#ଆତ୍ମବିଶ୍ବାସର_ଗାଣ୍ଡିବ
ହେ କବିକୁଳ! କେତେ ଦିନ ଆମେ ଆଉ
ଗୋଲା ଦିଆ ଙ୍କ କାଖ ତଳେ ରହି ନିଷ୍ପେସିତ ହେବା
କେବେ ପୁଣି ଆମ କଲମ ବଲମ ସାଜି ଲେଖିବ
ଏଦେଶର ସବୁ ବିଷପିଆ ଖଟିଖିଆ
ଚାଷୀର କଥା ସାଙ୍ଗକୁ ଚାଖଣ୍ଡେ ଭୋକର ଭୂଗୋଳ ….
କେବେ ପୁଣି ଆମ କାବ୍ୟ କବିତା ସକ୍ଷମ ହେବ
ସାଉଁଟି ବାକୁ ଦୁନିଆଁ ଯାକର ପାଠକୀୟ ବାତ୍ସଲ୍ୟ
ଲେଖି କ୍ରାନ୍ତିରେ ଦର ଆଉଟା ବର୍ତ୍ତମାନ ସାଙ୍ଗକୁ
ଅକୁହା ଆଗତର ସେହି କୁମ୍ଭୀର ଦାନ୍ତିଆ
ପୋଡା ସକାଳକୁ…….
ଆମକୁ କଣ ଜଣା ନାହିଁ ଆମ ପୂର୍ବଜ ଙ୍କ କଥା,
ଯାହାଙ୍କ କଲମ ଦିନେ, ରକ୍ତରାଗ ଲେଖୁଥିଲା
ଅହରହ ମାଟି ମା’ ର ଇଜ୍ଜତ ଲୁଟୁଥିବା
ସେହି ନୃଶଂସ ଗୋରା ଗିଧ ଦଳଙ୍କ ମୁଣ୍ଡ ବ୍ୟଥାର
କାରଣ ପୁଣି ସାଜିଥିଲା…….
କିଛି ଲାଭ ନାହିଁ ବନ୍ଧୁହେ! ଲେଖିଲେ
ରେଳଧାରଣା ସମ ଛନ୍ଦାୟିତ ପ୍ରେମିକା ର
ବେଣୀ ପରି ଯୌବନ ଲୁଣ୍ଠିତା କବିତା କୁଢ଼ କୁଢ଼
ନିଜ ନିଜର ସଉକି ପାଇଁ
ସଫେଦ କାଗଜର ଶଯ୍ୟାପରେ ଫିଦିନ……..
ଯଦି ଲେଖିବାର ଇପ୍ସା ଜନ୍ମେ ମନରେ,
ଚାଲ ଆମେ ଲେଖିଯିବା କାଳଜୟୀ ରାମଧୁନ୍
ଜୀଵନ ଯାତ୍ରାରେ ଅନୁଭଵ ଅନୁଭୂତି ସହ
ଇତିହାସ ର ସେହି ବର୍ଣ୍ଣ ବିଭବକୁ
ପୂର୍ଵଜ ଙ୍କୁ ଅନୁସରି, ଅକପଟ ସମର୍ପଣ ରେ
ଚିନ୍ତା ଚେତନାର ଦିହୁଡ଼ି ଜଳାଇ…..
ଯାହା ଦିନେ ପାରିବ ଆମ ଉତ୍ତର ପିଢୀକୁ
ବୃହନଳା ରୁ ପାର୍ଥ କରି
ରକ୍ଷା କରିବାକୁ ମା-ମାଟି-ମାତୃଭାଷା ର ଐତିହ୍ୟ
ଧରାଇ ଚକଡାଏ ଅଖଣ୍ଡିତ ଆତ୍ମବିଶ୍ବାସ ର ଗାଣ୍ଡିବ
ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା ଓ ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ