🌾ଅକୁହା କଥା🌾
=============
ସଞ୍ଜ ନଇଁଗଲେ ମିଶ୍ରବାବୁ କାଠ ଚୌକି ଟିଏ ବାରଣ୍ଡା ରେ ପକାଇ ବସିଯାନ୍ତି | ମୃଦୁ ମଳୟ ସାଙ୍ଗକୁ କିଚିରି କିଚିରି ଚଢେଇ ର କାକଳି ଆଉ ଆଉ ଚା କପେ | ହାତରେ ମୋଟା ବହି ଖଣ୍ଡେ କୁ ଆଖିରେ ମୋଟା ଲେନ୍ସ ଵାଲା ଚଷମା | ମାଷ୍ଟ୍ର ଚାକିରୀ ଟିଏ କରିଥିଲେ ପାଞ୍ଚ ବର୍ଷ ହେଲାଣି ଅବସର ନେଲେଣି | ବାରଣ୍ଡା ରେ ବସିବା ସହ ମିଶ୍ରେ ଲକ୍ଷ୍ୟ କରନ୍ତି ସାମ୍ନା ଗଛ ଡାଳ ରେ ବାସ କରୁଥିବା ହଳଦୀବସନ୍ତ ପରିବାର କୁ | ନୁଆଁ କରି ସଂସାର ଗଢ଼ିଛନ୍ତି ସାଙ୍ଗରେ ଛୋଟ ଛୋଟ ପିଲା ଦୁଇଟି | ବାପ ପକ୍ଷୀ ପିଲା ମାନଙ୍କୁ ଆହାର ଟିକେ ଦେବା ପାଇଁ ଦିନ ସାରା କେତେ ଯେ ପରିଶ୍ରମ କରୁଛି ମା ପକ୍ଷୀ ଛୁଆ ଙ୍କୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ସଦା ସର୍ବଦା ଡେଣା ଘୋଡେଇ ରଖୁଛି | କାଳେ କିଏ ନଜର ପକେଇ ଦବ ଯଦି | ଆଉ ମିଶ୍ର ବାବୁ ଏମିତି ଏକ ଦୃଶ୍ୟ କୁ କିପରି ହାତ ଛଡା କରିପାରିବେ |
ଗ୍ରୀଷ୍ମ ଯାଇ ଶରତ ଆସିଲାଣି ଛୁଆ ମାନେ ବି ବଡ଼ ହୋଇ ସାରିଲେଣି | ଏବେ ସେମାନେ ଆତ୍ମ ନିର୍ଭରଶିଳ ଆଉ ଆହାର ପାଇଁ ବାପ ପକ୍ଷୀ ର ବୋଝ ହୋଇ ରହି ପାରିବେନି | ଖୋଲା ଆକାଶ ରେ ସେମାନେ ଏବେ ମୁକ୍ତ ବିହଙ୍ଗ | ମା ପକ୍ଷୀ ସଞ୍ଜ ନ ହଉଣୁ ଡାକ ଛାଡି ଦୁଇ ପିଲାଙ୍କୁ ଖୋଜିବସେ | ମା ର ଡାକ ଶୁଣୁ ଶୁଣୁ ଯବାନ ହଳଦୀବସନ୍ତ ବି ବସାକୁ ଦୌଡ଼ି ଆସନ୍ତି |ଦୁଇ ଛୁଆ ଆଉ ବାପ ପକ୍ଷୀ ମା ପକ୍ଷୀ କୁ ନେଇ ଛୋଟିଆ ସଂସାର ଟିର ସ୍ନେହ ଭଲ ପାଇବା କୁ ଦେଖି ମିଶ୍ର ବାବୁ ମନେ ମନେ ଭାସି ଯାଇ ମନେ ମନେ ତାଙ୍କ ଦୁଇ ଝିଅ ଆଉ ପୁଅ କଥା ଭାବି ଭାରି ଖୁସି ମନେକରନ୍ତି | ସେ ଚାକିରୀ ସିନା ଛୋଟ କରିଥିଲେ ହେଲେ ନିଜ ପିଲାଙ୍କ ପ୍ରତି କେବେ ନିଜ କର୍ତ୍ତବ୍ୟ ରେ କମି କରିନାହାନ୍ତି | ପ୍ରଥମେ ଝିଅ ଦୁଇଟା ଘରେ ପାଦ ଦେବା ପରେ କେତେ ଓଷା ବ୍ରତ କରିଥିଲେ ଵିମଳା ଆଉ ମିଶ୍ର ବାବୁ | କିନ୍ତୁ କିଛି ଦିନ ପରେ ବିମଳା ମିଶ୍ରେ ଙ୍କ ଉପରେ ସଂସାର ସବୁ ଦାଇତ୍ୱ ଲଦି ଦେଇ ଚାଲିଗଲେ | ଅବଶ୍ୟ ପରେ ମିଶ୍ରେ ଙ୍କ ପାଇଁ ଅନେକ ବନ୍ଧୁପ୍ରସ୍ତାବ ଆସିଲା କିନ୍ତୁ ମିଶ୍ରେ ନିଜ ପିଲାଙ୍କ ସୁଖ ପାଇଁ ସବୁ ଜଳାଞ୍ଜଳି ଦେଇ ସେ ମା ବାପା ଉଭୟ ଙ୍କ ଭୂମିକା ଲିଭାଇ ଚାଲିଲେ | ଝିଅ ମାନେ ବଡ ବଡ଼ ହୋଇ ଯିଏ ଯା ଶାଶୂଘର ଗଲେଣି ପୁଅ ବି ଆମେରିକା ରେ ବଡ ଚାକିରୀ କଲାଣି | ଏବେ ଆଉ ଦୁଖଃ କଣ ବସିକି ନାତି ନାତୁଣୀ ଙ୍କ ସହ ଖେଳି ସମୟ ବିତେଇବା କଥା |
ହେଲେ ମିଶ୍ର ବାବୁ ଲକ୍ଷ୍ୟ କରୁଛନ୍ତି ଏବେ କେତେ ଦିନ ହେଲା ହଳଦୀ ବସନ୍ତ ର ପରିବାର ଟା ଆଉ ଆଗ ପରି ହସି ଉଠୁନି | ଛୁଆ ମାନେ ବି ଆଉ ବସା କୁ ଫେରିନାହାନ୍ତି କିଛି ଦିନ ବିତିଗଲାଣି | ହଁ କେମିତି ବା ଫେରିବେ ସେମାନେ ତ ମୁକ୍ତ ଆକାଶ ର ମୁକ୍ତ ବିହଙ୍ଗ ସ୍ନେହ ପଞ୍ଜୁରୀ ରେ କେତେ ଦିନ ଆବଦ୍ଧ ହୋଇ ରହିବେ | ବାଟ ଚାହିଁ ଚାହିଁ ମା ପକ୍ଷୀ ଆଉ ନାହିଁ | ବାପା ପକ୍ଷୀ ଟା ଖାଲି ଆଖି ତରାଟି ବସିଛି କେତେ ରାତି ପୁଣି କେତେ ଦିନ ତା ଛୁଆ ମାନେ ଆସିବେକି? ମିଶ୍ର ବାବୁ ଙ୍କ ଏକ ଦୀର୍ଘଶ୍ୱାସ | ହଁ.. ଯେତେ ବେଳେ ମଣିଷ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହୋଇ ବି ଜୀବନ ସାରା ତ୍ୟାଗ କରିଥିବା ବାପା ଙ୍କୁ ଭୁଲି ବୃଦ୍ଧାଶ୍ରମ ରେ ଛାଡି ପାରୁଛି ଆଉ ଏମାନେ ତ ପକ୍ଷୀ | ଏମିତି କେତେ ଦିନ ରାତି ଆଖିରୁ ନିଦ ହଜେଇ ଶୋଇଛନ୍ତି ମିଶ୍ର ବାବୁ ! ବିତେଇ ସାରିଲେଣି ବର୍ଷ ପରେ ବର୍ଷ ପୁଅ କି ଝିଅ କାହାର ଖୋଜ ଖବର ନାହିଁ ଖାଲି ପୁଅକୁ ପାଇବାର ଆଶା | ହେଲେ ଆଶା ନିଷ୍ଫଳ | ମିଶ୍ର ବାବୁ ଚଷମା ଟା ଖୋଲି ଗ୍ଲାସ ଟା ସଫା କରୁ କରୁ ଆଖିରୁ ବାହାରି ଆସିଥିଲା ଦୁଇଟି ଶୀତଳ ଜଳ ର ଧାର | ଶେଷରେ ବାଟ ଚାହିଁ ଚାହିଁ ହଳଦୀ ବସନ୍ତ ର ବସା ଟା ପକ୍ଷୀଶୂନ୍ୟ ହୋଇଯାଇଥିଲା |
✍️ପବିତ୍ର ମୋହନ ମହାରଣା
ମାମୁଡିହ, ଆସିକା, ଗଞ୍ଜାମ