ଆଖିଏ ସପନ
ଆଖିରେ ଆଖିଏ ସପନ ଦେଇଛ
ଛୁଇଁ ଯାଏ ସେ ଗଗନ
ଅସରନ୍ତି ଝିଲିମିଲି ତାରା ପରି
ଝଲକାଇ ଦିଏ ମନ।
ତୁମରି ସୃଷ୍ଟିର ପଟାନ୍ତର ନାହିଁ
ଶୋଭାରେ ସେ ଭରପୁର
ସଜଫୁଟା ଫୁଲ ସୁବାସିତ ବାସ୍ନା
ସପନେ କରେ ବିଭୋର।
ମଞ୍ଜିଟିଏ ଯେବେ ଚାରାଟିଏ ହୋଇ
ଧିରେ ବଢ଼ି ବୃକ୍ଷ ହୁଏ
ଫୁଲ ଫଳେ ଶୋଭା ଛାୟା ଦାନେ ତାର
ସେବାକାର୍ଯ୍ୟ କରୁଥାଏ।
ଉଦାସୀ ମନଟା ଅସଫଳତାରେ
ଭଗ୍ନମନେ କ୍ଳାନ୍ତ ଥାଏ
ବୃକ୍ଷକୁ ଦେଖିଣ ଆଖିରେ ଆଖିଏ
ସପନ ମୋ ଭରିଯାଏ।
ଧରାରେ ନଭରେ ଏଇ ସଂସାରରେ
ସର୍ବ ଠାରେ ଭରା ଶୋଭା
ସବୁ ଦୁଃଖ ଭୁଲି ଆଖିଏ ସପନ
ଭରି ହୁଏ ମନଲୋଭା।
ତୁମରି ଏ ଦାନ କେତେଯେ ମହାନ
ବର୍ଣ୍ଣିକି ହେବ ହେ ପ୍ରଭୁ
ଆଖିରେ ଆଖିଏ ସପନ ଦେଇଛ
ପୂରଣ କରିବ ସବୁ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
59 total views, 2 views today