#ରାସ୍ତାକଡ଼_ଜହର*
ହାଏ ତୁମ’ ସ୍ନେହ ସୁଧା ବୋଳା କଥା !
ଅସ୍ଥିମଞ୍ଜ ତଳେ ଆତ୍ମଗୋପନ କରିଥିବା ସବୁ
ଆତତାୟୀ ବ୍ୟଥାକୁ ତଣ୍ଟି ଚିପି ହତ୍ୟାକରେ…..
ତୁମ ସେ ଲାଜୁଆ ଲାଜୁଆ ହସରେ
ଆଖି ଭୋଗେ ଗୋଟେ ସୁସଜ୍ଜିତ ମଧୁଶଯ୍ୟା
ବହି ଆସେ ଗର୍ଭିଣୀ ଧାନ କ୍ଷେତରୁ କାର୍ତ୍ତିକ ପବନ…
ତୁମ ମୁଖ ମଣ୍ଡଳର ରମ୍ୟଜ୍ୟୋତି
ଅନ୍ଧାର ରାତିର ଜରାୟୁକୁ ଚିରି ଆଣେ
ଅନାବିଳ ସୂର୍ଯ୍ୟୋଦୟ …..
ତୁମ ଅଭିଆଡ଼ି ପାଉଁଜି ର ସ୍ୱରରେ
ଭାଙ୍ଗିଯାଏ ସାରାଦିନର ବୋଝ କୁ
ନାଉ କରି ଶୋଇଥିବା ଆଖିର ନିଦ…..
ନିଦରୁ ତ ଉଠିଯାଏ, ହେଲେ ତୁମେ କଉଠି?
ତୁମେ ନଥାଅ ପାଖରେ, ସିନ୍ଦୁରା ନ ଫାଟୁଣୁ
ତୁମେ ଚାଲିଯାଅ , ଆଖିକୁ ଦେଇ
କେଇଟୋପା ଉଷ୍ଣ ଲୁହ
ବାଧ୍ୟ ହୋଇ ଅପଣାଇ ନିଏ ରାସ୍ତାକଡ଼ ଜହର……….
ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା ଏବଂ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ