*ଅନୁଭବେ ଦିବ୍ଯସତ୍ତା*
ଭାବର ଠାକୁର ଭାବବିନୋଦିଆ
ଯେବେ ମୁଁ ତୁମକୁ ଭାବେ
ଭାବର ଭାବରେ ବିରାଜ ଭାବରେ
ଦିବ୍ଯସତ୍ତା ଅନୁଭବେ।
ଦୁଃଖ କଷ୍ଟ ଦେଇ ପରଖୁ ଥାଅ ତ
ଭକତ ଜନର ଭାବ
ଦୁଃଖରେ ନିକଟେ ଥାଅ ପ୍ରଭୁ ତୁମେ
କରେ ମୁହିଁ ଅନୁଭବ।
ହଟିଆ ଠାକୁର ହେ ନଟ ନାଗର
ମୁରୁକି ମୁରୁକି ହସ
ମୋତେ କଷ୍ଟ ଦେଇ କିବା ସୁଖ ପାଅ
ଭୟ କରୁ ଥାଏ ଗ୍ରାସ।
ଦୁଃଖରେ ତୁମକୁ ପାଖେ ପାଇବାକୁ
କରୁଥାଅ ଯଦି ଛଳ
ଦୁଃଖ ସାଗରରେ ଡୁବାଅ ଈଶ୍ବର
ଦିଅ ସହିବାକୁ ବଳ।
ଭାବନାରେ ସଦା ବିରାଜିତ ହୁଅ
ନଆସୁ ଭିନ୍ନ ଭାବନା
ଭାବ ଭୟ ଆଉ ଭକ୍ତି ଭାବନାରେ
ରହେ ସଦା ନିମଗନା।
ଭୟରୁ ଭକତି ଭାବନା ଶକତି
ଭାବରେ ବିରାଜି ଥାଅ
ଭୀରୁ ଭାବେ କେବେ ସମାଜ ଆଗରେ
ମୁଣ୍ଡ ମୋର ନ ନୁଆଁଅ।
ଭାବନା ମନ୍ଦିରେ ସଦା ଦୟାଭାବ
ଭାବରେ ରଖିବ ପ୍ରଭୁ
ଭାବନା ରାଜ୍ଯରେ ତୁମ ଭାବମୂର୍ତ୍ତି
ସଦା ଭାବରେ ବିରାଜୁ।
ଡ. ପ୍ରିୟମ୍ବଦା ସାମଲ,ଭୁବନେଶ୍ୱର।