ଆହେ ମହାବାହୁ
ଆହେ ମହାବାହୁ !
ତୁମେ ପ୍ରଭୁ ଦାରୁବ୍ରହ୍ମ ,
ତୁମ ସ୍ପର୍ଶ ମାତ୍ରେକେ ସବୁ ଶିଳା ଶାଳଗ୍ରାମ ପାଲଟେ,
ତୁମର ଗୋଟିଏ ଦର୍ଶନରେ
ଶତ ଶତ ଅଶ୍ୱମେଧ ଯଜ୍ଞର ପୁଣ୍ୟ ଫଳ ମିଳେ।
ଆହେ ମହାବାହୁ !
ତୁମେ ମୋ କଥା ବୁଝ କି ନ ବୁଝ
ତୁମ ଯଶ ବାନା ଜଗତରେ ଉଡୁଛି,
ବନ୍ଧୁ ମହାନ୍ତିଙ୍କ ଠାରୁ ଦାସିଆ ବାଉରି ଯାଏଁ
ସମସ୍ତେ କୃପାଧନ ପାଇସାରିଲେଣି,
ମୋରି ବେଳକୁ ଯେତେ ସବୁ
ପାତର ଅନ୍ତର ନୀତି।
ଆହେ ମହାବାହୁ !
ହେ କୃପାସିନ୍ଧୁ ହେ କୃପାନିଧି,
ମୁଁ ଯେ ତୁମ ଦାସୀ,
ଚିର ସେବୁଛି ତୁମ ପୟର,
ମତେ କାହିଁକି କରିଦେଉଛ ପର ।
ଏମିତି କିଛି ମାଗୁନାହିଁ
ଯାହା ତୁମେ ଦେଇ ପାରିବ ନାହିଁ।
ତୁମ ଛଡା ଲାଳସା ମୋର କିଛି ନାହିଁ।
ଆହେ ମହାବାହୁ !
ଏ ଜୀବନ ବିତିଯାଉ ତୁମ ପାଦପଦ୍ମ ତଳେ ।
ତୁମ ଚିନ୍ତା ଚେତନାରେ ସାରା ବିଶ୍ୱର ଚିନ୍ତା
ତୁମେ ସାରା ବିଶ୍ୱ ନିୟନ୍ତା।
ଆହେ ମହାବାହୁ !
ହେଲେ ମୋ ଚିନ୍ତା ଚେତନା ରେ ଖାଲି ତୁମେ ଅଛ
କଳ। କଳେବର କଳା କହ୍ନେଇ,
ତୁମେ ଜଗତର ସ୍ୱାମୀ ଶ୍ରୀଜଗନ୍ନାଥ ।
ତୁମ କଥା ଭାବୁ ଭାବୁ,
ତୁମ କଥା ଭାବୁ ଭାବୁ
ଦିନ ଯାଇ କେମିତି ରାତି ହୁଏ ତା ମୁଁ ଜାଣିପାରେନା,
ଆଉ କାହା କଥା ଭlବିବାକୁ
ମୋର ବେଳ କାହିଁ ?
ଆହେ ମହାବାହୁ !
ତୂମେ ଅତୀତ ତୁମେ ବର୍ତ୍ତମାନ ତୁମେ ହିଁ ଭବିଷ୍ୟତ ।
ଆହେ ମହାବାହୁ,ତୁମ ନାଁ ନେଇ ନେଇ
ତୁମ ଚରଣ ତଳେ ଏ ଅପରାଜିତାର ଜୀବନ ଯାଉ।
ଆହେ ମହାବାହୁ !
ରୀତା ଅପରାଜିତା ମହାନ୍ତି
ଭୁବନେଶ୍ବର