❤💓ଜନ୍ମ ଦିନ : ପ୍ରେମ କବିତା 💓❤
ପ୍ରେମ ଯେତେ ମୋ ପାଇଁ ନିର୍ଭେଜାଲ
ସୋରିଷ ତେଲର ମହକ
ମାଖୁଥାଏ ସକାଳରୁ ସଂଜ
ଧୋଇଯାଏ ମୋର ଚିକଣ ଦେହ
ମରି ମରି ସରୁଥାଏ ଦେହର ଦରଜ ।
ପ୍ରେମ ମୋର ଶୁଖାଇଛି ଆଖି
ଡେଇଁଛି କେତେ ଦରିଆ
ଫୁଟାଇଛି ଭାତ
ଫଟେଇଛି କପାଳ
କେବେ କାହିଁ ଫୁଟେଇଛି ଫୁଲ !
ପ୍ରେମକୁ ଛୁଇଁଲେ ଛଅଁନ୍ତା ହେଇଛି
ପ୍ରେମ ମୋତେ ମା ପରି କୋଳେଇ ନେଇଛି
ଦେବୀ ପରି ମଥାପରେ ଥୋଇଦେଇ ହାତ
ପ୍ରେମ ଗାଇଛି ଗଜଲ ଅଦେଖା ଲବଙ୍ଗ ଦ୍ବୀପର
ଝିଅ ଭଳି ଲାଜ ସେ କରିଛି
କୁଳଟା ପରି କେବେ ଦେହ ଖୋଲି
ମୋତେ ଶିଖାଇ ଶୃଙ୍ଗାର
ଡାହାଣୀର ଦେହ ଧରି ଉଡି ସେ ଯାଇଛି
ମୁଁ ଆଜି ସେଥିପାଇଁ ବେତାଳ ସାଜିଛି ।
ପ୍ରେମ ମୋର ଗହନ ନୀଦର ଶେଷ ପରିଣତି
ଭଙ୍ଗା ଗଢା ସପନର ମିଛୁଆ ସକାଳ
କୁଶେଇ ନଈର କୂଳେ ଭଙ୍ଗା ଡଙ୍ଗା,
ଭଙ୍ଗାପୋଲ ଅବା କାଶତଣ୍ଡୀର ମେଲାଣି ।
ପ୍ରେମ ଏକ ନଷ୍ଟ ଗୀତ ଆମ ବାଡି ବାଉଁଶ ଵୁଦାରେ
ଗାଁ ଠାକୁରାଣୀ ପାଖେ ସଂଜଘଣ୍ଟା,ଗଂଜେଇ କିର୍ତ୍ତନ
ପ୍ରେମ ସିନା ବାଲିଘର ,ମୁହଁ ସଂଜ ମହମ ଦ୍ବୀପରେ
ପ୍ରେମ ଖାଲି ରତି ରାତି ଅବା ଶୁଷ୍କ ଗାଉଁଲି ସକାଳ ।
କବିତା ମୋ ପ୍ରେମ ନୁହେଁ
ପ୍ରେମ ନୁହେଁ ମୋ କବିତା
କବି ନୁହେଁ କାହିଁ ଵାଧ୍ୟକର
ଲେଖାବାକୁ ମଲାଗଲା
କେଉଁ ପ୍ରେମର କବିତା ।
ଯଦି ପାର ଚାଖିପାର ବାରମିଶା ଶାଗ
କଦଳୀ ପତ୍ରରେ ବଢା ମେହିଖୁଣ୍ଟ କ୍ଷୀରି
ଅଗନା ଅଗନି ବନସ୍ତ ଭିତରେ ବିଶ୍ବାବସୁର
ଈଶ୍ବରୀୟ ଜୀବନ ମେଲାଣି
ପ୍ରେମ ଯେ ମରାଳ ମୃତ୍ୟୁ ,ରାଣ୍ତି ପୁଅ ଭାଉ
ଅମୃତ ମଣିଷ କିଏ ରାଜ ପୁଅର ଚିଟାଉ ।
ମୁଁ ଏବେ ନିର୍ବାକ୍ , ନିଶ୍ଚଳ , ନିୟୁତ ପ୍ରାର୍ଥନା
ପ୍ରେମ ବିନା ଲୋଡା ନାହିଁ ଜୀବନ ଯନ୍ତ୍ରଣା ।
ଚାଲ ଫେରିଯିବା ଆଉ ପ୍ରେମ କରିବା ॥
କଣ ପ୍ରେମ କରିଵା ନାଁ……..
ଦୀପକ କୁମାର ସ୍ୱାଇଁ, ଉପ ମହାସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଅଡା, ବାଲେଶ୍ଵର💖💙💚💚💚
553 total views, 1 views today
ଚାଲନ୍ତୁ ପ୍ରେମ କରିବା ❤❤ଖୁବ ସୁନ୍ଦର ସୃଜନୀ