ବାତ୍ସଲ୍ୟ ମୟୀ ମା ମୋର (ମନୋନେଟ ଶୈଳୀ)

ଆସିଥିଲି ମୁଁ ଅଜାଣତେ ଏହି ପୃଥିବୀକୁ
ହାତେ ଲମ୍ବା ଦେହରେ ଉଜ୍ଜ୍ୱଳ କରି ଘରକୁ
ତା’କୁ ପ୍ରସୂତି ବେଦନା ର ଉପହାର ଦେଇ
ଜନ୍ମିଥିଲି ସଂସାରରେ କିଛି ସୁକର୍ମ ପାଇଁ
ଡେରାସର-ମନ୍ଦିର-ମସଜିଦ-ଗୁରୁଦ୍ୱାର-ଗୀର୍ଜା
ସବୁଠାରେ କରିଛି ସେ ମୋ ପାଇଁ ପୂଜା।।

ବିନିଦ୍ର ରଜନୀ କାଟିଛି ସେ ଏନ୍ତୁଡ଼ି ଘରେ
ଅଳି ଅଝଟ ମୋ ସହିଛି ମିଠା ବାତ୍ସଲ୍ୟ ରେ
ସହିଥିଲା ଯିଏ ମୋର ଲକ୍ଷ ଲକ୍ଷ ଗୋଇଠା
ତା’କଥା ଲେଖିବା କୁ କାହିଁକି ଲାଗଇ ବ୍ୟଥା
ଅଦିନରେ ଚକଡ଼ା ଲାଗନ୍ତି ଏ ଜୀବନରେ
ତାର ଆଶିଷ ନଥିଲେ ବାବୁ ଆମ ସାଥିରେ।।

ତିନି ମୁଣ୍ଡୁଳା -ତିନି ଦେବତା ମନେ ରଖିବୁ
ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ବୋଲି ଧନ ଜାଣିବୁ
ଆଦ୍ୟାକ୍ଷର ଲେଖିବା ପୂର୍ବରୁ ୟାଙ୍କୁ ସ୍ମରିବୁ
ସଭିଙ୍କୁ ସମ୍ମାନ ଦେଇ ସୁନାପିଲାଟେ ହେବୁ
ଅଧମ କୁ ଶିଖାଇଛି ଯିଏ ସବୁ ସଂସ୍କାର
ସେ ଆଉ କେହି ନୁହେଁ ବାତ୍ସଲ୍ୟ ମୟୀ ମା ମୋର ।।

ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା ଓ ସଚିବ ,
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା,ବାଲେଶ୍ଵର

 331 total views,  1 views today

Leave a Reply

Your email address will not be published. Required fields are marked *