅଶୁଦ୍ଧ ମାନସିକତାରେ ବି
ବାହ୍ୟାଙ୍ଗ ଆମର
ଖୁବ୍ ଚକାଚକ୍
ସତେ ଅବା କାଚକେନ୍ଦୁ…..!
ତେବେ କାହିଁକି ଏ
ନବରାତ୍ରର ପୂଜାର୍ଚ୍ଚନା ?
ମାତୃଶକ୍ତିର ଆରାଧନା ,
ଦୈବୀଶକ୍ତିର ଉପାସନା ,
କାହିଁକି ଏ ପାର୍ବଣରେ
ଝୁଣା ଧୂପ ଦୀପ ନୈବେଦ୍ୟର ବନ୍ଦନା ?
ଯଦି ମନରେ ଆମର
ବହଳ ହୋଇ ଜମାଟ ବାନ୍ଧିଛି
ନିଜ ମାଆ ପ୍ରତି
ପରସ୍ତ ପରସ୍ତ ଅବହେଳାର ଅଳନ୍ଧୁ।
ପ୍ରୀତିପଦ୍ମା ଦାସ
ଭଦ୍ରକ