ଅତିବଡି ତବ ବଡ଼ିମା
ବିଶ୍ୱେଶ୍ୱର ମାଝୀ
ଷୋଡଶ ଶତାବ୍ଦୀ ଆଦ୍ୟ ଭାଗାବଧି
ଉତ୍କଳ ଭୂମିର ସୂତ
କପିଳେଶ୍ଵରପୁର ଶାସନ ଗ୍ରାମର
ରାଧାଷ୍ଟମୀ ତିଥି ଜାତ।
ମାତା ପଦ୍ମାବତୀ ଭଗବାନ ଯତି
ପୁରାଣ ପଣ୍ଡା ପିତର
ବଟବିହାରୀଙ୍କ ସମୀପେ ପଣ୍ଡାଙ୍କ
ପୁରାଣ ପାଠ ଆସର।
କଳ୍ପବଟ ମୂଳେ ଶ୍ରୀଚୈତନ୍ୟ ଡୋଳେ
ମିଳନର ସୂତ୍ରପାତ
ସମ ବୟସର ପ୍ରଭାବ ପ୍ରସାର
ରାଧାଭାବେ ବେନି ରତ।
ସଂସ୍କୃତ ଭାଷାର ଭାଗବତ ସାର
ଦୁର୍ବୋଧ୍ୟେ ମାତା ଦୁଃଖିତ
ବୋଧଗମ୍ୟ ପୁଷ୍ଟି ପ୍ରତିଜ୍ଞାରେ ସୃଷ୍ଟି
ପରାକୃତ ଭାଗବତ।
ନବାକ୍ଷରୀ ବୃତ୍ତେ ଭାବ ଅନୁଗତେ
ବ୍ୟାସକୃତ ଭାଗବତ
ନିଜସ୍ବ ଶୈଳୀରେ ବର୍ଣ୍ଣନା ଭରିଲେ
ଭାଷା ବନ୍ଧେ ସୁଲଳିତ।
ଦ୍ଵାଦଶ ଅଧ୍ୟାୟ ଭାଷ ଉତ୍କଳୀୟ
ରଚନା ମହାନ ଗ୍ରନ୍ଥ
ଲଭି ଜଗନ୍ନାଥ ଆଶୀର୍ବାଦେ ଗ୍ରନ୍ଥ
ହେଲା ରାଜକୃପା ପ୍ରାପ୍ତ।
ଆଦିକବିଙ୍କର ମହାଭାରତର
ଭାଷାକୁ ମାର୍ଜିତ କରି
ତାଳପତ୍ର ପୋଥି ଲିପିବଦ୍ଧ ଗୁନ୍ଥି
ଏ ଜାତିର ଭାଗ୍ୟ ଶୀରି।
ଉତ୍କଳେ ନୂତନ ଅଭ୍ୟୁଦୟ ଘେନ
ସାଂସ୍କୃତିକ ଭାବଗତ
ଗ୍ରାମେ ଗ୍ରାମେଥାପି ତାଳପତ୍ର ପୋଥି
ଟୁଙ୍ଗି ସଂସ୍କୃତି ମହତ।
ଭାଗବତ ଶୁଦ୍ଧ ଏ ଜାତିର ବେଦ
ଲୋକମୁଖେ ପ୍ରଚଳିତ
ଜୀବନ ପଥରେ ପଦକୁ ଉଦ୍ଧାରେ
ଜନମନ ମହା ତୃପ୍ତ।
ଆଚାର ବିଚାର ଧର୍ମ କର୍ମ ସାର
ଭାଗବତରେ ବଖାଣ
ଭାଗବତ ପାଠ ସାକ୍ଷରତା ଚାଟ
ଉତ୍କଳେ ଶିକ୍ଷାର ମାନ।
ରାଜନ୍ୟ ପ୍ରଦତ୍ତ ଆବାସ ନିକଟ
ଓଡ଼ିଆ ମଠ ନାମିତ
ଅନବସରରେ ଫୁଲରି ତେଲରେ
ନବାଙ୍କେ ଚୌସରା ମାଳ।
ମହୋଦଧି ତଟ ସାତ ଲହଡି ମଠ
ଗାଉଛି ମହିମା ତବ
ଶୁଭୁନାହିଁ ସନ୍ଧ୍ୟା ଟୁଙ୍ଗି ହେଲା ବନ୍ଧ୍ୟା
ଜ୍ଞାନ କରି ଅପାର୍ଥିବ।
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।