#ବୟସ_ହଜିଯିବା_ପରେ
କାଲି ଭେଟିଥିଲି ତାକୁ
ସ୍ବପ୍ନର ଗହଣା ପିନ୍ଧି ସେ ଆସିଥିଲା
ଦେବାକୁ ଟିକିଏ ଜହ୍ନର ସରାଗ…….।
ଯନ୍ତ୍ରଣା ରେ କିଲବିଲ ହେଉଥିବା ଆତ୍ମା
ତୋଳିବାକୁ ଚେଷ୍ଟା କଲା ନିରବ ଓଁକାର
ଇସ୍ପାତ ମନ ଧାରୁଆ ଛୁରୀରେ…….
ମୁଖଦେଖି ତାର ଗବାକ୍ଷ ମାର୍ଗରୁ
ଭାବିବସେ ଏ କି ଚନ୍ଦ୍ର ମଣ୍ଡଳ ଅବା ମୁକୁର ବିମ୍ବଟିଏ
ବିଚଳିତ ମନ ମୋର ହୋଇଗଲା ଭୋଳ…….
ମୃଦଙ୍ଗ ଯୁଗଳ ଆଖି ସାଙ୍ଗକୁ କଳଙ୍କ ବିମୁକ୍ତ ମୁଖ
ରକ୍ତ ପଦ୍ମପତ୍ର ପରି ଓଠ ପୁଣି ଶଙ୍ଖ ସମ ନାଭି
ଲାବଣ୍ୟ ସରରେ ବୁଡିବାକୁ ଇଚ୍ଛା ଜାଗେ ବାରମ୍ବାର…..
ଠିକସେ ସ୍ବପ୍ନ ପ୍ରେୟସୀର ରୂପ ବର୍ଣ୍ଣିବାକୁ
କରିଅଛ କିଏ ଗଭୀର ଅଧ୍ୟୟନ
ପ୍ରବେଶିକା ପରୀକ୍ଷା ରେ ହୁଅନ୍ତି ବିଫଳ ଅନେକ…..
କରମ ଗୁଣରେ କରମଙ୍ଗା ଫଳେ, ଶୁଣିଥିଲି
ସେ ନର ରାଜକନ୍ୟା ଦେବ କିବା ଅନୁମତି
ସାଇତିବାକୁ ତାକୁ ଜୀଵନ ତମାମ୍…….
କାହିଁ ସେ ବାରମ୍ବାର ସ୍ବପ୍ନ ରେ ହୁଅଇ ପ୍ରକଟ
ରୁନ୍ଧି ବାକୁ ମୋ ଦୁକଦୁକି ବେଦମ ଦୁଃଖ ରେ
ଦେହରେ ଭରି ଅସୁମାରୀ ବିକାରର ତାତି…….
ସେ ଯେବେ ଆସେ ଥରିଯାଏ ଅସ୍ଥିମଞ୍ଜ
ନିଦର ପ୍ରତାରଣା ସ୍ୱୀକାର ହୁଅନ୍ତି ଆଖିପତା
କପାଳରେ ବୁନ୍ଦା ବୁନ୍ଦା ଝାଳ କରନ୍ତି କସରତ୍……
ମନ ମୋର ସବୁଦିନ ମଫସଲି ରାତିରେ
ଲଗାମଛଡ଼ା କଅଁଳା ବାଛୁରୀ ପରି ଦୌଡେ
ରୁଦ୍ରାକ୍ଷ ଅନ୍ଧକାର ଆଡକୁ ପ୍ରୀତି ସୁଖ ଆଶେ……..
ପ୍ରେମ ରୋଗ ରେ ହୋଇଲିକି ପୀଡିତ
ସମୟ ର ତୋଡ ମୋଡ଼ ରେ
ସବୁ ଦୁଃଖ ପାଳିପୋଷି ଚିରକାଳ
ଜଟାୟୁର ଦୁର୍ଦ୍ଦଶା ଭୋଗି ବୟସ ହଜିଯିବା ପରେ …..
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା, ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*